ଜେଲ୍ ଗଲେ ତହସିଲଦାର ଓ ତାଙ୍କ ଭାଇ

ନିମାପଡା ୩।୧୧: ଜେଲ୍ ଗଲେ କଳିଯୁଗର ରାମ-ଲକ୍ଷ୍ମଣ । ଦୁଇ ଭାଇ ମିଳିମିଶି ସରକାରୀ ଜମିକୁ ହଡପ କରୁଥିଲେ । ମଙ୍ଗଳବାର ନିମାପଡା ତହସିଲଦାର ରାମଚନ୍ଦ୍ର ଜେନାଙ୍କୁ ଗିରଫ କରିଥିଲା ଭିଜାଲାନ୍ସ । ଏହାସହ ଲକ୍ଷ୍ମଣ ଜେନାଙ୍କୁ ମଧ୍ୟ ଭିଜିଲାନ୍ସ ଗିରଫ କରିଛି । ଦୁଇ ଭାଇଙ୍କୁ ରିମାଣ୍ଡରେ ଆଣି ଅଧିକ ତଥ୍ୟ ସଂଗ୍ରହ କରିବ ତଦନ୍ତକାରୀ ଟିମ୍ । ଏ ନେଇ ଭିଜିଲାନ୍ସ ନିର୍ଦ୍ଦେଶକ ଜଶଓ୍ବନ୍ତ ଜେଠୱା ସୂଚନା ଦେଇଛନ୍ତି ।
ଭିଜିଲାନ୍ସ ରେଡ୍ରେ ଫିଟିଛି ଦୁର୍ନୀତିଖୋର ତହସିଲଦାରଙ୍କ ଗୁମର । ଚତୁର ତହସିଲଦାର ନିଜ ନାଁରେ କରିଛନ୍ତି ୫ ପ୍ୟାନ୍ କାର୍ଡ । ସରକାରୀ ରେକର୍ଡରେ ଏହି ତହସିଲଦାରଙ୍କ ୩ ବାପା, ୫ଟି ଜନ୍ମ ତାରିଖ । ପୁରୀ ଜିଲ୍ଲା ନିମାପଡା ତହସିଲଦାର ସହ ସବ୍-ରେଜିଷ୍ଟ୍ରାର୍ ଦାୟିତ୍ବରେ ଥିବା ରାମଚନ୍ଦ୍ର ଜେନାଙ୍କ କାରନାମାର ଖବର ଥିଲା ଭିଜିଲାନ୍ସ ପାଖରେ । ମଙ୍ଗଳବାର ଭୋରରୁ ଆରମ୍ଭ ହୋଇଥିଲା ଚଢ଼ାଉ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପୁରୀ, କଟକ ଓ କେନ୍ଦ୍ରାପଡ଼ାରେ ଏକକାଳୀନ ଚଢ଼ାଉ କରିଥିଲେ ଭିଜିଲାନ୍ସ ଅଧିକାରୀ । ତାଙ୍କ ନିକଟରୁ ମିଳିଥିଲା ୪ ଲକ୍ଷ ୬୫ ହଜାର ଟଙ୍କା । ନିମାପଡା ସ୍ଥିତ ସରକାରୀ ବାସଭବନରୁ ମିଳିଥିଲା ନଗଦ ୫୦ ହଜାର ଟଙ୍କା ।
ପ୍ରଥମ ଥର ପାଇଁ ନୁହଁ ଏହା ପୂର୍ବରୁ ଦୁଇ ଦୁଇ ଥର ରାମଚନ୍ଦ୍ର ଭିଜିଲାନ୍ସ ହାତରେ ଧରାପଡି ଜେଲ ଯାଇଥିଲେ । ୨୦୧୧ରେ ଜାଗା ସେଟେଲମେଣ୍ଟ ବେଳେ ଧରାପଡିଥିଲେ କଟକ ଭିଜିଲାନ୍ସ ହାବୁଡାରେ । ମାମଲା ଏବେବି ବିଚାରାଧୀନ ରହିଛି । ୨୦୧୮ରେ ମଧ୍ୟ ଚାଷ ଜମିର କିସମ ପରିବର୍ତ୍ତନ ଅଭିଯୋଗରେ ଗିରଫ ହୋଇଥିଲେ । ବାରମ୍ବାର ଭିଜିଲାନ୍ସ ହାବୁଡାରେ ଫସିବା ପରେ ବି ସୁଧୁରିନଥିଲେ ରାମଚନ୍ଦ୍ର । ପୁଣି ଥରେ ଏଭଳି କାମ କରୁଥିବା ବେଳେ ଭିଜିଲାନ୍ସ ସେଲ୍ ତାଙ୍କୁ ଗିରଫ କରିଛି । ରାମଚନ୍ଦ୍ରଙ୍କ କଟକ ସିଡିଏରେ ନିଜ ଘର, କେନ୍ଦ୍ରାପଡା ପୈତୃକ ଘର ଉପରେ ମଧ୍ୟ ଛାପା ମାରିଥିଲା ଭିଜିଲାନ୍ସ । ଫେକ୍ ପ୍ୟାନ୍ କାର୍ଡ ପଛରେ ତାଙ୍କର ଅନୈତିକ ଆର୍ଥିକ କାରବାର ଥିବା ଅନୁମାନ ।