ସୁନୀତି ମୁଣ୍ଡ ହେଲେ ବିଜେପି ଭୁବନେଶ୍ୱର ମେୟର ପ୍ରାର୍ଥୀ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଡକ୍ଟର ସୁନୀତି ମୁଣ୍ଡ ହେଲେ ବିଜେପି ଭୁବନେଶ୍ୱର ମେୟର ପ୍ରାର୍ଥୀ । କଂଗ୍ରେସ ଭୁବନେଶ୍ୱର ମେୟର ପ୍ରାର୍ଥୀର ନାମ ପୂର୍ବରୁ ଘୋଷଣା କରିଥିବା ବେଳେ ଆଜି ବିଜେଡ଼ି ଏବଂ ବିଜେପି ନିଜ ନିଜ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି । ଶାସକ ଦଳକୁ କଡା ଟକର ଦେବାକୁ ନୂଆ ଚେହେରା ସାମ୍ନାକୁ ଆଣିଛି ବିଜେପି ।
ସୂଚନା ଅନୁଯାୟୀ, ଜଣେ ଲେଖିକା ଭାବେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ସୁନୀତି । ନିଜ ଲେଖା ମାଧ୍ୟମରେ ସମାଜକୁ ପରିବର୍ତ୍ତନ କରିବାର ଉଦ୍ୟମ କରିଥିଲେ ସୁନୀତି । ଆଉ ଏବେ ରାଜନୀତି ମୈଦାନକୁ ଓହ୍ଲାଇ ସିଧାସଳଖ ଲୋକଙ୍କ ଭରସା ଜିତିବାକୁ ଆଶା ରଖିଛନ୍ତି ସୁନୀତି ମୁଣ୍ଡ । ଭବାନିପାଟଣାରେ ରହି ଶିକ୍ଷା ଗହନ କରିଥିଲେ ଡ.ମୁଣ୍ଡ୍ । ଝାରପଡାର ୩୨ନଂ ୱାର୍ଡରେ ଦୀର୍ଘ ୨୦ବର୍ଷ ହେଲା ରହୁଛନ୍ତି । ଡ. ମୁଣ୍ଡ୍ଙ୍କ ଲୋକସଭା ଲୋକନୀତି ଉପରେ ଅଭିଜ୍ଞତା ଅଛି ।
ଅପରାଜିତା ଷଡଙ୍ଗୀ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଡ. ମୁଣ୍ଡ୍ ସାହିତ୍ୟ କ୍ଷେତ୍ରରୁ ଆସିଛନ୍ତି । ଆମେ ଚାହୁଁଥିଲୁ ଉଚ୍ଚଶିକ୍ଷାତା ମହିଳା ଓ ଗୋଟିଏ ନୂଆ ମୁହଁ । ସୁନୀତି ମୁଣ୍ଡ୍ ସମ୍ବଲପୁର ୟୁନିଭରସିଟିରୁ ଓଡ଼ିଆରେ ଏମେ, ଆଇଏମଏମସିରେ ସାମ୍ବାଦିକତା, ଫିଲ୍ମ ଜଗତ ସହ ଜଡ଼ିତ ଅଛନ୍ତି । ସବୁଠୁ ବଡ଼ କଥା ହେଲା ସେ ପାଖାପାଖି ୨୮ଟି ବହି ଲେଖିଛନ୍ତି । ଡ. ମୁଣ୍ଡ୍ ହିନ୍ଦୀରେ ଓ ଓଡିଆରେ ପ୍ରବୀଣ ଅଛନ୍ତି । ସାହିତ୍ୟରୁ ରାଜନୀତି ପାଇଁ ଅଂଟା ଭିଡିଛନ୍ତି । ତାଙ୍କ ଲକ୍ଷ୍ୟ ରହିଛି ଲୋକଙ୍କ ସେବା । ଲୋକ ସେବା ଲୋକନୀତି ଉପରେ ତାଙ୍କର ଅଭିଜ୍ଞତା ରହିଛି । ଭୁବନେଶ୍ୱର ବିଭିନ୍ନ ସମସ୍ୟା ଓ ଆନ୍ତରିକତା ଦେଖି ବିଜେପି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ତାଙ୍କୁ ମେୟର ପ୍ରାର୍ଥୀଙ୍କ ପାଇଁ ଚୟନ କରିଛନ୍ତି ।
ଦେଖିବାକୁ ବାକି ରହିଲା କିଏ ଜିତିବ ଭୁବନେଶ୍ୱରବାସୀଙ୍କ ଭରସା, ଆଉ ହେବ ରାଜଧାନୀର ପ୍ରଥମ ମହିଳା ମେୟର । ପ୍ରଥମ ଥର ପାଇଁ ପ୍ରତ୍ୟେକ୍ଷ ଭାବେ ମେୟର ନିର୍ବାଚନ ହେବାକୁ ଯାଉଛି । ତେଣୁ କେଉଁ ରାଜନୀତି ଦଳ ଲୋକଙ୍କ ମନ ଜିଣିବାରେ ସକ୍ଷମ ହେଉଛି, ଏବେ ତାକୁ ହିଁ ଅପେକ୍ଷା ।