ଜଣେ ଅହଂକାରୀ ବ୍ୟକ୍ତି ଚଳାଉଛନ୍ତି ରାଜ୍ୟ ବିଜେପି: ସୁବାସ ଚୌହ୍ୱାନ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଟିକେଟ ବଣ୍ଟନକୁ ନେଇ ସମସ୍ତ ଦଳରେ ଅସନ୍ତୋଷଙ୍କ ସଂଖ୍ୟା ବଢିବାରେ ଲାଗିଛି । ଅସନ୍ତୁଷ୍ଟ ନେତା ଦଳ ଛାଡିବାରେ ଲାଗିଛନ୍ତି । ଆଜି ବିଜେପି ରାଜ୍ୟ ଉପସଭାପତି ସୁବାସ ଚୌହ୍ୱାନ ବିଜେପିରୁ ଇସ୍ତଫା ଦେଇଛନ୍ତି । ବରଗଡ଼ ଲୋକସଭା ଆସନରୁ ସୁବାସଙ୍କ ଟିକେଟ୍ କଟିବା ପରେ ସେ ଗତକାଲି ତୀବ୍ର ଅସନ୍ତୋଷ ପ୍ରକାଶ କରିବା ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜେପୁରରୁ ନିର୍ବାଚନ ଲଢ଼ିବାକୁ ଆହ୍ୱାନ କରିଥିଲେ ।
ସୂଚନା ଅନୁଯାୟୀ, ଗତ ନିର୍ବାଚନରେ ସୁବାସ ୩ ଲକ୍ଷ ୭୨ ହଜାର ଭୋଟ ପାଇଥିଲେ । ବିଗତ ୫ ବର୍ଷ ଧରି ଲୋକଙ୍କ ସହ ଯୋଡ଼ି ହୋଇ ରହିଥିଲେ । କିନ୍ତୁ ତାଙ୍କୁ ଟିକେଟ ଦିଆଗଲା ନାହିଁ ଏହା ତାଙ୍କ ପାଇଁ ବଡ଼ ଅପମାନଜନକ ପରିସ୍ଥିତି ଆଣିଲା । ଗତକାଲି ସୁବାସ ସେଥିପାଇଁ ଅସନ୍ତୋଷ ବ୍ୟକ୍ତ କରବାସହ ସେ ଦଳ ଛାଡିବେ ନାହିଁ ବୋଲି କହିଥିଲେ । ମାତ୍ର ଆଜି ହଠାତ ସେ ଦଳ ଛାଡ଼ିବା ପାଇଁ ନିଷ୍ପତ୍ତି ନେବାସହ ଭୁବନେଶ୍ୱର ବିଜେପି ପାର୍ଟି ଅଫିସ ଆସି ନିଜ ଇସ୍ତଫା ପତ୍ର ପ୍ରଦାନ କରିଥିଲେ । ଏହାପରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହା ପରିପ୍ରକାଶ କରିବା ବେଳେ ଶ୍ରୀ ଚୌହ୍ୱାନ ଭାବବିହ୍ଵଳ ହୋଇ କାନ୍ଦି ପକାଇଥିଲେ । ସୁବାସ ବଜେପିର ଜଣେ ବରିଷ୍ଠ ନେତା ସହ ନିଷ୍ଠାପର କର୍ମୀ ଭାବେ ୩୦ବର୍ଷ ହେବ କାର୍ଯ୍ୟ କରି ଆସୁଥିଲେ । ତାଙ୍କର ଦଳ ଛାଡିବା ନିଷ୍ପତ୍ତି ବିଜେପି ପାଇଁ ନିଶ୍ଚୟ ଚିନ୍ତାର ବିଷୟ ହେବବୋଲି ଅଞ୍ଚଳବାସୀ ଚର୍ଚ୍ଚା କରୁଥିବା ଶୁଣିବାକୁ ମିଳୁଛି।