ଗଡ଼ିଲାନି ଚକ, ରାଜପଥ ଶୂନଶାନ୍, ସଫଳ ହେଲା ବନ୍ଦ ଡାକରା

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ଦୁଇ ଦିନିଆ ଭାରତ ବନ୍ଦ ଡାକରା ଦିଆଯାଇଛି । କେନ୍ଦ୍ର ସରକାରଙ୍କ ଶ୍ରମିକ ମାରଣ ନୀତି ଅଭିଯୋଗରେ ୧୦ଟି ଶ୍ରମିକ ସଂଗଠନ ଏହି ବନ୍ଦ ଡାକରା ଦେଇଛି । ପ୍ରାୟ ୨୦ କୋଟି କର୍ମଚାରୀ ଏଥିରେ ସାମିଲ ହୋଇଛନ୍ତି । ଏହି ବନ୍ଦକୁ ଟେଲିକମ୍, କୋଇଲା, ଷ୍ଟିଲ୍, ବିଦ୍ୟୁତ୍, ବ୍ୟାଙ୍କ,ସ୍ୱାସ୍ଥ୍ୟ, ଶିକ୍ଷା, ବୀମା ଓ ପରିବହନ ସେକ୍ଟରର କର୍ମଚାରୀମାନେ ସମର୍ଥନ କରୁଥିବା ଟ୍ରେଡ୍ ୟୁନିୟନ୍ ପକ୍ଷରୁ କୁହାଯାଇଛି।
ସୂଚନା ଅନୁଯାୟୀ, ଆଜି ସକାଳୁ ସକାଳୁ ରାଜ୍ୟର ବିଭିନ୍ନ ସ୍ଥାନରେ ବନ୍ଦର ପ୍ରଭାବ ଦେଖାଦେଇଛି । ଭୁବନେଶ୍ୱର ଓ କଟକର ବିଭିନ୍ନ ଛକରେ ଆନ୍ଦୋଳନକାରୀ ଟାୟାର ଜାଳି ପିକେଟିଂ କରୁଥିବା ଦେଖିବାକୁ ମିଳିଥିଲା । ବନ୍ଦ ର ପ୍ରଭାବରେ ଗାଡ଼ି ମଟର ଚଳାଚଳ ବନ୍ଦଥିବାରୁ ରାସ୍ତାଘାଟ ପ୍ରାୟତଃ ଶୂନଶାନ୍ ପରିଲକ୍ଷିତ ହେଉଛି । ରେଳଷ୍ଟେସନରେ ଟ୍ରେନ୍ ଅଟକି ରହିଛି । ରାଜରାସ୍ତାର ଉଭୟ ପାର୍ଶ୍ଵରେ ଶହ ଶହ ଟ୍ରକ ଛିଡା ହୋଇଛି । ଟ୍ରେନ ଓ ବସ ଚଳାଚଳ ହେଉନଥିବାରୁ ଯାତ୍ରୀମାନେ ହଇରାଣ ହେଉଥିବା ଅଭିଯୋଗ କରିଛନ୍ତି । ବନ୍ଦକୁ ଦୃଷ୍ଟିରେ ରଖି ସମସ୍ତ ଶିକ୍ଷାନୁଷ୍ଠାନ ଓ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହିଛି ।
ବନ୍ଦ ଯୋଗୁଁ ପୁରୀରେ ଥିବା ପର୍ଯ୍ୟଟକ ନାନା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ଆସୁଛି । ଗୁଆହାଟୀ – ଥିରୁଅନନ୍ତପୁରମ ଏକ୍ସପ୍ରେସ୍ ବାଲେଶ୍ୱର ଷ୍ଟେସନରେ ଅଟକି ରହିଛି । ରାୟଗଡ଼ା ଜିଲ୍ଲାର ଗୁଣପୁରରେ ଦୋକାନ, ବଜାର ସହ ଗାଡ଼ି ଚଳାଚଳ ମଧ୍ୟ ବନ୍ଦ ରହିଛି । କୋରାପୁଟ ଜିଲ୍ଲାରେ ମଧ୍ୟ ବନ୍ଦ ର ପ୍ରଭାବ ଦେଖିବାକୁ ମିଳିଛି । ସହରରୁ ବିଭିନ୍ନ ସ୍ଥାନକୁ ବସ୍ ଚଳାଚଳ ବନ୍ଦ ରହିଛି । ବାଲେଶ୍ୱର ଜିଲ୍ଲାର ଜଳେଶ୍ୱର ଷ୍ଟେସନରେ ଖଡ଼ଗପୁର-ଖୋର୍ଦ୍ଧା ପାସେଞ୍ଜରକୁ ଅଟକାଇଛନ୍ତି ଆନ୍ଦୋଳକାରୀ ।
ସେହିପରି ସୁନ୍ଦରଗଡ଼ ଜିଲ୍ଲା ବଣାଇରେ ୬ଟି ରେଲୱେ ସାଇଡିଂ ବନ୍ଦ ରହିଛି । ଆନ୍ଦୋଳନକାରୀମାନେ ପିକେଟିଂ କରି ୨୧୫ ଓ ୧୪୩ ଜାତୀୟ ରାଜପଥ ଅବରୋଧ କରିଛନ୍ତି । ଦେଖିବାକୁ ଗଲେ ମୋଟାମୋଟି ଭାବେ ଭାରତ ବନ୍ଦ ସଫଳ ହୋଇଥିବା ପରିଲକ୍ଷିତ ହୋଇଛି ।