ସୁମିତ-ତପସ୍ଵିନୀ ବିବାଦ ପ୍ରସଙ୍ଗ : ପରିବାରର ସୁରକ୍ଷା ଲୋଡି ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ ପ୍ରମୋଦ ସାହୁ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଡାକ୍ତର ସୁମିତ ସାହୁ ଓ ତପସ୍ଵିନୀ ଦାସ ବିବାଦ ପ୍ରସଙ୍ଗରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ ସୁମିତଙ୍କ ବାପା ପ୍ରମୋଦ ସାହୁ । ନିଜର ଓ ନିଜ ପରିବାରର ସୁରକ୍ଷା ଲୋଡି ସୁମିତଙ୍କ ବାପା ପ୍ରମୋଦ ମାମଲା ଦାୟର କରିଛନ୍ତି । ତାଙ୍କ ଏତଲା ଆଧାରରେ ପୋଲିସ କାର୍ଯ୍ୟାନୁଷ୍ଠାନ ନେଇନଥିବା ପିଟିସନରେ ଉଲ୍ଲେଖ କରିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, ଗତ ମାସ ୨୦ ତାରିଖରେ ପ୍ରମୋଦଙ୍କ ଘରେ ୩୦ରୁ ଉର୍ଦ୍ଧ୍ବ ମହିଳା ଧସେଇ ପସିଥିଲେ । ଯେଉଁଥିରେ ଥିଲେ ବୋହୂ ତପସ୍ଵିନୀ ଦାସ ଏବଂ ପ୍ରମିଳା ତ୍ରିପାଠୀ ମଧ୍ୟ ସାମିଲ ଥିଲେ ।

ସେପଟେ ପୁଣି ୧୫ଦିନ ଛୁଟି ଅବଧି ବଢାଇଛି ଡାକ୍ତର ସୁମିତ ସାହୁ । ମାନସିକ ଅବସ୍ଥା ଭଲ ନଥିବାରୁ ଛୁଟି ଅବଧି ବଢାଇ ଥିବା ନେଇ ସୁମିତଙ୍କ ଓକିଲ ସୂଚନା ଦେଇଛନ୍ତି। ଡିସେମ୍ବର ୧୦ରୁ ସେ ଅସୁସ୍ଥତା କାରଣରୁ ଛୁଟିରେ ଥିବାବେଳେ ଜାନୁଆରୀ ୭ରେ ତାଙ୍କ ଛୁଟି ସରିଥିଲା । କିନ୍ତୁ ସେ ଅସୁସ୍ଥ ଥିବା ଦର୍ଶାଇ ଆଉ ୧୫ ଦିନ ଛୁଟି ନେଇଛନ୍ତି । ଜାନୁଆରୀ ୭ରୁ ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ଛୁଟିରେ ରହିବେ ।

ଅନ୍ୟପଟେ ସୋମବାର ତପସ୍ବିନୀ ଶ୍ବଶୁର ଘରେ ରହିବା ପାଇଁ ବ୍ରହ୍ମପୁର ଏସ୍‌ଡିଜେଏମ୍‌ କୋର୍ଟରେ ଦାଖଲ ହୋଇଥିବା ପିଟିସନ୍‌ ଶୁଣାଣି ରହିଛି । ଏସ୍‌ଡିଜେଏମ୍‌ କୋର୍ଟ ପୂର୍ବରୁ ଏହି ପିଟିସନ୍‌ର ଶୁଣାଣି କରି ତପସ୍ବିନୀଙ୍କ ସମସ୍ତ ଦାୟିତ୍ବ ନେବାକୁ ସୁମିତକୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ସେ କୌଣସି ଦାୟିତ୍ବ ନେଇନଥିଲେ । କୋର୍ଟ ଅବମାନନା କରିବାରୁ ତପସ୍ବିନୀ ଜିଲ୍ଲା କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ଜିଲ୍ଲା କୋର୍ଟ ଗତ ୪ ତାରିଖରେ ଏହାର ଶୁଣାଣି କରି ତପସ୍ବିନୀଙ୍କୁ ବ୍ରହ୍ମାନଗର ସ୍ଥିତ ଶ୍ବଶୁର ଘରେ ରହିବାକୁ ଅନ୍ତରୀଣ ନିର୍ଦ୍ଦେଶ ଦେଇଛନ୍ତି ବୋଲି ତପସ୍ବିନୀଙ୍କ ଓକିଲ କହିଥିଲେ ।

Leave a comment