ତେଲେଙ୍ଗାନା ବିଜେପି ସାଂସଦଙ୍କ ଖୁଲାସା; ସାଂସଦ ପାଣ୍ଠିକୁ ଘର ଏବଂ ପୁଅ ବାହାଘରରେ ଖର୍ଚ୍ଚ କରିଦେଲି

0

ତେଲେଙ୍ଗାନାର ବିଜେପି ସାଂସଦ ସୋୟମ ବାପୁ ରାଓଙ୍କୁ ନେଇ ବିବାଦ ଲାଗି ରହିଛି । ଏବେ ତାଙ୍କୁ ନେଇ ଏକ ଭିଡିଓ ସାମ୍ନାକୁ ଆସିଛି । ଏଥିରେ ସେ ସରକାରୀ ପାଣ୍ଠିର ଅପବ୍ୟବହାର ବିଷୟରେ କହୁଥିବାର ଦେଖିବାକୁ ମିଳିଛି । ସୋୟମ୍ ବାପୁ ରାଓ ସ୍ୱୀକାର କରିଛନ୍ତି ଯେ ସେ ସାଂସଦ ପାଣ୍ଠିକୁ ବ୍ୟକ୍ତିଗତ ଉଦ୍ଦେଶ୍ୟରେ ବ୍ୟବହାର କରିଛନ୍ତି ।

ସୋୟମ ବାପୁ ରାଓ ବିଜେପି ପ୍ରତିନିଧୀଙ୍କ ସହ ଏକ କାର୍ଯ୍ୟକ୍ରମରେ ଖୋଲାଖୋଲି ଭାବେ ସ୍ୱୀକାର କରିଛନ୍ତି ଯେ ସେ ତାଙ୍କ ନିର୍ବାଚନମଣ୍ଡଳୀର ବିକାଶ ପରିବର୍ତ୍ତେ ବ୍ୟକ୍ତିଗତ ଉଦ୍ଦେଶ୍ୟରେ ସାଂସଦ ସ୍ଥାନୀୟ ବିକାଶ ଯୋଜନା (LADS) ପାଣ୍ଠି ବ୍ୟବହାର କରିଛନ୍ତି ।

୧୯୯୩ ରେ ଆରମ୍ଭ ହୋଇଥିବା ଏମପି ଲାଡସ୍‌ ଯୋଜନା ସାଂସଦ ମାନଙ୍କୁ ସେମାନଙ୍କ ନିର୍ବାଚନମଣ୍ଡଳୀର ନିର୍ଦ୍ଦିଷ୍ଟ ଆବଶ୍ୟକତା ଉପରେ ଆଧାର କରି ସ୍ଥାନୀୟ ବିକାଶ ପ୍ରକଳ୍ପ ପାଇଁ ପାଣ୍ଠି ଆବଣ୍ଟନ କରିବାକୁ ଅନୁମତି ଦେଇଥାଏ । ରାଓଙ୍କ ଭାଇରାଲ ଭିଡିଓରେ ଶୁଣିବାକୁ ମିଳୁଛି ଯେ ସେ ପ୍ରାପ୍ତ ହୋଇଥିବା ଅର୍ଥର ଏକ ଅଂଶ ମ୍ୟୁନିସିପାଲିଟି ପୋଲିସ ପ୍ରଶିକ୍ଷଣ ସମିତି (ଏମପିଟିସି) ଏବଂ ଅଞ୍ଚଳର କାଉନସିଲର ମାନଙ୍କୁ ବଣ୍ଟନ କରିଛନ୍ତି।

ସାଂସଦ କହିଛନ୍ତି, ‘ଦ୍ୱିତୀୟ ଥର ପାଇଁ ଅଢେଇ କୋଟି ଟଙ୍କା ଆସିଛି । ଆମେ ଏହି କ୍ଷେତ୍ରରେ MPTC ଏବଂ କାଉନସିଲର ମାନଙ୍କୁ କିଛି ପରିମାଣ ଦେଇଥିଲୁ । ଯେହେତୁ ନିର୍ବାଚନମଣ୍ଡଳୀରେ ମୋର ଘର ନାହିଁ । ତେଣୁ ମୁଁ ଘର ନିର୍ମାଣ ପାଇଁ କିଛି ଟଙ୍କା ବ୍ୟବହାର କଲି । ଅନ୍ୟ କୌଣସି ନେତା ଏହାକୁ ସ୍ବୀକାର କରିବେ ନାହିଁ, କିନ୍ତୁ ମୁଁ ଏହାକୁ ସ୍ବୀକାର କରୁଛି । ସେ ଏହା ମଧ୍ୟ ସ୍ୱୀକାର କରିଛନ୍ତି ଯେ ସେ ପୁଅର ବିବାହ ପାଇଁ ସାଂସଦ ପାଣ୍ଠିରୁ ଏହି ଟଙ୍କା ଖର୍ଚ୍ଚ କରିଛନ୍ତି ।

ସେ କହିଛନ୍ତି ଯେ ଅତୀତରେ ଅନେକ ସାଂସଦ ସେମାନଙ୍କ କାର୍ଯ୍ୟ ପାଇଁ ପୁରା ପାଣ୍ଠିକୁ ବ୍ୟବହାର କରିଥିଲେ । ଆଜି ଆମ ଦଳର କିଛି ନେତା ମୋତେ ସମାଲୋଚନା କରୁଛନ୍ତି, କିନ୍ତୁ ସେମାନେ ଭାବୁ ନାହାଁନ୍ତି ଯେ, ଅନ୍ୟ ଲୋକମାନେ ମୋ ସମ୍ମୁଖରେ କିପରି ଏହି ଜନସାଧାରଣ ଟଙ୍କା ବ୍ୟବହାର କରୁଥିଲେ।

Leave a comment