ଦି ଆକ୍ସିଡେଣ୍ଟାଲ ପ୍ରାଇମ୍ ମିନିଷ୍ଟରକୁ ନେଇ ଜାତୀୟ ରାଜନୀତି ସରଗରମ

0


ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଗକୁ ସାଧାରଣ ନିର୍ବାଚନ ଥିବାବେଳେ ଦୁଇ ପ୍ରମୁଖ ଜାତୀୟ ରାଜନୈତିକ ଦଳ ମଧ୍ୟରେ ତୁତୁ ମେଁ ମେଁ ଆରମ୍ଭ ହୋଇଯାଇଛି । ୫ଟି ରାଜ୍ୟରେ ନିର୍ବାଚନ ଜିତି କଂଗ୍ରେସ ଦେଶରେ ନିଜର ଉପସ୍ଥିତି ଜାହିର କରିଥିଲା । ଏହାକୁ ନେଇ ଦଳ ଉତ୍ସାହିତ ଥିବା ବେଳେ ନିକଟରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ‌ ଜୀବନୀ ଉପରେ ଆଧାରିତ ‘ଦି ଆକ୍ସିଡେଣ୍ଟାଲ ପ୍ରାଇମ୍ ମିନିଷ୍ଟର’ର ଟ୍ରେଲର ରିଲିଜ୍ ହୋଇଛି ।

ମନମୋହନ ସିଂଙ୍କ ମିଡିଆ ପରାମର୍ଶଦାତା ସଞ୍ଜୟ ବାରୁଙ୍କ ଦ୍ୱାରା ଲିଖିତ ପୁସ୍ତକ ‘ଦି ଆକ୍ସିଡେଣ୍ଟାଲ ପ୍ରାଇମ୍‌ ମିନିଷ୍ଟର’ କୁ ନେଇ ବଲିଉଡ୍‌ରେ ଏହି ଫିଲ୍ମ ନିର୍ମାଣ କରାଯାଇଛି । ମନମୋହନଙ୍କ ୧୦ ବର୍ଷର କାର୍ଯ୍ୟକାଳ ଏହି ମୁଭିରେ ଉତ୍ତୋଳନ କରାଯାଇଛି । ମୁଭି ଟ୍ରେଲରରେ କଂଗ୍ରେସ ଉପାଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ଭିଲିଆନ ଭୁମିକାରେ ଦେଖିବାକୁ ମିଳିଛି । ମୁଭିକୁ ନେଇ କଂଗ୍ରେସର ବରିଷ୍ଠ ନେତା ପିଏଲ୍‌ ପୁନିଆ କହିଛନ୍ତି ଏହା ଭାଜପାର ଏକ ଚାଲ୍‌ । ୫ ବର୍ଷ ଶାସନ କାଳରେ କିଛି ନ କରି ଆଗାମୀ ନିର୍ବାଚନରେ ଲୋକଙ୍କ ପାଖରେ ଉପସ୍ଥାପନ କରିବାକୁ ଆଉ କିଛି ନ ଥିବାରୁ ଭାଜପା ଏହି ମୁଭିର ଟ୍ରେଲରକୁ ଏବେ ରି ଟୁଇଟ୍‌ କରିବା କାମ କରିଛି । ମୋଦିଙ୍କ ବିଫଳତାକୁ ଲୁଚାଇବାକୁ ଭାଜପା ଫିଲ୍ମକୁ ମାଧ୍ୟମ କରିଥିବା ଆରୋପ ଲଗାଇଛି କଂଗ୍ରେସ । କଂଗ୍ରେସ କହିଛି ୨୦୧୪ ପୂର୍ବରୁ ବହି ଓ ୨୦୧୯ ନିର୍ବାଚନ ଆଗରୁ ଏହି ଫିଲ୍ମକୁ ପ୍ରମୋଟ୍ କରୁଛି ଭାଜପା । ମନମୋହନ ସିଂଙ୍କ ଭୂମିକାରେ ଅଭିନୟ କରିଥିବା କଳାକାର ତଥା ଭାଜପା ନେତା ଅନୁପମ ଖେର କହିଛନ୍ତି ଏହାକୁ ନେଇ ବିବାଦ ହେବା ଠିକ୍‌ କଥା ନୁହେଁ । ବରଂ କଂଗ୍ରେସ ନେତାମାନେ ଖୁସି ହେବା କଥା ।

Leave a comment