ସୁପ୍ରିମକୋର୍ଟଙ୍କ ପ୍ରଶ୍ନ ପରେ ଗାଜିପୁର ବର୍ଡରରୁ ଟେଣ୍ଟ ହଟାଇଲେ ଚାଷୀ, ଜାଣନ୍ତୁ କ’ଣ କହିଲେ ଟିକାୟତ?

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆନ୍ଦୋଳନ ଲାଗି ଅଧିକାର ରହିଛି, ହେଲେ ସଡ଼କ ଅବରୋଧ ହୋଇଛି କାହିଁକି ବୋଲି ସୁପ୍ରିମକୋର୍ଟଙ୍କ ପ୍ରଶ୍ନରେ ଚାଷୀମାନେ ଗୁରୁବାର ଜାତୀୟ ରାଜମାର୍ଗ ନମ୍ବର ୨୪ର ସର୍ଭିସ୍‌ ଲେନରୁ ସେମାନଙ୍କ ଟେଣ୍ଟ ହଟାଇଦେଇଛନ୍ତି। ତେବେ ଏଥିଲାଗି କୋର୍ଟ ଜବାବ ଦାଖଲ ନିମନ୍ତେ କୃଷକ ସଙ୍ଗଠନକୁ ୨୧ ଦିନ ସମୟ ଦେଇଥିଲେ। ମାମଲାର ପରବର୍ତ୍ତି ଶୁଣାଣୀ ନଭେମ୍ବର ୭କୁ ଧାର୍ଯ୍ୟ ହୋଇଥିବା ବେଳେ ଚାଷୀମାନେ ନିଜ ଆଡୁ ଏହି ପଦକ୍ଷେପ ନେଇଛନ୍ତି।
ଚାଷୀମାନେ ଉତ୍ତରପ୍ରଦେଶ-ଗାଜିପୁର-ଦିଲ୍ଲୀ ଜାତୀୟ ରାଜମାର୍ଗ ନମ୍ବର ୨୪ର ୟୁପି ଗେଟ୍‌ ନିକଟ ଫ୍ଲାଇଓଭର ତଳେ ସର୍ଭିସ ରୋଡରେ ଦୀର୍ଘ ଦିନରୁ ତମ୍ବୁ ଲଗାଇ ଆନ୍ଦୋଳନ କରୁଛନ୍ତି। ଏଠାରେ ଚାଷୀଙ୍କ ଆନ୍ଦୋଳନ ଆରମ୍ଭ ଦିନରୁ ରାଜମାର୍ଗର ଏହି ଅଂଶରେ ଯାନବାହନ ଚଳାଚଳ ବନ୍ଦ ରହିଛି। ତେବେ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିବା ପରେ ଚାଷୀ ନିଜ ଆଡୁ ଗୁରୁବାର ରାସ୍ତା ଖାଲି କରିଦେଇଛନ୍ତି। ପ୍ରସଙ୍ଗରେ ଭାରତୀୟ କିଷାନ ୟୁନିୟନ (ବିକେୟୁ) ନେତା ରାକେଶ ଟିକାୟତ ଏଠାରେ ଚାଷୀ ରାସ୍ତା ଅବରୋଧ କରିନଥିଲେ ବୋଲି କହିଛନ୍ତି। ପୋଲିସ ନିଜ ଆଡୁ ରାସ୍ତାରେ ବାରିକେଡ ଲଗାଇ ଏହାକୁ ଅବରୋଧ କରି ରଖିଛି। ତେବେ ଚାଷୀ ହଟିଯିବା ପରେ ରାସ୍ତାକୁ ପୋଲିସ ଖୋଲୁଛି କି ନା ତାହା ତା ଉପରେ ନିର୍ଭର କରେ ବୋଲି କହିଛନ୍ତି।

ଚାଷୀମାନେ କେନ୍ଦ୍ର ସରକାରଙ୍କ ୩ କଳା କୃଷି ଆଇନକୁ ବିରୋଧ କରି ଦିଲ୍ଲୀ ସୀମାରେ ଆନ୍ଦୋଳନ କରୁଛନ୍ତି। ଆଇନ ସଂସଦରେ ଗୃହୀତ ହୋଇଛି ଏଣୁ ଚାଷୀ ସଂସଦକୁ ଯିବା କଥା ବୋଲି କହିଛନ୍ତି ଟିକାୟତ। ଏବେ ସଡକ ଖୋଲି ଯାଇଛି, ଚାଷୀ ସଂସଦ ଯିବେ କି ନଯିବେ ତାହା ମିଳିତ କୃଷକ ମୋର୍ଚ୍ଚା ଆଗାମୀ ଦିନରେ ନିଷ୍ପତ୍ତି ନେବେ ବୋଲି କହିଛନ୍ତି ଟିକାୟତ। ସେ କହିଛନ୍ତି ଯେ ଏଠାରୁ ଚାଷୀ ହଟିବେନି, ହେଲେ ଲୋକଙ୍କୁ ରାସ୍ତା ଦେବେ, ଏଠାରେ ଆମେ ‘କେନ୍ଦ୍ର ସରକାର ରାସ୍ତା ଅଟକାଇଛନ୍ତି ’ ବୋଲି ଏକ ପୋଷ୍ଟର ଲାଗଇବୁ।

ଏଠାରେ କୃଷକ ଆନ୍ଦୋଳନ ଯୋଗୁ ରାସ୍ତା ଅବରୋଧ କାରଣରୁ ନୋଏଡାର ଜନୈକ ନିବାସୀ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ମାମଲାରେ ଆନ୍ଦୋଳନ ଲାଗି କାହାରିକୁ ମନା ନଥିବା କୋର୍ଟ କହିଥିବା ବେଳେ ଏଥିଯୋଗୁ ସଡକ ଅବରୋଧ କାହିଁକି ହୋଇଛି ବୋଲି ଜବାବ ଦେବାକୁ କୃଷକ ସଙ୍ଗଠନଙ୍କୁ ୨୧ ଦିନ ସମୟ ଦେଇଛନ୍ତି। ତେବେ ସଙ୍ଗଠନ ଏ ବାବଦେ ଜବାବ ଦାଖଲ ପୂର୍ବରୁ ରାସ୍ତା ଖାଲି କରିଦେବାକୁ ନିଷ୍ପତ୍ତି ନେବା ସହ ତମ୍ବୁ ଖୋଲି ନେଇଛି।

Leave a comment