ପ୍ରବାସୀ ଶ୍ରମିକଙ୍କ ପାଇଁ ଚିନ୍ତା ପ୍ରକଟ କଲେ ସୁପ୍ରିମକୋର୍ଟ : କେନ୍ଦ୍ର, ରାଜ୍ୟଙ୍କୁ ମାଗିଲେ ରିପୋର୍ଟ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଲକ୍ଡାଉନ୍ ବେଳେ ପ୍ରବାସୀ ଶ୍ରମିକମାନେ ଯେଉଁଭଳି ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି ତାହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ସୁପ୍ରିମକୋର୍ଟ। ସେ କହିଛନ୍ତି ଯେ, ପରିସ୍ଥିିତିର ମୁକାବିଲା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଉଚିତ ପଦକ୍ଷେପ ନେଇ ନାହାନ୍ତି। ଏହି ମାମଲାରେ ସରକାରମାନଙ୍କଠାରୁ ଦୁଇଦିନ ଭିତରେ ଜବାବ ମାଗିଛନ୍ତି। ପରବର୍ତ୍ତୀ ଶୁଣାଣି ଆସନ୍ତା ୨୮ କୁ ତାରିଖ ଧାର୍ଯ୍ୟ କରାଯାଇଛି। ଜଷ୍ଟିସ ଅଶୋକ ଭୂଷଣ, ସଂଜୟ କିସାନ କୌଲ ଓ ଏମ୍ ଆର୍ ଶାହଙ୍କୁ ନେଇ ଗଠିତ ଖଣ୍ଡପୀଠ ନିଜ ଆଡ଼ୁ ମାମଲାର ଶୁଣାଣି କରି କହିଛନ୍ତି ଯେ ଯଦିଓ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରମାନେ ପରିସ୍ଥିତିର ମୁକାବିଲା କରିବାକୁ ଚେଷ୍ଟା କରିଛନ୍ତି, କିନ୍ତୁ ଏହା ଯଥେଷ୍ଟ ନଥିଲା। ଦୀର୍ଘ ବାଟ ପାଦରେ ଚାଲିଚାଲି ଓ ସାଇକଲରେ ଯାଉଥିବା ଭଳି ଖବର ନିୟମିତଭାବେ ଖବରକାଗଜ ଓ ଗଣମାଧ୍ୟମରେ ପ୍ରକାଶିତ ହେଉଛି। ଏହା ଶ୍ରମିକମାନଙ୍କ ଦୁର୍ଦ୍ଦଶାକୁ ସୂଚାଉଥିବାରୁ ଆମେ ନିଜ ଆଡ଼ୁ ଏହି ମାମଲାକୁ ବିଚାର ପାଇଁ ଗ୍ରହଣ କରିଛୁ ବୋଲି ଖଣ୍ଡପୀଠ କହିଛନ୍ତି।
ସଂକଟ ବେଳେ ଏହି ପ୍ରବାସୀ ଶ୍ରମିକମାନଙ୍କୁ ସହାୟତା ଦେବାରେ କେନ୍ଦ୍ର ଓ ରାଜ୍ୟ ସରକାରମାନେ ଉଚିତ ପଦକ୍ଷେପ ନେଇ ପାରିନ୍ତାହାନ୍ତି। ଏମାନଙ୍କ ପାଇଁ ସରକାରଙ୍କ ପକ୍ଷରୁ ତୁରନ୍ତ ପଦକ୍ଷେପ ନିଆଯିବାର ଆବଶ୍ୟକତା ରହିଛି। ପ୍ରବାସୀ ଶ୍ରମିକମାନେ ଯେଉଁଠି ଅଟକି ରହିଛନ୍ତି କିମ୍ବା ଘରକୁ ଚାଲିଚାଲି, ସାଇକଲ କିମ୍ବା ଅନ୍ୟ ମାଧ୍ୟମରେ ଯିବା ସମୟରେ ରାସ୍ତାରେ ପ୍ରଶାସନ ପକ୍ଷରୁ ସେମାନଙ୍କୁ ଖାଦ୍ୟ ଓ ପାନୀୟ ଯୋଗାଇ ଦିଆଯାଉନାହିଁ। ସେମାନଙ୍କୁ ସରକାର ମାଗଣାରେ ଖାଇବା, ରହିବା ଓ ଯାତ୍ରା ସୁବିଧା ଯୋଗାଇବା ଉଚିତ ବୋଲି ସର୍ବୋଚ୍ଚ ଅଦାଲତ ନିର୍ଦେଶ ଦେଇଛନ୍ତି।