ଏକକାଳୀନ ଦୁଇଟି ଡିଗ୍ରୀ କୋର୍ସ କରିପାରିବେ ଛାତ୍ର: ୟୁଜିସି
ନୂଆଦିଲ୍ଲୀ : ଏଣିକି ଜଣେ ଛାତ୍ର ଏକ ସମୟରେ ଦୁଇଟି ଡିଗ୍ରୀ କୋର୍ସ କରିପାରିବେ । ଏଥିପାଇଁ ୟୁଜିସି ଅନୁମତି ପ୍ରଦାନ କରିବ ବୋଲି ଏହାର ଅଧ୍ୟକ୍ଷ ଏମ୍ ଜଗଦୀଶ କୁମାର ମଙ୍ଗଳବାର ଘୋଷଣା କରିଛନ୍ତି । ସେ କହିଛନ୍ତି, ଫିଜିକାଲ୍ ମୋଡ୍ରେ ଜଣେ ଛାତ୍ର ଏକସମୟରେ ଗୋଟିଏ କିମ୍ବା ଭିନ୍ନ ଭିନ୍ନ ବିଶ୍ୱବିଦ୍ୟାଳୟରେ ଦୁଇଟି ପୂର୍ଣ୍ଣକାଳୀନ ଡିଗ୍ରୀ କୋର୍ସ କରିପାରିବେ । ୟୁଜିସି ଏ ସମ୍ପର୍କରେ ଖୁବ୍ଶୀଘ୍ର ବିସ୍ତୃତ ଗାଇଡ୍ଲାଇନ୍ ଜାରି କରିବ ।
ଏକ ସାମ୍ବାଦିକ ସମ୍ମିଳନୀରେ କୁମାର କହିଛନ୍ତି, ନୂଆ ଶିକ୍ଷାନୀତିରେ କରାଯାଇଥିବା ଘୋଷଣା ଅନୁସାରେ ଏବଂ ଛାତ୍ରଙ୍କୁ ବିଭିନ୍ନ କୌଶଳ ହାସଲ ପାଇଁ ଅନୁମତି ଦେବାକୁ ୟୁଜିସି ନୂଆ ଗାଇଡ୍ଲାଇନ୍ ଆଣିବାକୁ ଯାଉଛି । ଫିଜିକାଲ୍ ଏବଂ ଅନ୍ଲାଇନ୍ ଉଭୟ ମୋଡ୍ରେ ଏହି ଅନୁମତି ମିଳିବ ବୋଲି ସେ କହିଛନ୍ତି ।