୨୭ ତାରିଖ ସୁଦ୍ଧା କ୍ଷୟକ୍ଷତି ରିପୋର୍ଟ ଦାଖଲ କର
ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ଦ୍ୱାରା ଜାରି ଏନ୍ଡିଆର୍ଏଫ୍/ଏସ୍ଡିଆର୍ଏଫ୍ର ମାର୍ଗଦର୍ଶିକା ଅନୁସାରେ ବନ୍ୟା ପ୍ରଭାବିତ ଅଞ୍ଚଳରେ ଫସଲ କ୍ଷୟକ୍ଷତିର ତୁରନ୍ତ ଆକଳନ ଆରମ୍ଭ କର । ଚଳିତ ମାସ ୨୭ ତାରିଖ ସୁଦ୍ଧା କ୍ଷୟକ୍ଷତି ରିପୋର୍ଟ ଦାଖଲ କରିବା ପାଇଁ କ୍ଷେତ୍ରାଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ବନ୍ୟାରେ ଖରିଫ୍ ଫସଲର ସ୍ଥିତି ଏବଂ ମତ୍ସ୍ୟ ଓ ପ୍ରାଣୀଧନର ସୁରକ୍ଷା ପାଇଁ ନିଆଯାଉଥିବା ପଦକ୍ଷେପ ଓ ବିଭିନ୍ନ ଜିଲ୍ଲାରେ ବନ୍ୟା ସ୍ଥିତି ସମ୍ପର୍କରେ ଅନୁଷ୍ଠିତ ସମୀକ୍ଷା ବୈଠକରେ କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏହି ନିର୍ଦ୍ଦେଶ ଦେଇଛନ୍ତି।
ଯେଉଁଠାରେ ବନ୍ୟାଜଳ ଛାଡ଼ି ନଥିବ ଏବଂ କ୍ଷୟକ୍ଷତିର ଆକଳନ ସମ୍ଭବ ହେଉନଥିବ, ସେ କ୍ଷେତ୍ରରେ ଚଳିତ ମାସ ୩୦ ତାରିଖ ସୁଦ୍ଧା ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହାସହ କ୍ଷତିଗ୍ରସ୍ତ ଉଠାଜଳସେଚନ ପଏଣ୍ଟ୍ଗୁଡ଼ିକର ରିପୋର୍ଟ ମଧ୍ୟ ଦାଖଲ କରିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ନିର୍ଦ୍ଦେଶ ଦେଇଛନ୍ତି । ବନ୍ୟା ପ୍ରଭାବିତ ଅଞ୍ଚଳରେ ସଅଳ କିସମର ଧାନ ବିହନର ଆବଶ୍ୟକତା ଏବଂ ଅଣଧାନ ଫସଲ, ପନିପରିବା ବିହନର ଆବଶ୍ୟକତା ଆକଳନ କରି ସମ୍ପୃକ୍ତ ନିର୍ଦ୍ଦେଶାଳୟଗୁଡ଼ିକୁ ଜଣାଇବା ପାଇଁ କୁହାଯାଇଛି । ବନ୍ୟା ପରିସ୍ଥିତିରେ ଫସଲରେ ରୋଗପୋକ ଲାଗିବାର ଆଶଙ୍କା ଥିବାରୁ ରୋଗପୋକ ନିରୀକ୍ଷଣ ଓ ନିୟନ୍ତ୍ରଣ ବ୍ୟବସ୍ଥାକୁ ତ୍ୱରାନ୍ୱିିତ କରିବା ପାଇଁ କୁହାଯାଇଛି ।
କଟକ, ଖୋର୍ଦ୍ଧା, କେନ୍ଦ୍ରାପଡ଼ା, ଜଗତସିଂହପୁର ଏବଂ ପୁରୀ ଜିଲ୍ଲାର ଉଭୟ ସରକାରୀ ଓ ବେସରକାରୀ ମତ୍ସ୍ୟ ଫାର୍ମଗୁଡ଼ିକର କ୍ଷୟକ୍ଷତିର ସଠିକ ଆକଳନ କରିବେ । ସମସ୍ତ କ୍ଷୟକ୍ଷତିର ରିପୋର୍ଟ ୨୭ ତାରିଖ ସୁଦ୍ଧା ଦାଖଲ କରିବେ । ବନ୍ୟା ପରବର୍ତ୍ତୀ ପରିସ୍ଥିତିରେ କୌଣସି ରୋଗ ବ୍ୟାପିବାକୁ ଏଡ଼ାଇବା ପାଇଁ ବ୍ୟାପକ ଚିକିତ୍ସା ଓ ଟୀକାକରଣ ଶିବିର ଆୟୋଜନ କରିବା ପାଇଁ କ୍ଷେତ୍ର ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । କୃଷିମନ୍ତ୍ରୀ ଶ୍ରୀ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ବିଭାଗୀୟ ପ୍ରମୁଖ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀଙ୍କ ସମେତ ସମସ୍ତ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଓ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ ।