ସଟ୍ଡାଉନ୍ରେ ସ୍ୱାଭାବିକ ରହିବ ମିଡ଼ିଆ, ଆସିଲା ସଂଶୋଧିତ ଗାଇଡ୍ଲାଇନ୍

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କରୋନା ଲକ୍ଡାଉନ୍ର ପଞ୍ଚମ ପର୍ଯ୍ୟାୟ ଗତକାଲିଠାରୁ ଆରମ୍ଭ ହୋଇଛି। ଏହି ସମୟରେ ସ୍ବତନ୍ତ୍ର ରିଲିଫ୍ କମିସନ୍ ଗାଇଡ୍ଲାଇନ୍ ଜାରି କରିଥିଲେ। ସେହି ଗାଇଡ୍ଲାଇନ୍ ରେ କିଛିଟା ସଂଶୋଧନ କରାଯାଇଛି। ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ସ୍କୁଲ୍, କଲେଜ ବନ୍ଦ ରଖିବାକୁ ସରକାର ଘୋଷଣା କରିଥିଲେ। ତେବେ ଏହି ସମୟ ମଧ୍ୟରେ ଯେ କୌଣସି ପରୀକ୍ଷା କରାଯାଇପାରିବ ବୋଲି ମଙ୍ଗଳବାର ସୂଚନା ଦିଆଯାଇଛି। ଜୁନ୍ ୩୦ ତାରିଖ ଯାଏ ୧୧ଟି ଜିଲ୍ଲାରେ ପ୍ରତି ଶନିବାର ଓ ରବିବାର ସଟ୍ଡାଉନ୍ କରାଯିବ। ଏହି ସମୟରେ ଉଭୟ ପ୍ରିଣ୍ଟ୍ ଓ ଇଲେକ୍ଟ୍ରୋନିକ୍ସ ମିଡିଆ ସ୍ବାଭାବିକ ଭାବେ ଚାଲିବ ବୋଲି ଆଜି କୁହାଯାଇଛି। ଖବରକାଗଜ ଅତ୍ୟାବଶ୍ୟକ ସେବାରେ ଅନ୍ତର୍ଭୁକ୍ତ ଥିବାରୁ ଏଜେଣ୍ଟ ଏବଂ ହକର ମାଧ୍ୟମରେ ଏହାର ବିତରଣରେ କୌଣସି ଅସୁବିଧା ହେବନାହିଁ ବୋଲି ଜଣାପଡ଼ିଛି।
ସେହିପରି ସଟ୍ଡାଉନ୍ ସମୟରେ ସମସ୍ତ ପ୍ରକାର କୃଷି, ଉଦ୍ୟାନ କୃଷି, ଦୁଗ୍ଧ, ମତ୍ସ୍ୟ ଓ ପଶୁସମ୍ପଦ ଭିତ୍ତିକ କାର୍ଯ୍ୟକୁ ଅନୁମତି ଦିଆଯିବ। କରୋନା ସମୟରେ ବୟସ୍କ ବ୍ୟକ୍ତି(୬୫ ବର୍ଷରୁ ଅଧିକ), ଗର୍ଭବତୀ ମହିଳା, ପୂର୍ବରୁ ବିଭିନ୍ନ ରୋଗରେ ଆକ୍ରାନ୍ତ ଥିବା ବ୍ୟକ୍ତି ଓ ୧୦ ବର୍ଷରୁ କମ୍ ବୟସ୍କ ପିଲାଙ୍କ ପାଇଁ ଅଧିକ ବିପଦ ଥିବାରୁ ସେମାନଙ୍କୁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ବାହାରକୁ ବାହାରିବା ଉପରେ କଟକଣା ଜାରି କରାଯାଇଥିଲା। ତେବେ ଆଜି ଏହାକୁ ସଂଶୋଧନ କରାଯାଇ ଏହି ସମୟସୀମା ଜୁନ୍ ୩୦ ତାରିଖ କରାଯାଇଛି।