ଆସନ୍ତା କାଲି ନୂତନ ମନ୍ତ୍ରୀମଣ୍ଡଳ ଶପଥ ଗ୍ରହଣ, ଜାଣନ୍ତୁ କିଏ ହେବେ ମନ୍ତ୍ରୀ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସବୁବେଳେ ନିଜ ନିଷ୍ପତ୍ତି ପାଇଁ ରାଜନୀତି ଜଗତରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥର କିନ୍ତୁ ଅପଣାଇଛନ୍ତି ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀଙ୍କ ଷ୍ଟାଇଲ । ଅନେକ ଦିନରୁ ଚର୍ଚ୍ଚାରେ ରହିଆସିଥିବା ରାଜ୍ୟ ମନ୍ତ୍ରୀ ମଣ୍ଡଳ ଅଦଳବଦଳ ବାସ୍ତବ ରୂପ ନବାକୁ ଯାଉଅଛି । ଗତକାଲି ବ୍ରଜରାଜନଗର ଉପନିର୍ବାଚନ ଫଳାଫଳ ପରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ବାଚସ୍ପତିଙ୍କ ସମେତ ସମସ୍ତ ମନ୍ତ୍ରୀ ଆନ୍ଧ୍ରପ୍ରଦେଶ ଷ୍ଟାଇଲରେ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ନବୀନଙ୍କ ପଞ୍ଚମ ପାଳି ତିନିବର୍ଷ ପୂର୍ତ୍ତ କରିଥିଲେହେଁ ଏପର୍ଯ୍ୟନ୍ତ ମନ୍ତ୍ରୀମଣ୍ଡଳରେ କୌଣସି ପରିବର୍ତ୍ତନ ହୋଇନଥିଲା ।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ସର୍ଵ ପ୍ରଥମେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଓ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଇସ୍ତଫା ଦେଇଥିଲେ। ତାଙ୍କ ପରେ ପ୍ରେମାନଦ ନାୟକ, ରଘୁନନ୍ଦନ ଦାସ ଇସ୍ତଫା ଦେଇଥିଲେ । ବର୍ତ୍ତମାନ ପର୍ଯ୍ୟନ୍ତ ସମସ୍ତ ମନ୍ତ୍ରୀ ଇସ୍ତଫା ପ୍ରଦାନ କରିସାରିଛନ୍ତି । ରାଜ୍ୟପାଳ ଆଜି ସନ୍ଧ୍ୟା ୭ଟା ରେ ପୁରୀ ଗ୍ରସ୍ତ ରୁ ଫେରିବା ପରେ ନୂତନ ମନ୍ତ୍ରୀ ମଣ୍ଡଳ ଲିଷ୍ଟ ତାଙ୍କ ପାଖକୁ ପଠାଯିବ । ରାଜ୍ୟପାଳଙ୍କ ମୋହର ଲାଗିବା ପରେ ଆସନ୍ତା କାଲି ନୂତନ ମନ୍ତ୍ରୀ ଶପଥ ଗ୍ରହଣ କରିବେ । ପ୍ରମିଳା ମଲ୍ଲିକଙ୍କୁ ବାଚସ୍ପତି ଦାୟିତ୍ୱ ପ୍ରଦାନ କରାଯିବା ନେଇ ଚର୍ଚ୍ଚା ହେଉଛି । ସେହିପରି ଅତନୁ ସବ୍ୟସାଚୀ, ପ୍ରୀତିରଞ୍ଜନ ଘଡେଇ, ଲତିକା ପ୍ରଧାନ, ରୁଦ୍ର ମହାରଥୀ, ସୁଧୀର ସାମଲ, ବଦ୍ରୀ ପାତ୍ର, ସଞ୍ଜୀବ ମଲ୍ଲିକ/ବ୍ୟୋମକେଶ ରାୟ, ବାସନ୍ତୀ ହେମ୍ରମ, ଦେବେଶ ଆଚାର୍ଯ୍ୟ, ମନୋହର ରନ୍ଧାରୀ, ପ୍ରତାପ ଦେବ, ଦେବୀ ମିଶ୍ର, ଅଶ୍ୱିନୀ ପାତ୍ର, ପ୍ରଶାନ୍ତ ମୁଦୁଲି, ସୁଶାନ୍ତ ରାଉତ । ଏମାନଙ୍କୁ ଭୁବନେଶ୍ୱରରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଅଛି ।

