ଟିକା କେନ୍ଦ୍ରରେ ଠେଲାପେଲା; ୨୫୦ଡୋଜ ନେବାକୁ ଆସିଲେ ୫୦୦ରୁ ଅଧିକ ଲୋକ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କେଉଁଠି ଟିକା ନେଇ ସଚେତନତା କରାଯାଉଥିବା ବେଳେ ଆଉ କେଉଁଠି ଟିକା ଅଭାବରୁ ଲୋକେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ଛିନ୍ଦଓ୍ୱାଡାରେ । ଏଠାରେ ଟିକାକରଣ କେନ୍ଦ୍ରରେ ୨୫୦ ଡୋଜ ଟୀକା ଥିବାବେଳେ ୫୦୦ରୁ ଅଧିକ ଲୋକ ଆସିଥିଲେ। ପରିସ୍ଥିତି ଏମିତି ହେଲାଯେ ଲୋକେ ଧସେଇ ପଶିଥିଲେ।
ଏମିତିକି ଜଣେ ଜଣଙ୍କ ଉପରେ ଚଢିବାକୁ ବି ପଛାଇନଥିଲେ । ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଏପରି ଦୃଶ୍ୟ । ଏହାକୁ ଦେଖିଲେ ଲାଗୁଛି ନିକଟରେ ରିଲିଜ ହୋଇଥିବା ଚଳଚିତ୍ରର ଫାଷ୍ଟ ଶୋ । ଯେମିତି ଫାଷ୍ଟ ଡେ ପାଷ୍ଟ ଶୋ ଦେଖିବାକୁ ଲାଗିଛି କମ୍ପିଟିସନ । ମଧ୍ୟପ୍ରଦେଶର ଛିନ୍ଦଓ୍ୱାଡାରେ ଜିଲ୍ଲା ଲୋଡିଖେଡା ଗ୍ରାମରୁ ଆସିଛି ଏହି ଘଟଣା । ପ୍ରକୃତରେ, ଜୁଲାଇ ୧ରେ ମଧ୍ୟପ୍ରଦେଶରେ ଏକ ଟୀକାକରଣ ଅଭିଯାନ କରାଯାଇଥିଲା । ଯେଉଁଥିପାଇଁ ବହୁ ଜିଲ୍ଲାରେ ବହୁ ସଂଖ୍ୟାରେ ଲୋକ ଟିକାକରଣ କେନ୍ଦ୍ରରେ ପହଞ୍ଚିଥିଲେ ।