ରାଜ୍ୟର ବିନା ଅନୁମତିରେ ମଧ୍ୟ ପ୍ରବେଶ କରିପାରିବ ସିବିଆଇ

0

କେନ୍ଦ୍ର ସରକାର କେନ୍ଦ୍ରୀୟ ଏଜେନ୍ସି ଗୁଡିକୁ ଅପବ୍ୟବହାର କରୁଛନ୍ତି। ଇଡି, ଆଇଟି ଏବଂ ସିବିଆଇ ଭଳି ଏଜେନ୍ସିକୁ ନିଜ ବିରୋଧୀଙ୍କୁ ଡରାଇବା ପାଇଁ ବ୍ୟବହାର କରୁଛନ୍ତି। ଏ ନେଇ ବିରୋଧୀ ବାରମ୍ବାର ଅଭିଯୋଗ କରିଆସୁଛନ୍ତି। ଏପରି ଅଭିଯୋଗ ପରେ କିଛି ରାଜ୍ୟ ସେଣ୍ଟ୍ରାଲ ବ୍ୟୁରୋ ଅଫ ଇନଭେଷ୍ଟିଗେସନ (ସିବିଆଇ) ଠାରୁ ସାଧାରଣ ସହମତି ମଧ୍ୟ ପ୍ରତ୍ୟାହାର କରିନେଇଛନ୍ତି।

ଏଥିପାଇଁ ରାଜ୍ୟରେ ତଦନ୍ତ କରିବାକୁ ପ୍ରଥମେ ସରକାରଙ୍କଠାରୁ ସିବିଆଇନକୁ ଅନୁମତି ନେବାକୁ ପଡୁଛି। ଏହା ମଧ୍ୟରେ କେନ୍ଦ୍ର ସରକାର ସିବିଆଇର କ୍ଷମତା, କାର୍ଯ୍ୟପ୍ରଣାଳୀ ଏବଂ ପରିସର ବୃଦ୍ଧି କରିବାକୁ ଚାହୁଁଛନ୍ତି।

ଏଥିପାଇଁ ଅଲଗା ଆଇନ ଆଣିବାକୁ ସରକାର ପ୍ରସ୍ତୁତି କରୁଛନ୍ତି। ଏ ନେଇ କେନ୍ଦ୍ର କାର୍ମିକ ମନ୍ତ୍ରାଳୟ ସ୍ବରାଷ୍ଟ୍ର ମନ୍ତ୍ରାଳୟ ସହ ମିଶି କାମ କରୁଛି। ନୂଆ ଆଇନ ଆସିଲେ ସିବିଆଇକୁ କୌଣସି ରାଜ୍ୟ ସରକାରଙ୍କଠାରୁ ଅନିୁମତି ନେବାକୁ ପଡ଼ିବ ନାହିଁ। ଏ ପର୍ଯ୍ୟନ୍ତ ସିବିଆଇ ଦିଲ୍ଲୀ ସ୍ପେସିଆଲ ପୁଲିସ ଏଷ୍ଟାବ୍ଲିସମେଣ୍ଟ ଆକ୍ଟ, ୧୯୪୬ ଅନୁଯାୟୀ କାମ କରୁଛି। ଏହି ଆଇନର ସୀମା ଉପରେ ଆଲୋଚନା ପର୍ଯ୍ୟାଲୋଚନା ପରେ ସିବିଆଇ ପାଇଁ ନୂତନ ଆଇନ ଆଣିବାକୁ ସଂସଦର ସ୍ଥାୟୀ କମିଟି ସୁପାରିସ କରିଛି। କମିଟି ଅନୁଯାୟୀ ଏହି ଆଇନରେ ସିବିଆଇର ସୀମା ସୀମିତ ରହିଛି। ନୂଆ ଆଇନରେ ସିବିଆଇର ପରିସର ବୃଦ୍ଧି, ମାନ୍ୟତା, କାର୍ଯ୍ୟ ପ୍ରଣାଳୀ, ଅଧିକାର ଧାର୍ଯ୍ୟ, ନିରପେକ୍ଷତା ଓ ବିଶ୍ବସନୀୟତାକୁ ସୁନିଶ୍ଚିତ କରିବା ପାଇଁ ନିୟମ ରଖିବାକୁ କୁହାଯାଇଛି। ଏହି ସୁପାରିସ ନୂଆ ଆଇନ ଆଣିବାକୁ କେନ୍ଦ୍ର ସରକାରଙ୍କୁ ଆଧାର ଯୋଗାଇଛି।

