ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ମାମଲା ରୁଜୁ

ସୌମ୍ୟ ଆତ୍ମହତ୍ୟା ଘଟଣା

0

ଭୁବନେଶ୍ୱର : ମଡେଲ୍ ସୌମ୍ୟରଞ୍ଜନ ମହାପାତ୍ର ଆତ୍ମହତ୍ୟା ଘଟଣା ନୂଆ ମୋଡ଼ ନେଇଛି । ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ସୌମ୍ୟଙ୍କ ବାନ୍ଧବୀ ସୋନାଲି ନନ୍ଦ ଓ ତାଙ୍କ ମା’ଙ୍କ ବିରୋଧରେ ଇନ୍ଫୋସିଟି ଥାନା ପୁଲିସ ଆଇପିସି ଧାରା ୩୦୬ ଏବଂ ୩୪ରେ ମାମଲା ରୁଜୁ କରିଛି । ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା ଅଭିଯୋଗରେ ଏହି ମାମଲା ରୁଜୁ କରାଯାଇଛି ।

ସୂଚନା ଅନୁଯାୟୀ, ଗତ ଜାନୁଆରୀ ୩୦ ତାରିଖ ରାତିରେ ସୌମ୍ୟରଞ୍ଜନ ଆତ୍ମହତ୍ୟା କରିଥିବା ନେଇ ତାଙ୍କ ଭଉଣୀ ଅଭିଯୋଗ କରିଥିଲେ । ଆତ୍ମହତ୍ୟା ପୂର୍ବରୁ ସୌମ୍ୟ ଏକ ହାତଲେଖା ଚିଠି ଛାଡ଼ି ଯାଇଥିଲେ । ଯେଉଁଥିରେ କି ତାଙ୍କ ମୃତ୍ୟୁ ଲାଗି ବାନ୍ଧବୀ ସୋନାଲିଙ୍କୁ ଦାୟୀ କରିଥିଲେ । ଉଭୟଙ୍କ ମଧ୍ୟରେ ବିବାହ ସ୍ଥିର ହୋଇଥିବାବେଳେ ସୋନାଲି ବହୁବାର ସୌମ୍ୟଙ୍କ ପରିବାର ସହ ରହୁଥିଲେ । କିନ୍ତୁ ସୋନାଲିଙ୍କ ପରିବାରଲୋକେ ବିବାହ କରିବା ଆଳରେ ଦିନ ଗଡ଼ାଇ ଚାଲିଥିଲେ । ସୌମ୍ୟ ତାଙ୍କ ରୋଜଗାରର ସମସ୍ତ ଅର୍ଥ ସୋନାଲିଙ୍କ ପଛରେ ଖର୍ଚ୍ଚ କରିଥିଲେ । ଏପରିକି ସୋନାଲି ଅନ୍ୟ ପୁଅ ସହ ସମ୍ପର୍କରେ ଥିଲେ । ଏସମ୍ପର୍କରେ ସୌମ୍ୟ ତାଙ୍କ ପରିବାର ଲୋକଙ୍କୁ କହିଥିଲେ । ହେଲେ ସୋନାଲି ଏକ ଦାମୀ କାର୍ କିଣି ଦେବାକୁ କହିଥିଲେ । କାର୍ ଦେଲେ ସୋନାଲି ତାଙ୍କ ସହ ସାରା ଜୀବନ ରହିବେ ବୋଲି ଉଭୟ କହିଥିଲେ ।

ଯଦି ଫୋନ୍ ବାରମ୍ବାର କରନ୍ତି ତେବେ ଥାନାରେ ମିଛ ମାମଲାରେ ଫସାଇବାକୁ ମଧ୍ୟ ଧମକ ଦେଇଥିଲେ । ଅଭିଯୋଗ ପରେ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା । ଯେଉଁଥିପାଇଁ ସୌମ୍ୟଙ୍କ ପରିବାରଲୋକ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ହାଇକୋର୍ଟ ଭୁବନେଶ୍ୱର ଡିସିପିଙ୍କୁ ମାମଲା ରୁଜୁ କରିବାକୁ ମଙ୍ଗଳବାର ନିର୍ଦ୍ଦେଶ ଦେଇଥିଲେ । ନିର୍ଦ୍ଦେଶ ପରେ ଇନ୍ଫୋସିଟି ଥାନା ପୁଲିସ ତୁରନ୍ତ ମାମଲା ରୁଜୁ କରିଛି । ତଦନ୍ତ ରିପୋର୍ଟ ହାଇକୋର୍ଟରେ ଦାଖଲ କରିବାକୁ ମଧ୍ୟ ନିର୍ଦ୍ଦେଶରେ କୁହାଯାଇଛି ।

Leave a comment