ଭାଙ୍ଗିଲା ତେଲେଙ୍ଗାନା ସରକାର, ଆଗୁଆ ନିର୍ବାଚନ ପାଇଁ ପ୍ରସ୍ତୁତି

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଶେଷରେ ତେଲେଙ୍ଗାନାର ବିଧାନସଭା ଭାଙ୍ଗିବାକୁ ନେଇ ସବୁ କଳ୍ପନା ଜଳ୍ପନାର ଆଜି ଅନ୍ତ ଘଟିଛି । ଟିଆର୍ଏସ୍ ସରକାରଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଆହୁରି ୧୦ ମାସ ବାକି ଅଛି । ମାତ୍ର ରାଜ୍ୟରେ ଆଗୁଆ ନିର୍ବାଚନ କରିବାକୁ ମୁଖ୍ୟମନ୍ତ୍ରୀ ଚନ୍ଦ୍ର ଶେଖର ରାଓ ଆଜି ରାଜ୍ୟପାଳଙ୍କୁ ଭେଟି ବିଧାନସଭା ଭାଙ୍ଗିବାକୁ ପ୍ରସ୍ତାବ ଦେଇଥିବା ସୂଚନା ମିଳିଛି ।
ତେଲେଙ୍ଗାନା ରାଜ୍ୟପାଳ ଇଏସ୍ଏଲ୍ ନରସିଂହା ଚନ୍ଦ୍ର ଶେଖରଙ୍କ ପ୍ରସ୍ତାବ ଗ୍ରହଣ କରିବା ସହ ଆଗୁଆ ବିଧାନସଭା ଭାଙ୍ଗିଲା ବୋଲି ଘୋଷଣା କରିଛନ୍ତି। ମାତ୍ର ନିର୍ବାଚନ ଯାଏ ଚନ୍ଦ୍ର ଶେଖର ହିଁ ରାଜ୍ୟର କାମଚଳା ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିବେ ବୋଲି ରାଜ୍ୟପାଳ କହିଛନ୍ତି।
ଆନ୍ଧ୍ରପ୍ରଦେଶରୁ ଅଲଗା ହୋଇ ତେଲେଙ୍ଗାନା ହେବାପରେ ୨୦୧୪ ମେ’ ମାସରେ ପ୍ରଥମ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ତେଲେଙ୍ଗାନା ବିଧାନସଭାର ୧୧୯ଟି ଆସନରୁ ଚନ୍ଦ୍ର ଶେଖରଙ୍କ ଟିଆର୍ଏସ୍ ୬୩ଟି ଆସନରେ ବିଜୟ ଲାଭ କରି ସରକାର ଗଠନ କରିଥିଲା । ୨୦୧୯ ମେ ମାସ ବେଳକୁ ସାଧାରଣ ନିର୍ବାଚନ ସହ ତେଲେଙ୍ଗାନା ବିଧାନସଭା ନର୍ବାଚନ ହୋଇଥାନ୍ତା । ମାତ୍ର ବିଧାନସଭା ଆଗୁଆ ଭାଙ୍ଗିବ ଦ୍ୱାରା ଆଗୁଆ ନିର୍ବାଚନ ପାଇଁ ରାସ୍ତା ସଫା ହୋଇଯାଇଛି ।
କେନ୍ଦ୍ର ସରକାରଙ୍କ ଆଗରେ ମୁଣ୍ଡ ନୁଆଁଇ ଆଗୁଆ ନିର୍ବାଚନ କରିବେ ନାହିଁ ବୋଲି ବିବୃତ୍ତି ଦେଇଥିବା ଚନ୍ଦ୍ର ଶେଖର ଆଜି ପ୍ରଗତି ଭବନଠାରେ କ୍ୟାବିନେଟ୍ ବୈଠକ ଡାକିଥିଲେ । ଏଠାରେ ସର୍ବସମ୍ମତି କ୍ରମେ ବିଧାନସଭାକୁ ଭଙ୍ଗାଯିବ ବୋଲି ଏକ ପ୍ରସ୍ତାବ ପାସ୍ ହୋଇଥିଲା । ବୈଠକ ପରେ ଚନ୍ଦ୍ର ଶେଖର କ୍ୟାବିନେଟ୍ ନିଷ୍ପତ୍ତିର ନକଲ ଧରି ରାଜଭବନରେ ପହଞ୍ଚିଥିଲେ । ସେଠାରେ ସେ ରାଜ୍ୟପାଳଙ୍କୁ କ୍ୟାବିନେଟ୍ ନିଷ୍ପତ୍ତି ସମ୍ପର୍କରେ ଅବଗତ କରାଇବା ସହ ବିଧାନସଭାକୁ ଭାଙ୍ଗିବାକୁ ରାଜ୍ୟପାଳ ନରସିଂହାଙ୍କୁ ପ୍ରସ୍ତାବ ଦେଇଥିଲେ ।