ସ୍ଥାୟୀ ବେଞ୍ଚ ସ୍ଥାପନ ଦାବି, ପଶ୍ଚିମ ଓଡିଶା ଠପ ଟ୍ରେନ ଚଳାଚଳ ବାଧାପ୍ରାପ୍ତ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ୍ ପ୍ରତିଷ୍ଠା ଦାବିରେ ଦିଆଯାଇଥିବା ମହାବନ୍ଦ ଡାକରାର ଆଜି ହେଉଛି ଦ୍ୱିତୀୟ ଦିନ । ଏଥିରେ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାର ବାର୍ ଆସୋସିଏସନ୍ ଏବଂ ଅନ୍ୟାନ୍ୟ ସାମାଜିକ ସଂଗଠନ ସାମିଲ ହୋଇଛନ୍ତି । ବନ୍ଦ ପାଳନ ଯୋଗୁଁ ଗୁରୁବାର ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ସମ୍ବଲପୁର, ହୀରାକୁଦ ସହର ଭଳି ସ୍ଥାନଗୁଡ଼ିକରେ ରେଳରୋକ ଯୋଗୁଁ ପ୍ରାୟ ୧୧ ଟ୍ରେନକୁ ବାତିଲ କରାଯାଇଥିବା ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ମିଳିଛି । ସେହିଭଳି ଅନ୍ୟ କିଛି ଟ୍ରେନ୍‌କୁ ଆଂଶିକ ବାତିଲ ଏବଂ କିଛି ଟ୍ରେନ ଗତିପଥ ପରିବର୍ତ୍ତନ କରାଯାଇଛି ।

ସମ୍ବଲପୁର-ରାୟଗଡ଼ା-ସମ୍ବଲପୁର, ସମ୍ବଲପୁର-ପୁରୀ-ସମ୍ବଲପୁର ଇଣ୍ଟରସିଟି, ଭୁବନେଶ୍ୱର-ବଲାଙ୍ଗୀର-ଭୁବନେଶ୍ୱର ଇଣ୍ଟରସିଟିକୁ ଉଭୟ ଦିଗରୁ ବାତିଲ କରାଯାଇଛି । ବାତିଲ ହୋଇଥିବା ଅନ୍ୟ ଟ୍ରେନଗୁଡିକ ମଧ୍ୟରେ ସମ୍ବଲପୁର-ଝାରସୁଗୁଡା ପାସେଞ୍ଜର, ସମ୍ବଲପୁର-କୋରାପୁଟ-ଜୁନାଗଡ଼ ରୋଡ଼ ପାସେଞ୍ଜର, ଟିଟଲାଗଡ-ସମ୍ବଲପୁର ପାସେଞ୍ଜର, ସମ୍ବଲପୁର-ଜମ୍ମୁ ତାଓ୍ବି ଏକ୍ସପ୍ରେସ, ରାଉରକେଲା-ସମ୍ବଲପୁର-ପାସେଞ୍ଜର, ବିଲାସପୁର-ଟିଟଲାଗଡ଼ ପାସେଞ୍ଜର ଭାୟା ସମ୍ବଲପୁର, ରାଉରକେଲା-କୋରାପୁଟ ଏକ୍ସପ୍ରେସ, କୋରାପୁଟ-ରାଉରକେଲା ଏକ୍ସପ୍ରେସ ରହିଛି । 

ସମ୍ବଲପୁର, ଦେବଗଡ଼, ଝାରସୁଗୁଡ଼ା, ସୁବର୍ଣ୍ଣପୁର ଓ ସୁନ୍ଦରଗଡ଼ ଜିଲ୍ଲା ଏହି ମହାବନ୍ଦରେ ସାମିଲ ହୋଇଥିବା ବେଳେ ବଲାଙ୍ଗିର, ନୂଆପଡ଼ା ଓ କଳାହାଣ୍ଡି ଜିଲ୍ଲା ଏଥିରେ ସାମିଲ ହୋଇ ନାହାନ୍ତି । ସେହିଭଳି ବରଗଡ଼ ଓ ରାଉରକେଲା ସହରରେ ମହାବନ୍ଦର ପ୍ରଭାବ ପଡ଼ିନାହିଁ । ଦୁଇ ଦିନିଆ ମହାବନ୍ଦ ପରେ ବି ଯଦି ସ୍ଥାୟୀ ବେଞ୍ଚ୍ ପ୍ରତିଷ୍ଠା ପାଇଁ ପଦକ୍ଷେପ ନିଆ ନ ଯାଏ, ତା’ହେଲେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ କୁହାଯାଇଛି ।

Leave a comment