ତାଳଧ୍ୱଜ , ଦର୍ପଦଳନ ଓ ନନ୍ଦିଘୋଷ ରଥ ପହଞ୍ଚିଲା ଗୁଣ୍ଡିଚା ମନ୍ଦିରରେ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ଭକ୍ତ ଙ୍କ ପ୍ରତୀକ୍ଷାର ଅନ୍ତ ଘଟାଇ ତିନି ଠାକୁର ଶ୍ରୀମନ୍ଦିର ରୁ ବାହାରିଛନ୍ତି ମାଉସୀ ମା’ ଙ୍କ ଘରକୁ। ତିନି ଠାକୁର ଙ୍କୁ ଦେଖିବା ପାଇଁ ବଡ ଦାଣ୍ଡରେ ୧୦ ଲକ୍ଷ ରୁ ଅଧିକ ଭକ୍ତଙ୍କର ସମାଗମ ହୋଇଛି।

ସୁରୁଖୁରୁରେ ତିନିଠାକୁରଙ୍କ ରଥାରୁଢ ପରେ ଆରମ୍ଭ ହୋଇଥିଲା ଗଜପତି ମହାରାଜଙ୍କ ଛେରାପହଁରା ସେବା ।ଛେରାପହଁରା ସେବାପରେ ସିଂହଦ୍ୱାର ଛାଡି ମାଉସୀ ମା’ ମନ୍ଦିର ଅଭିମୁଖେ ଗଡ଼ିଛି ଶ୍ରୀ ବଳଭଦ୍ରଙ୍କର ତାଳଧ୍ୱଜ ରଥ ।

ପରମ୍ପରା ଅନୁସାରେ ପ୍ରଥମେ ଶ୍ରୀ ବଳଭଦ୍ରଙ୍କର ରଥ ଟଣା ଯାଇଛି । ରଥରେ ଅଶ୍ୱ ଯୋଖା ହେବା ପରେ ତାଳଧ୍ୱଜ ରଥ ଟଣା ଆରମ୍ଭ ହୋଇଛି । ବିଭିନ୍ନ ନୀତିକାନ୍ତି ପରେ ନିର୍ଦ୍ଧାରିତ ସମୟ ଠାରୁ ପ୍ରାୟ ଦେଢ ଘଣ୍ଟା ପୂର୍ବରୁ ତାଳଧ୍ୱଜ ରଥ ମାଉସୀ ମା’ ଅଭିମୁଖେ ଗଡିଛି । ଶ୍ରୀ ବଳଭଦ୍ରଙ୍କ ରଥ ରାଜ ନଅର ଛୁଇଁବା ପରେ ବଡଦାଣ୍ଡରୁ ଗୁଣ୍ଡିଚା ମନ୍ଦିର ଅଭିମୁଖେ ବାହାରିଛି ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ । ସୁଭଦ୍ରାଙ୍କ ଦର୍ପଦଳନ ରଥ ଗଡ଼ିବା ପରେ ଗଡ଼ିଛି ଜଗତର ନାଥ ଜଗନ୍ନାଥଙ୍କର ନନ୍ଦିଘୋଷ ରଥ। ଖରା, ବର୍ଷାକୁ ଖାତିର ନକରି ଭକ୍ତ ରଥ ଗୁଡିକୁ ଖୁସିରେ ଗୁଣ୍ଡିଚା ମନ୍ଦିର କୁ ଟାଣିନେଉଛନ୍ତି । ହରିବୋଲ, ହୁଳହୁଳି , ନାମ ସଂକୀର୍ତ୍ତନରେ ବଡଦାଣ୍ଡ ପ୍ରକମ୍ପିତ ହୋଇ ଉଠିଛି ବଡଦାଣ୍ଡ। ଆଜି ପୂରା ବଡଦାଣ୍ଡ ଜଗନ୍ନାଥମୟ ହୋଇ ଉଠିଛି ।

ତେବେ ଭକ୍ତ ମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ଯେପରି ରଥଟଣା ସମୟରେ କୌଣସି ପ୍ରକାର ଅଘଟଣ ନ ଘଟେ ତାହା ଉପରେ ଜୋର ଦେଇଛି ପୋଲିସ । ରଥ ଠାରୁ କିଛି ମିଟର ପର୍ଯ୍ୟନ୍ତ କୌଣସି ଭକ୍ତଙ୍କୁ ଛଡା ଯାଉନାହିଁ । ତେବେ ରଥଟଣା ସମୟରେ ଯେଉଁଠି ସନ୍ଧ୍ୟା ହେବ ସେହିଠାରେ ହିଁ ତିନି ରଥ ଅଟକି ରହିବ ବୋଲି ସ୍ଥିର କରାଯାଇଥିଲା । ମିଳିଥିବା ସୂଚନା ମୁତାବକ ଶ୍ରୀ ବଳଭଦ୍ରଙ୍କର ତାଳଧ୍ୱଜ ରଥ, ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଏବଂ ନନ୍ଦିଘୋଷ ରଥ ଗୁଣ୍ଡିଚା ମନ୍ଦିରରେ ପହଞ୍ଚି ଯାଇଛି।

Leave a comment