ଏସ୍ଟି, ଏସ୍ସି ଅଧିନିୟମର ସଂଶୋଧନ : ସ୍ଥଗିତାଦେଶ ପାଇଁ ମନାକଲେ ସୁପ୍ରିମକୋର୍ଟ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଏସ୍ଟି, ଏସ୍ସି ଅଧିନିୟମର ସଂଶୋଧନ ଉପରେ ସ୍ଥଗିତାଦେଶ ଦେବାକୁ ପୁଣିଥରେ ମନା କରିଦେଇଛନ୍ତି ସୁପ୍ରିମକୋର୍ଟ । ଉକ୍ତ ଅଧିନିୟମର ସଂଶୋଧନରେ ଅନ୍ତରୀଣ ଜାମିନ ବ୍ୟବସ୍ଥା ନାହିଁ । କୋର୍ଟ ଏହି ସଂଶୋଧନକୁ କାଏମ ରଖିବା ସହ କେନ୍ଦ୍ର ସରକାରଙ୍କ ରିଭ୍ୟୁ ପିଟିଶନ୍ ସମେତ ଅନ୍ୟାନ୍ୟ ଆବେଦନର ଶୁଣାଣି ଫେବୃୟାରୀ ୧୯ରେ କରିବାକୁ ଧାର୍ଯ୍ୟ କରିଛନ୍ତି । ଏହି ପ୍ରସଙ୍ଗରେ ସବିଶେଷ ଶୁଣାଣି ହେବା ଆବଶ୍ୟକ ବୋଲି ଜଷ୍ଟିସ୍ ୟୁ.ୟୁ. ଲଲିତ କହିଛନ୍ତି । ଏସ୍ସି/ଏସ୍ଟି ଅଧିନିୟମରେ ସଂଶୋଧନକୁ ଚ୍ୟାଲେଞ୍ଜ କରିଥିବା ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ବିକାଶ ସିଂ କୋର୍ଟରେ ଉପସ୍ଥିତ ହୋଇ ଏହା ଉପରେ ସ୍ଥଗିତାଦେଶ ଲାଗି ଦାବି କରିଥିଲେ । କୋର୍ଟ ପୂର୍ବରୁ ମଧ୍ୟ ଏହି ମାମଲା ଉପଯୁକ୍ତ ଖଣ୍ଡପୀଠରେ ଶୁଣାଣି ନହେବା ପର୍ଯ୍ୟନ୍ତ ଏହା ଉପରେ ସ୍ଥଗିତାଦେଶ ଦେବାକୁ ମନା କରିଦେଇଥିଲେ । ଏଥିସହିତ ପିଟିଶନ୍ ଉପରେ ସରକାରଙ୍କୁ ଜବାବ ମାଗିଥିଲେ ।
ଅଧିନିୟମର ଅପବ୍ୟବହାର ରୋକିବା ଲାଗି ସର୍ବୋଚ୍ଚ ଅଦାଲତ ଏହି ଆଇନରେ ଗିରଫ ଉପରେ ଗତବର୍ଷ ମାର୍ଚ୍ଚ ୨୦ରେ କଟକଣା ଆଣିଥିଲେ। ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ବିରୋଧରେ ଅଗଷ୍ଟ ୯ରେ ସରକାର ପାର୍ଲାମେଣ୍ଟରେ ଏକ ବିଲ୍ ଗୃହୀତ କରାଇଥିଲେ, ଯେଉଁଥିରେ ଅନ୍ତରୀଣ ଜାମିନ ବ୍ୟବସ୍ଥାକୁ ହଟାଇ ଦିଆଯାଇଥିଲା।