ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଚିଠି ଲେଖିଲେ ରାଜ୍ୟ ପରିବହନ ମନ୍ତ୍ରୀ ଟୁକୁନି ସାହୁ

0

କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ରାଜ୍ୟ ପରିବହନ ମନ୍ତ୍ରୀ ଟୁକୁନି ସାହୁଙ୍କ ଚିଠି ଲେଖିଛନ୍ତି । ‘ବନ୍ଦେ ଭାରତ’ ଏକ୍ସପ୍ରେସ୍‌ ନେଇ ଚିଠି ଲେଖିଛନ୍ତି ପରିବହନ ମନ୍ତ୍ରୀ । ୩ଟି ରୁଟ୍‌ରେ ‘ବନ୍ଦେ ଭାରତ’ ଏକ୍ସପ୍ରେସ୍‌ ଚଳାଚଳ ପାଇଁ ଚିଠି ଲେଖି ଦାବି କରିଛନ୍ତି ମନ୍ତ୍ରୀ ଟୁକୁନି ସାହୁ। ପୁରୀ-ହାୱଡା ମଧ୍ୟରେ ‘ବନ୍ଦେ ଭାରତ’ ଚଳାଚଳ ପାଇଁ ଦାବି କରାଯାଇଥିବା ବେଳେ ପୁରୀ-ରାୟପୁର ଭାୟା ରାଉରକେଲା- ସମ୍ବଲପୁର ମଧ୍ୟରେ ଚଳାଚଳ ଲାଗି ଦାବି ହୋଇଛି। ସେହିପରି ଭୁବନେଶ୍ୱର-ହାଇଦ୍ରାବାଦ ମଧ୍ୟରେ ଚଳାଚଳ ପାଇଁ ଦାବି ହୋଇଛି।

ସୂଚନା ଅନୁଯାୟୀ, ଓଡ଼ିଶାରେ ପରୀକ୍ଷାମୂଳକ ଭାବେ ଆଜି ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ଗଡିଛି । ହାୱଡା-ପୁରୀ ବନ୍ଦେ ଭାରତ ଏକ୍ସପ୍ରେସ ଆଜି ସକାଳ ୬.୧୦ରେ ହାୱଡାରୁ ବାହାରିଥିଲା । ପୁରୀରେ ପହଞ୍ଚିବାକୁ ପ୍ରାୟ ୬ ଘଣ୍ଟା ଲାଗିବ ବୋଲି ରେଳବାଇ ପକ୍ଷରୁ କୁହାଯାଇଛି । ମଧ୍ୟାହ୍ନ ପ୍ରାୟ ୧୨.୩୫ ବେଳକୁ ଏହା ପୁରୀରେ ପହଞ୍ଚିବ । ଟ୍ରେନ ପୁଣି ପୁରୀରୁ ୧.୫୦ରେ ବାହାରିବ ଏବଂ ହାୱଡାରେ ୮.୩୦ରେ ପହଞ୍ଚିବ । ବାଟରେ ଖଡଗପୁର, ବାଲେଶ୍ୱର, ଭଦ୍ରକ, ଜାଜପୁର, କେନ୍ଦୁଝର ରୋଡ, କଟକ, ଭୁବନେଶ୍ୱର ଏବଂ ଖୋର୍ଦ୍ଧା ଷ୍ଟେଶନରେ ୨ ମିନିଟ ପାଇଁ ରହିବ । ଏହି ବନ୍ଦେ ଭାରତ ଟ୍ରେନରେ ୧୬ଟି ବଗି ସଂଯୋଗ କରା ଯାଇଥିଲା । ଖଡକପୁର ଇଊଜଗ ଗିରିଶ କୁମାରଙ୍କ ନେତୃତ୍ବରେ ଏହି ଟ୍ରେନ ଆସିଥିଲା । ଏହି ଟ୍ରେନ ଭଦ୍ରକରେ ପହଞ୍ଚିବା ପରେ ଭଦ୍ରକ ରେଲୱେ ବିଭାଗ ସମସ୍ତ କର୍ମଚାରୀ ଉପସ୍ଥିତ ରହି ଟ୍ରେନକୁ ସ୍ଵାଗତ କରିଥିଲେ।

ବର୍ତ୍ତମାନ ସୁଦ୍ଧାରେ ଦେଶରେ ୯ଟି ରୁଟରେ ବନ୍ଦେ ଭାରତ ଏକ୍ସପ୍ରେସ ଚଳାଚଳ କରୁଛି। ଏହି ଟ୍ରେନରେ ୧୪ଟି ଏସି ଚେୟାର କାର କୋଚ ରହିଛି ଏବଂ ୨ଟି ଏକ୍ଜିକ୍ୟୁଟିଭ ଏସି ଚେୟାରକାର କୋଚ ରହିଛି ଯାହାର ଯାତ୍ରୀ ପରିବହନ କ୍ଷମତା ୧,୧୨୮ ରହିଛି । ଏଥିରେ ହାଇସ୍ପିଡ୍ ଇଣ୍ଟରନେଟ୍, ଆରାମଦାୟକ ଚେୟାର, ବାୟୋ-ଭାକ୍ୟୁମ୍ ଟଏଲେଟ୍, ଜିପିଏସ୍ ଆଧାରିତ ଯାତ୍ରୀଙ୍କ ସୂଚନା ବ୍ୟବସ୍ଥା ଭଳି ଅନେକ ଅତ୍ୟାଧୁନିକ ସୁବିଧା ଓ ସୁବିଧା ରହିଛି।

Leave a comment