ଭାରତ ସହିତ କେମିତି ସଂପର୍କ ରଖିବାକୁ ଚାହେଁ ତାଲିବାନ, ଭିଡିଓ ଜାରି କରି ବଖାଣିଲା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଇଣ୍ଡିଆନ ମିଲିଟାରୀ ଏକାଡେମୀ(ଆଇଏମଏ)ରେ ଟ୍ରେନିଂ ନେଇଥିବା ତାଲିବାନର ବରିଷ୍ଠ ନେତା ଶେର ମହମ୍ମଦ ଅବାସ ଷ୍ଟେନକଜଇ ଭାରତ ସହ ସମ୍ବନ୍ଧକୁ ନେଇ ବଡ ଘୋଷଣା କରିଛନ୍ତି। ଷ୍ଟେନକଜଇ କହିଛନ୍ତି, ତାଲିବାନ ଭାରତ ସହିତ ଆଫଗାନିସ୍ତାନର ରାଜନୈତିକ, ଆର୍ଥିକ ଓ ସାଂସ୍କୃତିକ ସମ୍ବନ୍ଧଙ୍କୁ ଜାରି ରଖିବାକୁ ଚାହୁଁଛି। କାବୁଲ ଦଖଲ ପରେ ପ୍ରଥମ ଥର ତାଲିବାନର କୌଣସି ଶୀର୍ଷ ସ୍ତରର ନେତା ଭାରତ ସହିତ ସମ୍ବନ୍ଧ ଉପରେ ନିଜ ସଂଗଠନର ବିଚାର ରଖିଛନ୍ତି। ଏହା ପୂର୍ବରୁ ତାଲିବାନର ମୁଖପାତ୍ର ଏହି ପ୍ରସଙ୍ଗରେ ଆଲୋଚନା କରିଥିଲେ।

୪୬ ମିନିଟ୍‌ର ଭିଡିଓ ଜାରି କଲା ତାଲିବାନ

ଷ୍ଟେନକଜଇ ଆଫଗାନିସ୍ତାନରେ ଯୁଦ୍ଧର ପରିସମାପ୍ତି ଓ ତାଲିବାନର ସରିଆ ଉପରେ ଆଧାରିତ ଇସଲାମୀ ପ୍ରଶାସନ ଗଠନ ଯୋଜନା ଉପରେ ବିସ୍ତାର ସହ ଆଲୋଚନା କରିଛନ୍ତି। ତାଲିବାନ ନିଜର ସାମାଜିକ ପ୍ଲାଟଫର୍ମରେ ସେୟାର କରିଥିବା ୪୬ ମିନିଟର ଭିଡିଓରେ ଭାରତ, ପାକିସ୍ତାନ, ଚୀନ ଓ ରୁଷ ପରି ପ୍ରମୁଖ ଦେଶ ସହ ସୁସମ୍ପର୍କ ସ୍ଥାପନ ଉପରେ ଜୋର ଦେଇଛି।

ସେ କହିଛନ୍ତି, ଭାରତ ପରି ଉପମହାଦ୍ଵୀପ ଦେଶ ଆମ ପାଇଁ ବହୁତ ମହତ୍ଵପୂର୍ଣ୍ଣ। ଆମେ ଭାରତ ସହିତ ନିଜର ସାଂସ୍କୃତିକ, ଆର୍ଥିକ ଓ ବ୍ୟବସାୟ ସମ୍ବନ୍ଧକୁ ପୂର୍ବ ପରି ଜାରି ରଖିବାକୁ ଚାହୁଁଛି। ପାକିସ୍ତାନ ମାର୍ଗ ଦେଇ ଭାରତ ସହିତ ବାଣିଜ୍ୟ ଆମ ପାଇଁ ବହୁତ ଗୁରୁତ୍ଵପୂର୍ଣ୍ଣ। ଭାରତ ସହିତ ଆକାଶ ମାର୍ଗରେ କାରବାର ବିକଳ୍ପ ମଧ୍ୟ ଖୋଲା ରହିବ।

ପାକିସ୍ତାନ ରାସ୍ତା ଦେଇ କାରବାର କରିବ ତାଲିବାନ

ସେ ଏହା କହି ନାହାନ୍ତି ଯେ, ଭାରତ ମାଧ୍ୟମରେ କାରବାର ଉଭୟ ପାର୍ଶ୍ଵରୁ ହେବା ଉଚିତ୍ କି ନୁହେଁ। ପାକିସ୍ତାନ ଆଫଗାନ ବ୍ୟବସାୟୀଙ୍କୁ ନିଜ କ୍ଷେତ୍ର ମାଧ୍ୟମରେ ନିଜର ମାଲ ପଠାଇବାକୁ ଅନୁମତି ଦେଇଛି। ହେଲେ ଏବେ ମଧ୍ୟ ଭାରତୀୟ ସାମଗ୍ରୀକୁ ପାକିସ୍ତାନ ଦେଇ ଆଫଗାନିସ୍ତାନ ପର୍ଯ୍ୟନ୍ତ ପହଞ୍ଚିବାକୁ ଅନୁମତି ଦେଇ ନାହିଁ।

Leave a comment