ତେବେ ଆଗାମୀ ଅଦଳବଦଳ ପ୍ରକ୍ରିୟାରେ ବିଶେଷ କାର୍ଯ୍ୟଦକ୍ଷତାର ପ୍ରମାଣ ଦେଖାଇ ପାରିନଥିବା ପ୍ରାୟ ୬ରୁ ୭ଜଣ ମନ୍ତ୍ରୀଙ୍କୁ ବିଦା କରାଯାଇ ସେମାନଙ୍କ ସ୍ଥାନରେ ନବୀନ ପ୍ରବୀଣ ଓ ବରିଷ୍ଠଙ୍କୁ ସାମିଲ କରାଯିବାର ସମ୍ଭାବନା ରହିଛି । ଦଳୀୟ ନେତା ଏବଂ ରାଜନୈତିକ ବିଶେଷକଙ୍କ ଆକଳନ ଅନୁଯାୟୀ ନବୀନ ତାଙ୍କ ନୂଆ ଟିମ୍‌ରେ ଦଳର ସାଙ୍ଗଠନିକ ବ୍ୟକ୍ତିଙ୍କୁ ଅଧିକ ସକ୍ରିୟ କରିବାରେ ପ୍ରମୁଖ ଭୂମିକାରେ ଥିବା ପୂର୍ବତନ ମନ୍ତ୍ରୀ, କେନ୍ଦ୍ରାପଡ଼ାର ପ୍ରଭାବଶାଳୀ ବିଧାୟକ, ପଶ୍ଚିମ ଓଡ଼ିଶାର କିଛି ତୁଙ୍ଗ ନେତା ଏବଂ ଉତ୍ତର ଓଡ଼ିଶା ବିଶେଷ କରି ମୟୂରଭଞ୍ଜ ଓ ବାଲେଶ୍ବର ଜିଲାରୁ କିଛି ନେତାଙ୍କୁ ମଧ୍ୟ ସାମିଲ କରାଯିବାର ସମ୍ଭାବନା ରହିଛି ।

ସେହିପରି ୮ ପୁରୁଣା ମନ୍ତ୍ରୀଙ୍କ ବିଭାଗ ବଦଳିବା ନେଇ ଚର୍ଚ୍ଚା ହେଉଥିବା ବେଳେ ଏଥର ମନ୍ତ୍ରୀ ସଂଖ୍ୟା ୨୦ ବଦଳରେ ୨୧ ହେବ । ଏବଂ ଗଞ୍ଜାମରେ ଦଳର ସ୍ଥିତି ସୁଧାରିବା ପାଇଁ ମନ୍ତ୍ରୀ ପଦକୁ ଫେରିବେ ବାଚସ୍ପତି ଡ଼ଃ ସୂର୍ଯ୍ୟ ନାରାୟଣ ପାତ୍ର ।

ମନ୍ତ୍ରୀ ବିଦା ହେବା “ମାନ ଦଣ୍ଡ” ହେଲା:-
* ଯେଉଁ ମନ୍ତ୍ରୀଙ୍କ ‘ଇଣ୍ଡିଗ୍ରିଟି ଡାଉଟଫୁଲ’ ଥିବ
* ଯେଉଁ ମନ୍ତ୍ରୀଙ୍କ କାର୍ଯ୍ୟ ଦକ୍ଷତା ଭଲ ନ ଥିବ
* ଯେଉଁ ମନ୍ତ୍ରୀ କିଛି ‘ଘୋଟଲା’ରେ ସାମିଲ ଥିବେ
* ଯେଉଁ ମନ୍ତ୍ରୀ ଅଳିଆ କାର୍ଯ୍ୟରେ ସାମିଲ ଥାଇ ବିବାଦୀୟ ହୋଇଥିବେ
* ଯେଉଁ ମନ୍ତ୍ରୀ ଦଳ ପାଇଁ ବାରମ୍ବାର ସମସ୍ୟା ସୃଷ୍ଟି କରୁଥିବେ
* ପଞ୍ଚାୟତ, ପୌର ନିର୍ବାଚନରେ ଦକ୍ଷତା ପ୍ରତିପାଦନ କରିନଥିବେ

ମନ୍ତ୍ରୀପଦ ପାଇବା ସମ୍ଭାବ୍ୟ ମଧ୍ୟରେ ଚର୍ଚ୍ଚାରେ ରହିଛନ୍ତି:-
ବୌଦ୍ଧ ଜିଲ୍ଲାରୁ ପ୍ରଦୀପ ଅମାତ୍,
କେନ୍ଦୁଝର ଜିଲ୍ଲାରୁ ବଦ୍ରିନାରାୟଣ ପାତ୍ର,
କେନ୍ଦ୍ରାପଡ଼ା ଜିଲ୍ଲାରୁ ଅତନୁ ସବ୍ୟସାଚୀ ନାୟକ,
ମୟୂରଭଞ୍ଜ ଜିଲ୍ଲା ବାସନ୍ତୀ ହେମ୍ବ୍ରମ
ବାଲେଶ୍ୱର ଜିଲ୍ଲାରୁ ବିଧାୟକ ଅଶ୍ୱିନୀ ପାତ୍ର,
ଗଞ୍ଜାମ ଜିଲ୍ଲାରୁ ବିଧାୟିକା ଲତିକା ପ୍ରଧାନ
(ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିବାର ସମ୍ଭାବନା ରହିଛି )
* ମନ୍ତ୍ରୀଙ୍କୁ ଭଲ ବିଭାଗ: ପ୍ରଫୁଲ୍ଲ ମଲ୍ଲିକ, ସୁଶାନ୍ତ ସିଂହ, ଟୁକୁନି ସାହୁ

