ଘୋଷଯାତ୍ରା ପାଇଁ ଚଳଚଞ୍ଚଳ ରଥଖଳା

0

ପୁରୀ (ଓଡ଼ିଶା ଫାଷ୍ଟ ବ୍ୟୁରୋ): ପାଖେଇ ଆସୁଛି ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା। ରଥ ଖଳାରେ ବିଶ୍ୱକର୍ମାମାନେ ତୁମ୍ବ ତିଆରିରେ ଲାଗିଛନ୍ତି । ତୁମ୍ବରେ ବିନ୍ଧ ଖୋଦେଇ ଚାଲିଛି । ବୁଧବାର ସୁଦ୍ଧା ୧୨ ତୁମ୍ବରେ ବିନ୍ଧ କାର୍ଯ୍ୟ ଶେଷ ହୋଇଛି । ତାଳଧ୍ୱଜ ରଥର ତିନୋଟି ତୁମ୍ବ ବିନ୍ଧ କାର୍ଯ୍ୟ ଶେଷ ହୋଇ ବାକି ୧୧ତୁମ୍ବର ବିନ୍ଧ କାର୍ଯ୍ୟ ମହାରଣା ସେବକମାନେ ଜାରି ରଖିଛନ୍ତି । ଦେବଦଳନ ରଥର ମୋଟ ୧୨ତୁମ୍ବରୁ ୩ ଗୋଟି ତୁମ୍ବର ବିନ୍ଧ କାର୍ଯ୍ୟ ଶେଷ ହୋଇ ଶେଷ ୯ ତୁମ୍ବର ବିନ୍ଧ କାର୍ଯ୍ୟ ଚାଲୁରହିଛି । ସେହିପରି ନନ୍ଦିଘୋଷ ରଥର ମୋଟ ୧୬ ଚକ ମଧ୍ୟରୁ ୬ ତୁମ୍ବର ବିନ୍ଧ କାର୍ଯ୍ୟ ଶେଷ ହୋଇଛି । ବାକି ୧୦ ତୁମ୍ବର ବିନ୍ଧ କାର୍ଯ୍ୟ ଜାରି ରହିଛି ।

ସେହିପରି କମାର(ଓଝା) ସେବକମାନେ ଦୋଳବେଦି ପରିସରରେ ରଥ ପାଇଁ ଲୋଡ଼ା ଲୁହା ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି । ବୁଧବାର ପନ୍ଦାରି ତିଆରି ଆରମ୍ଭ ହୋଇଛି । ଏବେ ଶାଳରେ ପଡ଼ିଛି ପନ୍ଦାରି । ଏହାକୁ ପୋଡ଼ିଲା ପରେ ମଳି ଛଡ଼ା ଯାଇ ମଠା(ସାଇଜ୍) ହେବ। ତୁମ୍ବଗୁଡ଼ିକର ଭିତର ପାଶ୍ୱର୍ରେ ଲାଗିବ ପନ୍ଦାରି । ତାହାକୁ ମଜଭୁତ କରିବାକୁ ଚାବି ତିଆରି ହୋଇ ପନ୍ଦାରିରେ ପଡ଼ିବ ।

ଗୋଟିଏ ତୁମ୍ବରେ ଲାଗିବ ୨ଟି ଲେଖାଏଁ ପନ୍ଦାରି ଓ ବଳା । ତିନି ରଥର ୪୨ ଚକ ପାଇଁ ଆବଶ୍ୟକ ୮୪ଟି ପନ୍ଦାରି, ୮୪ଟି ବଳା । ସେଗୁଡିକର ଆକାର ଭିନ୍ନ ଭିନ୍ନ । ତୁମ୍ବର ବାହାର ପାଶ୍ୱର୍ରେ ଲାଗିବ ବଳା । ତୁମ୍ବରେ ଅଖ ଭୁଞ୍ଜାଯିବ । ଠାକୁରଙ୍କ ରଥ ଅଖର ଆକାର ବଡ଼ରୁ ସାନ ହୁଏ । ସେହି ଅନୁସାରେ ବଡ଼ସାନ ହୋଇ ତିଆରି ହୁଏ ପନ୍ଦାରି ଓ ବଳା । ସେଥିରେ ୪ଟି ଚାବି ଲାଗି ତୁମ୍ବକୁ ମଜଭୁତ କରାଯିବ । ଯେପରି ରଥ ଗଡ଼ିଲାବେଳେ ତୁମ୍ବରୁ ଅଖ ଖସି ନଯାଏ ।ବୁଧବାର ରଥ ନିର୍ମାଣ କାର୍ଯ୍ୟରେ ୧୨୯ ଜଣ ନିୟୋଜିତ ହୋଇଥିବା ସୂଚନା ରହିଛି ।

Leave a comment