ସୁନେତ୍ର ଯୋଜନାର ଶୁଭାରମ୍ଭ, ସବୁ ବର୍ଗର ଲୋକଙ୍କୁ ମାଗଣାରେ ମିଳିବ ଚକ୍ଷୁ ଚିକିତ୍ସା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟର ସମସ୍ତ ସରକାରୀ ଡାକ୍ତରଖାନାରେ ସବୁ ଲୋକଙ୍କୁ ମାଗଣାରେ ଚକ୍ଷୁ ଚିକିତ୍ସା ମାଗଣାରେ କରାଯିବ । ଏହାସହ ଚଷମା ମଧ୍ୟ ମାଗଣାରେ ଯୋଗାଇ ଦିଆଯିବ । ମଙ୍ଗଳବାର ସଚିବାଳୟଠାରେ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ସୁନେତ୍ର’ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସୁନେତ୍ର ଯୋଜନାରେ  ଲୋକମାନଙ୍କୁ ସମସ୍ତ ପ୍ରକାର ଚକ୍ଷୁ ଚିକିତ୍ସା ମାଗଣାରେ ପ୍ରଦାନ କରାଯିବ । ସମସ୍ତ ସରକାରୀ ଚିକିତ୍ସାଳୟରେ ଏହି ଚିକିତ୍ସା ଉପଲବ୍ଧ ହେବ । ଏପରି କି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର(ସିଏଚସି), ସବ୍‌ଡିଭିଜନ ସ୍ତରୀୟ ଡାକ୍ତରଖାନା, ଜିଲ୍ଲା ମୁଖ୍ୟ ଚିକିତ୍ସା କେନ୍ଦ୍ର ଏବଂ ସମସ୍ତ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲରେ ମାଗଣାରେ ଏହି ସୁବିଧା ମିଳିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଗଣମାଧ୍ୟମକୁ ସୂଚନା ଦେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସଚିବ ପ୍ରମୋଦ ମେହେର୍ଦ୍ଦା କହିଛନ୍ତି ଯେ ସୁନେତ୍ର ଯୋଜନାରେ ୬୮୦ କୋଟି ଟଙ୍କା ଖର୍ଚ୍ଚ ହେବ । ଚଳିତ ବର୍ଷ ୫୦ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ସବୁ ବର୍ଗର ଲୋକ ଏହାର ସୁବିଧା ପାଇପାରିବେ । ଏହି କାର୍ଯ୍ୟକ୍ରମରେ ମନ୍ତ୍ରିମଣ୍ଡଳ ସଦସ୍ୟ, ଏମ୍‌ପି, ବିଧାୟକ, ଉନ୍ନୟନ କମିଶନର, ପଞ୍ଚାୟତିରାଜ ବିଭାଗର ପ୍ରମୁଖ ସଚିବ, ସ୍ବାସ୍ଥ୍ୟ ବିଭାଗ ସଚିବ, ଜିଲ୍ଲାପାଳ ଓ ପଞ୍ଚାୟତ ପ୍ରତିନିଧିମାନେ ଉପସ୍ଥିତ ଥିଲେ ।

Leave a comment