ରକ୍ତ କର୍କଟ ରୋଗୀଙ୍କ ଶରୀରରେ କ୍ରାୟୋପ୍ରିଜରଭେସନ୍ ପଦ୍ଧତିରେ ଷ୍ଟେମ୍ ସେଲ୍ ପ୍ରତ୍ୟାରୋପଣ

ସମ୍ ହସ୍ପିଟାଲ୍‌ର ସଫଳତା

0

ଭୁବନେଶ୍ୱର : ଓଡ଼ିଶାରେ ପ୍ରଥମ ଥର ପାଇଁ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ଜଣେ ଲିମ୍ଫୋମା ରୋଗୀଙ୍କ ଶରୀରରେ ସଫଳତାର ସହ ଅଟୋଲଗସ୍ ଷ୍ଟେମ୍ ସେଲ୍ ପ୍ରତ୍ୟାରୋପଣ କରାଯାଇଛି । ଜଟିଳ ବୋନ୍‌ମ୍ୟାରୋ ପ୍ରତ୍ୟାରୋପଣ ଦ୍ୱାରା ଓ ଅତ୍ୟାଧୁନିକ କ୍ରାଇଓପ୍ରିଜରଭେସନ୍ ପ୍ରକ୍ରିୟାରେ ଜଣେ ୩୩ ବର୍ଷୀୟ ଲିମ୍ଫୋମା (ଏକ ପ୍ରକାର ରକ୍ତ କର୍କଟ ରୋଗ)ରେ ପୀଡ଼ିତ ଥିବା ଯୁବକଙ୍କର ସଫଳ ଚିକିତ୍ସା କରାଯାଇଥିବା ସୋମବାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ହସ୍ପିଟାଲ୍‌ର କ୍ଲିନିକାଲ ହେମାଟୋଲୋଜି ଏବଂ ହେମାଟୋ ଅଙ୍କୋଲୋଜି ବିଭାଗର ମୁଖ୍ୟ ପ୍ରଫେସର (ଡାକ୍ତର) ପ୍ରିୟଙ୍କା ସାମଲ ।

ଷ୍ଟେମ୍ ସେଲ୍ ପ୍ରତ୍ୟାରୋପଣ ପ୍ରକ୍ରିୟା ବ୍ୟବହାର କରିବାରେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ହେଉଛି ଓଡ଼ିଶାର ପ୍ରଥମ ହସ୍ପିଟାଲ୍ । ଯଦିଓ ସମ୍‌ରେ ୨୦୧୮ରେ ଏହି ପ୍ରକ୍ରିୟା ଆରମ୍ଭ ହୋଇଛି ତେବେ ପ୍ରଥମ ଥର ପାଇଁ ଜଣେ ଲିମ୍ଫୋମା ରୋଗୀଙ୍କ ଶରୀରରେ କ୍ରାଇଓପ୍ରିଜରଭେସନ୍ ଜରିଆରେ ଷ୍ଟେମ୍ ସେଲ୍ ପ୍ରତ୍ୟାରୋପଣ କରାଯାଇଛି ବୋଲି ପ୍ରଫେସର ସାମଲ କହିଛନ୍ତି । ଯଦିଓ କୋଭିଡ ମହାମାରୀ ଯୋଗୁଁ ଅନେକ ମାସ ଧରି ବିଭିନ୍ନ ସ୍ୱାସ୍ଥ୍ୟସେବାରେ ବ୍ୟାହତ ହୋଇଥିଲା ତଥାପି ଗତ ୧୮ ମାସ ମଧ୍ୟରେ ମାଇଲୋମା ଏବଂ ଲ୍ୟୁକୋମିଆ ଭଳି ରକ୍ତ ଜନିତ କ୍ୟାନ୍‌ସର ଥିବା ୨୫ ଜଣ ରୋଗୀଙ୍କ ଶରୀରରେ ଏହି ଡାକ୍ତରଖାନାରେ ଷ୍ଟେମ୍ ସେଲ୍ ପ୍ରତ୍ୟାରୋପଣ କରାଯାଇଥିବା ପ୍ରଫେସର ସାମଲ କହିଛନ୍ତି । ଏହି ପ୍ରକ୍ରିୟାରେ ଚିକିତ୍ସିତ ହୋଇଥିବା ସମସ୍ତ ରୋଗୀ ବର୍ତ୍ତମାନ ପର୍ଯ୍ୟନ୍ତ ସୁସ୍ଥ ଅଛନ୍ତି ।

ଏହି ପ୍ରତ୍ୟାରୋପଣ ଟିମ୍ ନିରନ୍ତର ଗୁଣାବତା ତଦାରଖ କରିବା ସହ କ୍ରାଇଓପ୍ରିଜରଭେସନ୍ ପ୍ରକ୍ରିୟାରେ ଚିକିତ୍ସା କରିଥିଲେ । ୟୋପ୍ରିଜରଭେସନ୍ ଏଭଳି ଏକ ପ୍ରକ୍ରିୟା ଯେଉଁଥିରେ ଶରୀରର ସେଲ୍ ଏବଂ ଟିସ୍ୟୁଗୁଡ଼ିକ ମାଇନସ୍ ୮୦ ଡିଗ୍ରୀ ସେଲ୍‌ସିୟସ୍ ଭଳି ଅତି କମ୍ ତାପମାତ୍ରାରେ ଭବିଷ୍ୟତରେ ବ୍ୟବହାର ପାଇଁ ସଂରକ୍ଷିତ କରି ରଖାଯାଇଥାଏ । ଶରୀରର କୋଷିକାଗୁଡ଼ିକ ଦୁଇ କିମ୍ବା ତିନି ଦିନ ପାଇଁ ବ୍ୟବହାର ଯୋଗ୍ୟ ମାତ୍ର ଏହି ପ୍ରକ୍ରିୟାରେ ଅନେକ ମାସ ପର୍ଯ୍ୟନ୍ତ ଏହା ସଂରକ୍ଷିତ କରି ରଖାଯାଇପାରେ ବୋଲି ସେ କହିଛନ୍ତି ।

Leave a comment