ଗ୍ରୀଷ୍ମ ପ୍ରବାହ : ପଶ୍ଚିମ ଓଡ଼ିଶାର ୮ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

0

ଭୁବନେଶ୍ଵର (ଓଡ଼ିଶା ଫାଷ୍ଟ ବ୍ୟୁରୋ): ପଶ୍ଚିମ ଓଡ଼ିଶାର ୮ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଉତ୍ତର-ପଶ୍ଚିମ/ପଶ୍ଚିମ ଦିଗରୁ ଆସୁଥିବା ଉତ୍ତପ୍ତ ଶୁଷ୍କ ବାୟୁ ପ୍ରଭାବରେ ପଶ୍ଚିମ ଓଡ଼ିଶାର ୭ଟି ସହରରେ ପାରଦ ୪୪ ଡିଗ୍ରୀ ଅତିକ୍ରମ କରିଛି।

ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ଆଗାମୀ ୨୪ ଘଣ୍ଟା ପାଇଁ ପଶ୍ଚିମ ଓଡ଼ିଶାର ୮ ଜିଲ୍ଲାକୁ ଗ୍ରୀଷ୍ମ ପ୍ରବାହ ପାଇଁ ଚେତାବନୀ ଜାରି କରାଯାଇଛି। ଆସନ୍ତାକାଲି ପାଇଁ ମଧ୍ୟ ଏହି ୮ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସେହି ଜିଲ୍ଲାଗୁଡ଼ିକ ହେଉଛି- ସମ୍ବଲପୁର, ସୋନପୁର, ବରଗଡ଼, ବଲାଙ୍ଗିର, ନୂଆପଡ଼ା, ବୌଦ୍ଧ, ଝାରସୁଗୁଡ଼ା ଓ କଳାହାଣ୍ଡି। ଗତକାଲି ଟିଟିଲାଗଡ଼ର ତାପମାତ୍ରା ସର୍ବାଧିକ ୪୫.୨ ଡିଗ୍ରୀରେ ରେକର୍ଡ କରାଯାଇଥିଲା। ସେହିପରି ସମ୍ବଲପୁରର ତାପମାତ୍ରା ୪୪.୧ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ସୋନପୁରରେ ୪୪.୬, ବରଗଡ଼ରେ ୪୪, ବଲାଙ୍ଗିରରେ ୪୪.୩, ନୂଆପଡ଼ାରେ ୪୦, ବୌଦ୍ଧରେ ୪୩ ଓ ଝାରସୂଗୁଡ଼ାରେ ୪୪.୨ ଡିଗ୍ରୀ ରହିଥିଲା।

ପଶ୍ଚିମ ଓଡ଼ିଶାର ଅନ୍ୟାନ୍ୟ ସହର, ଯେମିତିକି ଭବାନୀପାଟଣାରେ ଗତକାଲି ଦିନର ସର୍ବାଧିକ ତାପମାତ୍ରା ୪୪.୬ ଡିଗ୍ରୀ ରହିଥିବା ବେଳେ ସୁନ୍ଦରଗଡ଼ରେ ୪୧ ଓ ହୀରାକୁଦରେ ୪୩.୬ ଡିଗ୍ରୀ ରହିଥିଲା। ଏହି ୮ଟି ଜିଲ୍ଲାବାସୀ ଆଜି ଦିନ ୧୧ଟାରୁ ଦିନ ୩ଟା ପର୍ୟ୍ୟନ୍ତ ଯଥାସମ୍ଭବ ଯାତାୟତରୁ ନିବୃତ ରହିବା ପାଇଁ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।

Leave a comment