ଶୁଭେନ୍ଦୁଙ୍କ ସହ ରାଜ୍ୟପାଳଙ୍କୁ ଭେଟିଲେ ୫୧ ବିଧାୟକ, ୨୩ ବିଜେପି ବିଧାୟକଙ୍କ ଅନୁପସ୍ଥିତିକୁ ନେଇ ଚର୍ଚ୍ଚା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପରେ ବିଜେପିରେ ଆଭ୍ୟନ୍ତରୀଣ କନ୍ଦଳ ବଢିବାରେ ଲାଗିଛି। ଜଣେ ପରେ ଜଣେ ନେତା ବିଜେପି ଛାଡି ଟିଏମସିରେ ଯୋଗ ଦେବାରେ ଲାଗିଛନ୍ତି। ଏହା ମଧ୍ୟରେ ସୋମବାର ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ରାଜ୍ୟପାଳ ଜଗଦୀପ ଧନକଡଙ୍କୁ ଭେଟିଛନ୍ତି। ହେଲେ ତାଙ୍କ ସହ ୭୪ ବିଧାୟକଙ୍କ ମଧ୍ୟରୁ ୫୧ ବିଧାୟକ ହିଁ ରାଜଭବନ ଯାଇଥିଲେ। ବାକି ବିଧାୟକ ନଯିବା ଏବଂ ଏହି ପୂରା ଘଟଣାକ୍ରମ ରାଜ୍ୟ ବିଜେପିରେ କୌଣସି ବଡ ବିଦ୍ରୋହ ଚାଲିଥିବାର ସଙ୍କେତ ଦେଇଛି।

ପଶ୍ଚିମବଙ୍ଗ ବିଧାନସଭାର ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ରାଜ୍ୟ ନିର୍ବାଚନ ଫଳାଫଳ ଘୋଷଣା ପରେ ଘଟିଥିବା ହିଂସାକାଣ୍ଡ ବିଷୟରେ ଆଲୋଚନା ପାଇଁ ରାଜ୍ୟପାଳଙ୍କୁ ଭେଟିବାକୁ ରାଜଭବନ ଯାଇଥିଲେ। ତାଙ୍କ ସହ ଥିଲେ ବିଜେପିର ୫୧ ବିଧାୟକ। ହେଲେ ବିଧାନସଭାରେ ପାର୍ଟିର ମୋଟ୍ ବିଧାୟକଙ୍କ ସଂଖ୍ୟା ହେଉଛି ୭୪।

କଣ ପାଇଁ ଆସିଲେ ନାହିଁ ବାକି ୨୩ ବିଧାୟକ

ଗୁରୁତ୍ଵପୂର୍ଣ୍ଣ କଥା ରାଜ୍ୟପାଳଙ୍କୁ ଭେଟିବା ପାଇଁ କେବଳ ୫୧ ଜଣ ବିଧାୟକଙ୍କୁ ହିଁ ବିଜେପି ରାଜଭବନ ନେବାରେ ସକ୍ଷମ ହୋଇଛି। ବାକି ୨୩ ବିଧାୟକ ଶୁଭେନ୍ଦୁଙ୍କ ସହ ଆସିନଥିଲେ। ଏହାକୁ ନେଇ ପଶ୍ଚିମବଙ୍ଗ ରାଜନୀତିରେ ଚର୍ଚ୍ଚା ଜୋର। ଏହି ଘଟଣା ସେହି ସମୟର ଘଟିଛି ଯେବେ ତୃଣମୂଳ କଂଗ୍ରେସ ଛାଡି ବିଜେପିକୁ ଆସିଥିବା ନେତାଙ୍କ ଟିଏମସିକୁ ଘର ବାହୁଡା ଆରମ୍ଭ ହୋଇ ଯାଇଛି।

ଟିଏମସି ଛାଡି ବିଜେପିକୁ ଆସିଥିବା ମୁକୁଲ ରୟ ନିକଟରେ ପୁଣି ଥରେ ମମତା ବାନାର୍ଜୀଙ୍କ ଦଳକୁ ଫେରି ଯାଇଛନ୍ତି। ଭାରତୀୟ ଜନତା ପାର୍ଟିର ଆଉ କିଛି ନେତା ଟିଏମସିରେ ମିଶିବା ପାଇଁ ଯୋଗାଯୋଗ ଚଳାଇଥିବା କୁହାଯାଉଛି। ସାଂପ୍ରତିକ ସ୍ଥିତିକୁ ଦେଖିଲେ ଆହୁରି ଅନେକ ବିଧାୟକ ଟିଏମସିରେ ଶୀଘ୍ର ମିଶିବାର ସମ୍ଭାବନାକୁ ଏଡାଇ ଦିଆଯାଇପାରିବ ନାହିଁ। କିନ୍ତୁ ପାର୍ଟିରେ କୌଣସି ବିଦ୍ରୋହ ନଥିବା କହିଛି ବିଜେପି। କିନ୍ତୁ ଶୁଭେନ୍ଦୁଙ୍କ ସହ ରାଜଭବନ ଯାଇନଥିବା ବିଧାୟକଙ୍କ ବିଷୟରେ କିଛି କହିବାକୁ ଦଳ ମନା କରି ଦେଇଛି।

Leave a comment