୨୦୦୨ ଗୁଜରାଟ ଦଙ୍ଗା, ମୋଦିଙ୍କ ବିରୋଧରେ ଶୁଣାଣି ୧୯ରେ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ୨୦୦୨ ମସିହା ଗୁଜରାଟର ଗୋଧ୍ରା ଦଙ୍ଗାର ପରବର୍ତ୍ତୀ ହିଂସାରେ ତତ୍କାଳୀନ ଗୁଜୁରାଟ ମୁଖ୍ୟମନ୍ତ୍ରୀ ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଦାମୋଦର ମୋଦିଙ୍କ ସମ୍ପୃକ୍ତି ନେଇ ସୁପ୍ରିମକୋର୍ଟରେ ଦାଏର ହୋଇଥିବା ପିଟିଶନର ଶୁଣାଣି ଆସନ୍ତା ୧୯ ତାରିଖରେ ହେବ । ଜଷ୍ଟିସ୍ ଏ.ଏମ୍. ଖାନ୍ଓ୍ବିଲକର୍ଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏଥିପାଇଁ ରାଜି ହୋଇଛନ୍ତି ।
ସୂଚନା ଅନୁଯାୟୀ, ୨୦୦୨ ଗୋଧ୍ରା ଦଙ୍ଗା ବେଳେ ପୂର୍ବତନ ଏମ୍ପି ଏହସାନ୍ ଜାଫ୍ରିଙ୍କ ମୃତ୍ୟୁ ଘଟିଥିଲା । ତତ୍କାଳୀନ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏହି ଦଙ୍ଗାରେ ସମ୍ପୃକ୍ତି ନେଇ ନାଁ ଉଠିଥିଲା । ଏକ ସ୍ବତନ୍ତ୍ର ତଦନ୍ତକାରୀ ଦଳ (ଏସ୍ଆଇଟି) ମୋଦିଙ୍କୁ ଏହି ମାମଲାରେ କ୍ଲିନ୍ଚିଟ୍ ଦେଇଥିଲା । ଏହସାନ୍ଙ୍କ ସ୍ତ୍ରୀ ଜାକିଆ ଜାଫ୍ରି ଏହାକୁ ଗୁଜରାଟ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ । ହାଇକୋର୍ଟ ୨୦୧୭ ଅକ୍ଟୋବର ୫ରେ ଜାକିଆଙ୍କ ଆବେଦନକୁ ଅଗ୍ରାହ୍ୟ କରିଦେଇଥିଲେ । ଫଳରେ ସେ ସର୍ବୋଚ୍ଚ ଅଦାଲତଙ୍କ ଦ୍ୱାରସ୍ଥ ହୋଇଥିଲେ । ଜଷ୍ଟିସ୍ ଖାନ୍ଓ୍ବିଲକର ଓ ଦୀପକ ଗୁପ୍ତାଙ୍କୁ ନେଇ ଗଠିତ ଖଣ୍ଡପୀଠ ତାଙ୍କ ଆବଦନକୁ ଅଦ୍ୟାବଧି ଅନୁଧ୍ୟାନ କରି ନ ଥିବାରୁ ଆସନ୍ତା ୧୯ରେ ଏହାର ଶୁଣାଣି କରାଯିବ ବୋଲି ଧାର୍ଯ୍ୟ କରିଛନ୍ତି । ପ୍ରକାଶ ଯେ, ୨୦୧୨ ଫେବୃୟାରୀ ୮ରେ ଏସ୍ଆଇଟି ମୋଦିଙ୍କ ବିରୋଧରେ ପ୍ରମାଣ ନ ଥିବା ଦର୍ଶାଇ ତାଙ୍କୁ କ୍ଲିନ୍ଚିଟ୍ ଦେବା ସହ ମାମଲା ବନ୍ଦ କରିବା ନେଇ କ୍ଲୋଜର୍ ରିପୋର୍ଟ ଦାଖଲ କରିଥିଲା ।