ସୂଚନା ଅନୁଯାୟୀ ନୂଆ ଆଇନ ସଂଘୀୟ ସ୍ତରର ହେବ। ଏବେ ସୁପ୍ରିମକୋର୍ଟ କିମ୍ବା ହାଇକୋର୍ଟ ନିର୍ଦ୍ଦେଶ ଦେଲେ ରାଜ୍ୟରେ ଯାଞ୍ଚ ପାଇଁ ସରକାରଙ୍କ ଠାରୁ ଅନୁମତି ନେବାକୁ ପଡୁ ନ ଥିଲା। ଅନ୍ୟ ମାମଲାରେ କେନ୍ଦ୍ର ସରକାରଙ୍କୁ ସିବିଆଇର ପରିସୀମା ବୃଦ୍ଧି କରିବାକୁ ପଡ଼ିଥାଏ। ଯାଞ୍ଚ ଏଜେନ୍ସି ରାଜ୍ୟ ସରକାରଙ୍କଠାରୁ ଅନୁମତି ନେଇ ମାମଲା ରୁଜୁ କରିଥାଏ। ରାଜ୍ୟ ସରକାର ଦେଉଥିବା ଅନୁମତିକୁ ସାଧାରଣ ସହମତି କୁହାଯାଇଥାଏ। କିଛି ରାଜ୍ୟ ସରକାର ସାଧାରଣ ସହମତି ପଦଳରେ ସ୍ବତନ୍ତ୍ର ଅନୁମତିର ବ୍ୟବସ୍ଥା କରିଛନ୍ତି। ଏଭଳି ସ୍ଥିତିରେ ସବୁ ମାମଲାରେ ରାଜ୍ୟ ସରକାରଙ୍କ ଅନୁମତି ନେବାକୁ ପଡିଥାଏ।

ଏବେ ସିବିଆଇର ଯାଞ୍ଚ ପରିସର କେବଳ କେନ୍ଦ୍ରଶାସିତ ଅଞ୍ଚଳ କିମ୍ବା ରେଳବାଇ ସୀମା ମଧ୍ୟରେ ସୀମିତ ରହିଛି। ଗତ ୭ ବର୍ଷରେ ୯ ରାଜ୍ୟ ସରକାର ସିବିଆଇଠାରୁ ସାଧାରଣ ସହମତି ପ୍ରତ୍ୟାହାର କରି ନେଇଛନ୍ତି। ଏଥିରେ ଅଧିକାଂଶ ଅଣ-ବିଜେପି ଶାସିତ ରାଜ୍ୟ ରହିଛନ୍ତି। ୨୦୧୫ ଜୁଲାଇ ୧୭ରେ ମିଜୋରାମ, ୨୦୧୮ ନଭେମ୍ବର ୧୬ରେ ପଶ୍ଚିମବଙ୍ଗ, ୨୦୧୯ ଜାନୁଆରୀ ୧୦ରେ ଛତିଶଗଡ଼, ୨୦୨୦ ଜୁଲାଇ ୧୯ରେ ରାଜସ୍ଥାନ, ୨୦୨୦ ନଭେମ୍ବର ୪ରେ କେରଳ, ୨୦୨୦ ନଭେମ୍ବର ୫ରେ ଝାଡ଼ଖଣ୍ଡ, ନଭେମ୍ବର ୬ରେ ପଞ୍ଜାବ, ୨୦୨୨ ଫେବୃଆରୀରେ ମେଘାଳୟ, ୨୦୨୨ ଅଗଷ୍ଟ ୩୦ରେ ତେଲଙ୍ଗାନା ସରକାର ସାଧାରଣ ସହମତି ପ୍ରତ୍ୟାହାର କରି ନେଇଥିଲେ। କିଛି ଦିନ ତଳେ କେନ୍ଦ୍ର ସରକାର ସଂସଦରେ କହିଥିଲେ ଯେ ସିବିଆଇ ଯାଞ୍ଚ ମାମଲାରେ ଦଣ୍ଡ ହାର ୬୮ (୨୦୧୮) ପ୍ରତିଶତରୁ ବଢ଼ି ୭୪.୫ (୨୦୨୨) ପ୍ରତିଶତରେ ପହଞ୍ଚି ଯାଇଛି। ଅର୍ଥାତ୍‌ ୫ ବର୍ଷରେ ୭ ପ୍ରତିଶତ ବୃଦ୍ଧି ପାଇଛି।

Leave a comment