ସମ୍ କୋଭିଡ ହସ୍ପିଟାଲ୍ ଡାକ୍ତରଙ୍କ ସଫଳତା : କରୋନା ଓ ଅନ୍ୟ ଦୁଃସାଧ୍ୟ ରୋଗରୁ ସୁସ୍ଥ ହେଲେ ମହିଳା

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କରୋନା ଓ ଦୁଃସାଧ୍ୟ ବ୍ୟାଧିରୁ ସୁସ୍ଥ ହୋଇ ଘରକୁ ଫେରିଲେ । ସମ୍ କୋଭିଡ ହସ୍ପିଟାଲର ଡାକ୍ତରମାନଙ୍କ ନିରବଚ୍ଛିନ୍ନ ସେବା ଓ ଆପ୍ରାଣ ଉଦ୍ୟମ ଫଳରେ ନୂଆ ଜୀବନ ପାଇଛନ୍ତି କରୋନା ତଥା ଏକ ବିରଳ ରୋଗର ଶିକାର ହୋଇଥିବା ଜଣେ ମହିଳା ।
୪୦ ବର୍ଷିୟା ଏହି ମହିଳା ଜଣକ ସ୍ଥାନୀୟ ଅନ୍ୟ ଏକ ହସ୍ପିଟାଲରେ କରୋନା ସଂକ୍ରମଣ ନେଇ ଚିହ୍ନଟ ହେବାପରେ ସମ୍ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତରିତ ହୋଇଥିଲେ । ହସ୍ପିଟାଲ୍କୁ ଆସିବା ସମୟରେ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିବା ସହିତ ତାଙ୍କର ହୃତସ୍ପନ୍ଦନ ଦ୍ରୁତ, ଶ୍ୱାସପ୍ରକ୍ରିୟା ଉଚ୍ଚ ଓ ରକ୍ତ ଚାପ କମ ଥିଲା । ତାଙ୍କ ଶରୀରର ତାପମାତ୍ରା ମଧ୍ୟ ଅଧିକ ରହିଥିବାର ଦେଖିବାକୁ ମିଳିଥିଲା ବୋଲି କହିଛନ୍ତି ସମ୍ କୋଭିଡ ହସ୍ପିଟାଲସ୍ର ଚିଫ ନୋଡାଲ ଅଫିସର ଡାକ୍ତର ରାଜେଶ ଲେଙ୍କା । ତେବେ ହସ୍ପିଟାଲର ଅଭିଜ୍ଞ ଡାକ୍ତର, ନର୍ସ ଏବଂ ସ୍ୱାସ୍ଥ୍ୟକର୍ମଚାରୀ ମାନେ ଆପ୍ରାଣ ଚେଷ୍ଟା କରି ମହିଳା ଜଣଙ୍କର ସ୍ୱାସ୍ଥ୍ୟବସ୍ଥାକୁ ପ୍ରଥମେ ଆଇ.ସି.ୟୁରେ ସ୍ଥିର କରିବାକୁ ଚେଷ୍ଟା କରିଥିଲେ ବୋଲି ଡାକ୍ତର ଲେଙ୍କା କହିଛନ୍ତି ।
ପ୍ରାଥମିକ ପର୍ଯ୍ୟାୟରେ ସମ୍ପୃକ୍ତ ମହିଳା ଜଣଙ୍କର କରୋନା ଚିକିତ୍ସା ଆରମ୍ଭ କରାଯାଇଥିଲା । ଚିକିତ୍ସା ଦ୍ୱାରା ସେ ଧୀରେ ଧୀରେ ସୁସ୍ଥ ମଧ୍ୟ ହେବାରେ ଲାଗିଥିଲେ । ତେବେ କରୋନା ନେଇ ଚିକିତ୍ସା ସମୟରେ ସେ ସିଷ୍ଟମିକ ଲୁପସ ଏରିଥେମାଟୋସସ ବା ଲୁପସ ଭଳି ଗୁରୁତର ରୋଗରେ ପୀଡିତ ଥିବା ଜଣାପଡ଼ିଥିଲା ବୋଲି କହିଛନ୍ତି ସମ୍ କୋଭିଡ ହସ୍ପିଟାଲର କ୍ଲିନିକାଲ ମୁଖ୍ୟ ଡାକ୍ତର ସମୀର ସାହୁ । ମହିଳା ଜଣଙ୍କ ୩ ବର୍ଷ ଧରି ଲୁପସ ଭଳି ଗୁରୁତର ରୋଗରେ ପୀଡିତ ଥାଇ ଅନେକ ହସ୍ପିଟାଲକୁ ଚିକିତ୍ସା ନିମନ୍ତେ ଯାଇଥିଲେ । ମାତ୍ର ଏହି ରୋଗ ଚିହ୍ନଟ ହୋଇପାରିନଥିଲା । ତେବେ ସେ କରୋନା ସଂକ୍ରମିତ ହୋଇ ସମ୍ କୋଭିଡ ହସ୍ପିଟାଲରେ ଚିକିତ୍ସା ହେଉଥିବା ସମୟରେ ହିଁ ଡାକ୍ତରମାନେ ଏହି ରୋଗ ଚିହ୍ନଟ କରିଥିଲେ । ଏହି ରୋଗୀଙ୍କର ଚିକିତ୍ସା କରିବା ଏକ ଚ୍ୟାଲେଞ୍ଜ ଥିଲା ବୋଲି ଡାକ୍ତର ସାହୁ କହିଛନ୍ତି ।