ରାଜ୍ୟରେ ମୁଣ୍ଡପିଛା ୨୩,୫୨୪ ଟଙ୍କା ଋଣ : ମନ୍ତ୍ରୀ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ରାଜ୍ୟର ଜାନୁଆରୀ ମାସ ଶେଷ ସୁଦ୍ଧା ମୁଣ୍ଡପିଛା ଋଣଭାର ୨୩,୫୨୪.୮୨ ଟଙ୍କା ରହିଛି ବୋଲି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବିଧାନସଭାରେ ସୂଚନା ଦେଇଛନ୍ତି। ମନ୍ତ୍ରୀ ଆହୁରି କହିଛନ୍ତି ଯେ, ୨୦୦୯-୧୦ ଆର୍ଥିକ ବର୍ଷରେ ମୁଣ୍ଡପିଛା ଋଣଭାର ୯,୧୮୦.୦୬ ଥିଲା। ତେବେ ୨୦୨୦-୨୧ ଜାନୁଆରୀ ଶେଷ ସୁଦ୍ଧା ଏହା ବୃଦ୍ଧି ପାଇ ୨୩,୫୨୪.୮୨ ଟଙ୍କାରେ ପହଞ୍ଚିଛି । ତେବେ ରାଜ୍ୟର ବର୍ତ୍ତମାନର ମୁଣ୍ଡପିଛା ଋଣଭାର କେନ୍ଦ୍ର ସରକାର ଏବଂ ଅଧିକାଂଶ ପ୍ରମୁଖ ରାଜ୍ୟ ତୁଳନାରେ ଯଥେଷ୍ଟ କମ୍ ବୋଲି ଅର୍ଥମନ୍ତ୍ରୀ ଜଣାଇଛନ୍ତି। ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି, ମହାଲେଖାକାରଙ୍କ ତଥ୍ୟ ଅନୁଯାୟୀ ୨୦୨୦-୨୧ ଆର୍ଥିକ ବର୍ଷ ଜାନୁଆରୀ ଶେଷ ସୁଦ୍ଧା ରାଜ୍ୟର ଋଣଭାର ୧ଲକ୍ଷ ୩ହଜାର ୪୧୦.୪୦ କୋଟି ଟଙ୍କା ରହିଛି। ରାଜ୍ୟ ସରକାର ସାଧାରଣତଃ ବିଭିନ୍ନ ଅନ୍ତର୍ଜାତୀୟ ସଂସ୍ଥା, କେନ୍ଦ୍ର ସରକାର, ଆଭ୍ୟନ୍ତରିଣ ସୂତ୍ର, ଭବିଷ୍ୟନିଧି ପାଣ୍ଠି ଓ ଅନ୍ୟାନ୍ୟ ପାଣ୍ଠିରୁ ଋଣ ଆଣିଥାନ୍ତି। ବାହ୍ୟ ସାହାଯ୍ୟପ୍ରାପ୍ତ ପ୍ରକଳ୍ପ ତଥା ଭିତ୍ତିଭୂମି ସୃଷ୍ଟି ପାଇଁ ରାଜ୍ୟ ସରକାର ବିଭିନ୍ନ ଅନ୍ତର୍ଜାତୀୟ ଋଣ ପ୍ରଦାନକାରୀ ସଂସ୍ଥାମାନଙ୍କ ଠାରୁ ସହାୟତା ନେଉଛନ୍ତି।
ବର୍ତ୍ତମାନ ଜଳସେଚନ, ଶକ୍ତି, ସଡ଼କ, ବିପର୍ଯ୍ୟୟ ପରିଚାଳନା, ସହରାଞ୍ଚଳ ଭିତ୍ତିଭୂମି ଭଳି ପ୍ରକଳ୍ପଗୁଡ଼ିକ ପାଇଁ ବିଶ୍ୱବ୍ୟାଙ୍କ, ଏସିଆନ୍ ଡେଭଲପ୍ମେଣ୍ଟ ବ୍ୟାଙ୍କ, ଇଣ୍ଟରନ୍ୟାସ୍ନାଲ୍ ଫଣ୍ଡ ଫର୍ ଏଗ୍ରିକଲଚରାଲ୍ ଡେଭଲପମେଣ୍ଟ, ଜାପାନ୍ ଇଣ୍ଟରନ୍ୟାସନାଲ୍ କର୍ପୋରେସନ୍ ଏଜେନ୍ସି, କେଏଫଡବ୍ଲ୍ୟୁ ଡେଭଲପ୍ମେଣ୍ଟ ବ୍ୟାଙ୍କ, ବ୍ରିକ୍ସ ବ୍ୟାଙ୍କ, ଏଆଇଆଇବି ଆଦି ସଂସ୍ଥାମାନଙ୍କରୁ ବାହ୍ୟ ସହାୟତା ଗ୍ରହଣ କରାଯାଉଛି। ଦ୍ୱାଦଶ ଅର୍ଥ ଆୟୋଗର ସୁପାରିଶ ଅନୁଯାୟୀ ୨ଠଠ୫ ଏପ୍ରିଲ୍ ୧ରୁ ବ୍ୟାକ୍ ଟୁ ବ୍ୟାକ୍ ଆଧାରରେ ପ୍ରଦାନକାରୀ ସଂସ୍ଥାର ସର୍ତ୍ତରେ ରାଜ୍ୟମାନଙ୍କୁ ବାହ୍ୟ ସହାୟତା ଉପଲବ୍ଧ କରାଯାଉଛି। ଜାନୁଆରୀ ୨ଠ୨୧ ଶେଷ ସୁଦ୍ଧା ରାଜ୍ୟସରକାରଙ୍କ ବୈଦେଶିକ ଋଣ ୬,୩୪୭.୪୪ କୋଟି ଟଙ୍କା। କୋଭିଡ୍ ୧୯ ପ୍ରଭାବ କାରଣରୁ ଜିଏସଟି ସଂଗ୍ରହରେ ଶିଥିଳତା ପରିଲକ୍ଷିତ ହୋଇଛି। ରାଜ୍ୟର ସୁନିଶ୍ଚିତ ରାଜସ୍ୱ ପରିମାଣରେ ବୃଦ୍ଧି ଓ କେନ୍ଦ୍ରୀୟ ପୁଲ୍ରେ ଜିଏସଟି ପ୍ରାପ୍ତିର ପରିମାଣ ହ୍ରାସ ପାଉଥିବାରୁ କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ଜିଏସଟି ପ୍ରଚଳନ ଯୋଗୁଁ କ୍ଷତିଭରଣା ପାଇଁ ସ୍ୱତନ୍ତ୍ର ୱିଣ୍ଡୋ ମାଧ୍ୟମରେ ୩,୮୮୨ କୋଟି ଟଙ୍କା ଋଣ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଜାନୁଆରୀ ମାସ ଶେଷ ସୁଦ୍ଧା ରାଜ୍ୟ ସରକାର ଜିଏସଟି କ୍ଷତିପୂରଣ ବାବଦରେ ୨୯୯୪.୬୧ କୋଟି ଟଙ୍କା ପାଇଛନ୍ତି। ଆଭ୍ୟନ୍ତରୀଣ ଋଣ ଅଧୀନରେ ରାଜ୍ୟ ସରକାର ବିଭିନ୍ନ ଉତ୍ସରୁ ଋଣ ଗ୍ରହଣ କରିଥାନ୍ତି। ଜାତୀୟ ସ୍ୱଳ୍ପ ସଂଚୟ ପାଣ୍ଠି, ଖୋଲା ବଜାର ଋଣ, ଜୀବନ ବୀମା ନିଗମ, ସାଧାରଣ ବୀମା ନିଗମ, ଜାତୀୟ କୃଷି ଓ ଗ୍ରାମ୍ୟ ଉନ୍ନୟନ ବ୍ୟାଙ୍କ, ଜାତୀୟ ସମବାୟ ଉନ୍ନୟନ ନିଗମ, ଗ୍ରାମ୍ୟ ବିଦ୍ୟୁତିକରଣ ନିଗମ, ଓଡ଼ିଶା ଖଣିଜସମ୍ପଦ ଅଞ୍ଚଳ ଉନ୍ନୟନ ନିଗମ (ଓମବାଡସି)ର ବ୍ୟାକିଂ ହିସାବ ଓ କ୍ଷତିପୂରଣ ବୃକ୍ଷରୋପଣ ପାଣ୍ଠି (କାମ୍ପା ଫଣ୍ଡ)ରୁ ରାଜ୍ୟ ସରକାର ଋଣ ଗ୍ରହଣ କରିଥାନ୍ତି। ଏହିସବୁ ଉତ୍ସରୁ ଋଣ ଗ୍ରହଣ ଏବଂ ପରିଶୋଧ କରି ଜାନୁଆରୀ ମାସ ଶେଷ ସୁଦ୍ଧା ଆଭ୍ୟନ୍ତରୀଣ ଋଣର ପରିମାଣ ୫୩,୩୮୫.୯୨ କୋଟି ଟଙ୍କା ରହିଛି।

Leave a comment