ଏଣିକି ଛାତ୍ରଛାତ୍ରୀଙ୍କୁ ମିଳିବ ସ୍କୁଲ ଯାତାୟାତ ଖର୍ଚ୍ଚ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟରେ ୧୦ ଜଣରୁ କମ ଛାତ୍ରଛାତ୍ରୀ ଥିବା ୯୬୬ଟି ପ୍ରାଥମିକ ବିଦ୍ୟାଳୟକୁ ବନ୍ଦ କରିବାକୁ ନେଇ ଘୋଷଣା ହୋଇଛି । ତେଣୁ ଏହି ସବୁ ସ୍କୁଲରେ ପାଠ ପଢ଼ୁଥିବା ଛାତ୍ରଛାତ୍ରୀମାନେ ନିକଟସ୍ଥ ସ୍କୁଲ୍ରେ ପଢ଼ିବେ ଓ ସେମାନଙ୍କ ଯାତାୟାତ ଖର୍ଚ୍ଚ ସରକାର ବହନ କରିବେ ।
ସୂଚନା ଅନୁଯାୟୀ, ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଆଜି କହିଛନ୍ତି, “୧୦ରୁ କମ୍ ଛାତ୍ରଛାତ୍ରୀ ଥିବା ୯୬୬ଟି ପ୍ରାଥମିକ ବିଦ୍ୟାଳୟ ଚିହ୍ନଟ କରାଯାଇଛି । ଯାହାକୁ ଚଳିତ ଶିକ୍ଷା ବର୍ଷରୁ ବନ୍ଦ କରି ଦିଆଯାଇଛି । ଏହି ସବୁ ସ୍କୁଲ୍ରେ ଯେଉଁ ପିଲାମାନେ ପଢ଼ୁଥିଲେ ସେମାନେ ପାଖ ସ୍କୁଲ୍ରେ ପଢ଼ିବେ ଓ ସେହି ପିଲାମାନଙ୍କର ଯାତାୟାତ ଖର୍ଚ୍ଚ ସରକାର ବହନ କରିବେ । ଯଦି ଘରଠାରୁ ସ୍କୁଲ୍ ୧ କି.ମି.ରୁ ଅଧିକ ଦୂର ହୋଇଥିବ, ସେମାନଙ୍କୁ ଯାତାୟାତ ଖର୍ଚ୍ଚ ମିଳିବ । ଏହି ଅର୍ଥ ଅଭିଭାବକଙ୍କ ଆକାଉଣ୍ଟକୁ ଯିବ ।”
ସେହିପରି ଶ୍ରୀ ଦାଶ ଆହୁରି ମଧ୍ୟ କହିଛନ୍ତି, “ ଯେଉଁ ଛାତ୍ରଛାତ୍ରୀମାନଙ୍କର ସ୍କୁଲରେ ୭୫%ରୁ ଅଧିକ ଉପସ୍ଥାନ ଥିବ, ସେମାନଙ୍କୁ ମାସିକ ୬୦୦ ଟଙ୍କା ହିସାବରେ ଦଶ ମାସକୁ ମୋଟ ଛଅ ହଜାର ଟଙ୍କା ଦିଆଯିବ । ସେହିଭଳି ଯେଉଁ ଛାତ୍ରଛାତ୍ରୀମାନଙ୍କର ୫୦ରୁ ୭୪% ଉପସ୍ଥାନ ଥିବ ସେମାନଙ୍କୁ ମାସକୁ ୪୦୦ ଟଙ୍କା ସହାୟତା ମିଳିବ । ଯେଉଁ ଛାତ୍ରଛାତ୍ରୀଙ୍କର ୩୦ରୁ ୪୯% ଉପସ୍ଥାନ ଥିବ ସେମାନଙ୍କୁ ମାସିକ ୩୦୦ ଟଙ୍କା ମିଳିବ ।” ତେବେ ଯେଉଁ ଛାତ୍ରଛାତ୍ରୀମାନଙ୍କର ଉପସ୍ଥାପନା ୩୦%ରୁ କମ୍ ରହିଥିବ, ସେମାନଙ୍କୁ ଯାତାୟାତ ଖର୍ଚ୍ଚ ମିଳିବ ନାହିଁ ବୋଲି ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି । ୯୬୬ଟି ସ୍କୁଲର ଶିକ୍ଷକମାନଙ୍କୁ ଶିକ୍ଷକଙ୍କ ଅଭାବ ଥିବା ସ୍କୁଲଗୁଡ଼ିକୁ ବଦଳି କରାଯିବ ।