ସିଡିଏମଓ ନିଲମ୍ବନକୁ ବିରୋଧ, ବିଜେପିର ୬ ଘଣ୍ଟିଆ ସୁନ୍ଦରଗଡ ବନ୍ଦ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସୁନ୍ଦରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସିଡିଏମଓଙ୍କ ନିଲମ୍ବନ ପ୍ରତ୍ୟାହାର ଦାବିରେ ସୁନ୍ଦରଗଡ ଜିଲ୍ଲା ବିଜେପି ପକ୍ଷରୁ ୬ ଘଣ୍ଟିଆ ପାଳନ କରାଯାଉଛି । ଏହି ବନ୍ଦରୁ ମେଡିକାଲ, ସ୍କୁଲ ଓ କଲେଜକୁ ବାଦ ଦିଆଯାଇଛି ।

ସୁନ୍ଦରଗଡ ବିଧାୟିକା କୁସୁମ ଟେଟେ ସିଡିଏମଓଙ୍କ ନିଲମ୍ବନକୁ ବିରୋଧ କରି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଦାବିପତ୍ର ପ୍ରଦାନ କରିଥିଲେ । ସୁନ୍ଦରଗଡ ବିଧାୟିକା ଅଭିଯୋଗ କରିଛନ୍ତି କି, ସୁନ୍ଦରଗଡ ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର ଅଭାବ ଥିବା ସମୟରେ ଜଣେ ଭଲ ଡାକ୍ତରଙ୍କୁ ସରକାର କାହିଁକି ନିଲମ୍ବନ କରିଛନ୍ତି । ବିଧାୟିକା ଆହୁରି ମଧ୍ଯ ଯୁକ୍ତି ବାଢ଼ିଛନ୍ତି କି ନିଲମ୍ବିତ ସିଡିଏମଓ ଗରିବ ଲୋକଙ୍କୁ ମାଗଣାରେ ଚିକିତ୍ସା କରୁଥିଲେ, ତାଙ୍କର ବାହାରେ କ୍ଲିନିକ ମଧ୍ୟ ନାହିଁ । ତାଙ୍କୁ ପ୍ରଥମେ କାରଣ ଦର୍ଶାଅ ନୋଟିସ ନପଠାଇ କାହିଁକି ନିଲମ୍ବନ କରାଗଲା ବୋଲି ପ୍ରଶ୍ନ କରିଛନ୍ତି କୁସୁମ ଟେଟେ । ଏଥିସହ ବିଧାୟିକା କହିଛନ୍ତି ସୁନ୍ଦରଗଡରେ ବିଜେପି ବିକ୍ଷୋଭ କରିନାହିଁ । ଏ ଆନ୍ଦୋଳନ ସାଧାରଣ ଲୋକଙ୍କର ।

ଅପରପକ୍ଷରେ ଏହାର ଜବାବରେ ବିଜେଡି ବିଧାୟିକା ଲତିକା ପ୍ରଧାନ କହିଛନ୍ତି, ଲୋକଙ୍କ ଅଭିଯୋଗ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ୫ଟି ଏକ ଭଲ ପଦକ୍ଷେପ । ମୁଖ୍ୟମନ୍ତ୍ରୀ ଦେଇଥିବା ଦାୟିତ୍ୱ ୫ଟି ସଚିବ ସଠିକ ଭାବେ ତୁଲାଉଛନ୍ତି ।

ସେହିପରି ସୁନ୍ଦରଗଡ ସିଡିଏମଓଙ୍କ ଉପରେ ହୋଇଥିବା କାର୍ଯ୍ୟାନୁଷ୍ଠାନ ନେଇ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ସେ କହିଛନ୍ତି, କାର୍ଯ୍ୟାନୁଷ୍ଠାନ ନେବା ପୂର୍ବରୁ ସରକାରଙ୍କ ଭିତ୍ତିଭୂମି ସେଠାରେ ଠିକ୍ ଥିଲା କି ନାହିଁ ପ୍ରଥମେ ସଚିବ ତାହା ଅନୁଧ୍ୟାନ କରୁନ୍ତୁ । କେବଳ ଡାକ୍ତରଖାନା ଓ ଡକ୍ଟରଙ୍କୁ ଦୋଷ ଦେଇ ଲାଭ କଣ । ଭିତ୍ତିଭୂମି କେତେଦୂର ତିଆରି କରିଛନ୍ତି ସରକାର ପ୍ରଥମେ ତାକୁ ଦେଖନ୍ତୁ । ୨୦ ବର୍ଷ ସରକାର କାହିଁକି ଶିକ୍ଷା, ସ୍ୱାସ୍ଥ୍ୟ ଓ ଆଇନ କ୍ଷେତ୍ରରେ ଅବହେଳାକୁ ଉପଲବ୍ଧି କରିନଥିଲେ ତାର ଉତ୍ତର ଦିଅନ୍ତୁ ବୋଲି ନିରଞ୍ଜନ ପ୍ରଶ୍ନ କରିଛନ୍ତି ।

Leave a comment