ସୂଚନା ଅନୁଯାୟୀ, ଏହି ନୂତନ ମନ୍ତ୍ରୀ ମଣ୍ଡଳରେ ୬ ରୁ ୭ ନୂଆ ଚେହେରା ଦେଖିବାକୁ ମିଳିବା ସହ ମହିଳାଙ୍କୁ ପ୍ରାଧାନ୍ୟ ଦିଆଯିବା ନେଇ ଆକଳନ ଚାଲିଛି । ଅନେକ ମନ୍ତ୍ରୀ ବିବାଦୀୟ ହେବାପରେ ବିରୋଧୀଙ୍କ ଟାର୍ଗେଟରେ ମୁଖ୍ୟମନ୍ତ୍ରୀ ରହିଥିଲେ । ପଞ୍ଚାୟତ ନିର୍ବାଚନ ପୂର୍ବରୁ ମନ୍ତ୍ରୀ ମଣ୍ଡଳ ଅଦଳବଦଳ ନେଇ ଖୁବ ଚର୍ଚ୍ଚା ହେଉଥିଲା । ଏପରିକି କିଛି ମନ୍ତ୍ରୀ ଓ ନେତାଙ୍କ ନଥିବା ଏକ ଲିଷ୍ଟ ସୋସିଆଲ ମିଡ଼ିଆରେ ଘୁରି ବୁଲୁଥିଲା । ଏହି ତାଲିକା କିଏ ଏବଂ କାହିଁକି ମାର୍କେଟକୁ ଛାଡିଛି ତାକୁ ନେଇ ଅନେକ ପ୍ରଶ୍ନ ଉଠିଥିଲା । କିଛି ରାଜନୈତିକ ବିଶେଷଜ୍ଞଙ୍କ ନିଜ ମତପ୍ରକାଶ କରି କହିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୨୦ ବର୍ଷ ଶାସନ କାଳ ମଧ୍ୟରେ କିଏ ମନ୍ତ୍ରୀ ହେବ ଓ କିଏ ମନ୍ତ୍ରୀପଦରୁ ବିଦା ହେବ ଶେଷ ସମୟ ପର୍ଯ୍ୟନ୍ତ କାହାପାଖରେ ଖବର ନଥାଏ । ନବୀନ ନିରବତାର ସହ ନିଷ୍ପତ୍ତି ନିଅନ୍ତି ।ଅପରପକ୍ଷରେ ବୁଦ୍ଧିଜୀବୀମନେ ଏହାକୁ ତୃତୀୟ ମହଲର ଗୁଗୁଲ କହୁଥିବା ବେଳେ ଅନେକ ଏହାକୁ ଅସନ୍ତୁଷ୍ଟ ଗୋଷ୍ଠି ଙ୍କ ଚକ୍ରାନ୍ତ ବୋଲି କହିଥିଲେ । ତେଣୁ ରାଜ୍ୟ ମନ୍ତ୍ରୀମଣ୍ଡଳ ଅଦଳ ବଦଳ ହେବା ଚର୍ଚ୍ଚା ହେବା ସମୟରେ ଏହି ତାଲିକା ସମସ୍ତଙ୍କୁ ଦ୍ୱନ୍ଦରେ ପକାଇଥିଲା ।

୨୦୨୪ ରେ ରାଜ୍ୟ ବିଧାନସଭା ସହିତ ଲୋକସଭା ନିର୍ବାଚନ ହେବାକୁ ଥିବାରୁ ଏବେଠାରୁ ବିଜେଡି ନିଜ ସଂଗଠନକୁ ଅଧିକ ସୁଦୃଢ଼ କରିବାକୁ ମୁଖ୍ୟମନ୍ତ୍ରୀ ଏଭଳି ନିଷ୍ପତ୍ତି ନେବାକୁ ଚିନ୍ତା କରିବା ନେଇ ଆକଳନ କରାଯାଇପାରେ । କାରଣ ୨୦୧୯ ସଧାରଣ ନିର୍ବାଚନ ପୂର୍ବରୁ କେତେକ ମନ୍ତ୍ରୀଙ୍କୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମନ୍ତ୍ରିମଣ୍ଡଳରୁ ଅବ୍ୟାହତି ଦେଇ ସାଂଗଠନିକ କାର୍ଯ୍ୟରେ ନିୟୋଜିତ କରିଥିଲେ । ସେହି ଢ଼ାଞ୍ଚାରେ କିଛି ମନ୍ତ୍ରୀଙ୍କୁ ଏଥର ବି ସାଂଗଠନିକ ଦାୟିତ୍ୱ ଦେଇ ସେମାନଙ୍କୁ ସରକାରୀ କାର୍ଯ୍ୟରୁ ବିଜେଡି ନିସ୍ତାର ଦେଇପାରେ । ବିଶେଷକରି ଯେଉଁ ମନ୍ତ୍ରୀମାନଙ୍କ ନିର୍ବାଚନ ମଣ୍ଡଳୀ, ଜିଲ୍ଲା ଓ ସେମାନେ ଦାୟିତ୍ୱରେ ଥିବା ଅଞ୍ଚଳରେ ବିଜେଡିର ପ୍ରଦର୍ଶନ କମ୍ ହୋଇଛି ।

Leave a comment