ଅନ୍ତିମ ସମୟରେ ସିଲାବସ୍ ବଦଳିବା ନେଇ ସୁପ୍ରିମକୋର୍ଟ କ୍ଷୁବ୍ଧ, କେନ୍ଦ୍ର ସରକାରଙ୍କୁ କଲେ କଡା ଭର୍ତ୍ସନା
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ନିଟ୍ ଏସଏସ ପରୀକ୍ଷାର ଅନ୍ତିମ ସମୟରେ ବଦଳିଗଲା ସିଲାବସ୍। ଏହାକୁ ନେଇ କ୍ଷୁବ୍ଧ ସର୍ବୋଚ୍ଚ ନ୍ୟାୟାଳୟ। କେନ୍ଦ୍ର ସରକାରଙ୍କ ବିରୋଧରେ ଆପଣେଇଲେ କଡା ଆଭିମୁଖ୍ୟ । ଏପରିକି ସରକାରଙ୍କୁ ମଧ୍ୟ କଡା ତାଗିଦ୍ କରିଛନ୍ତି। ଯୁବ ଡାକ୍ତରଙ୍କୁ କ୍ଷମତାର ଖେଳରେ ଫୁଟବଲ୍ ବନାନ୍ତୁ ନାହିଁ ବୋଲି କହିଛନ୍ତି ସୁପ୍ରିମକୋର୍ଟ।
ସୁପ୍ରିମକୋର୍ଟ ପ୍ରବେଶ ପରୀକ୍ଷା ସ୍ନାତକୋତ୍ତର ସୁପର ସ୍ପେଶିଆଲିଟି ପରୀକ୍ଷା ୨୦୨୧ର ସିଲାବସ୍ ଅନ୍ତିମ ସମୟରେ ବଦଳାଇବା ଘଟଣାରେ ଗଭୀର ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହି ମାମଲାରେ ସଂପୃକ୍ତ ସମସ୍ତ ଅଧିକାରୀଙ୍କ ସହିତ ବୈଠକ କରି ଅକ୍ଟୋବର ୪ ସୁଦ୍ଧା ଜବାବ ଦେବାକୁ ଅଦାଲତ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ନିଜ କ୍ଷମତାର ଖେଳରେ ଯୁବ ଡାକ୍ତରଙ୍କୁ ଫୁଟବଲ୍ ବନାନ୍ତୁ ନାହିଁ ବୋଲି ଉଚ୍ଚତମ ନ୍ୟାୟାଳୟ କହିଛନ୍ତି।
ଅଚାନକ ସିଲାବସରେ ଏମିତି ପବିବର୍ତ୍ତନ ବିରୋଧରେ ୪୧ ପିଜି ଡାକ୍ତର ସୁପ୍ରିମକୋର୍ଟରେ ଯାଚିକା ଦାଖଲ କରିଥିଲେ। ଏହି ପରିବର୍ତ୍ତନ ଜେନେରାଲ ମେଡିସିନ ବିଦ୍ୟାର୍ଥୀଙ୍କ ସପକ୍ଷରେ କରାଯାଇଥିବା ସେମାନେ ଯୁକ୍ତି ବାଢିଥିଲେ। ତୁରନ୍ତ ସିଲାବସ ପରିବର୍ତ୍ତନ ଉପରେ ରୋକ୍ ଲଗାଇବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦିଅନ୍ତୁ ବୋଲି ସେମାନେ ଆବେଦନରେ ନିବେଦନ କରିଛନ୍ତି।