ଫେସବୁକରେ ଜଗନ୍ନାଥ ଦର୍ଶନର ଫେକ ଆପ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭକ୍ତଙ୍କ ଭାବନା ସହିତ ଖେଳ । କିଛି ଅସାମାଜିକ ବ୍ୟକ୍ତି ଶ୍ରୀମନ୍ଦିର ଦର୍ଶନ ପାଇଁ ମିଛ ଆପ ତିଆରି କରି ଫେସବୁକରେ ଭାଇରଲ କରୁଥିବା ଚର୍ଚ୍ଚାର ବିଷୟ ହୋଇଛି । ଏହି ଆପରେ ରେଜିଷ୍ଟ୍ରେସନ କଲେ ଜଗନ୍ନାଥ ଦର୍ଶନ କରିବାକୁ ସୁଯୋଗ ମିଳିବା ଆଶାରେ ପ୍ରାୟ ଏକ ଲକ୍ଷ ଭକ୍ତ ଏହି ଆପକୁ ଡାଉନଲୋଡ଼ କରି ରେଜିଷ୍ଟ୍ରେସନ କରିବାକୁ ପ୍ରୟାସ କରିଥିବା ସୂଚନା ମିଳିଛି ।

ସୂଚନା ଅନୁଯାୟୀ, ଅନେକ ଆଳ ଦେଖାଇ କିଛି ସାଇବର ଠକ ଲୋକଙ୍କୁ ପଇସା ଲୋଭ ଦେଖାଇ ତାଙ୍କ ବ୍ୟାଙ୍କ ଆକାଉଣ୍ଟ ଖାଲି କରିଦେଉଥିବା ଆମେ ପ୍ରତିଦିନ ଶୁଣିବାକୁ ପାଉଛୁ । ମାତ୍ର ଏବେ ସେମାନେ ଜଗନ୍ନାଥଙ୍କ ନାଁରେ ଠକିବାକୁ ଚିନ୍ତା କରୁଥିବା ଏହି ଆପ ରୁ ସ୍ପଷ୍ଟ ହେଉଥିବା ଚର୍ଚ୍ଚା ହେଉଛି । ଏହି ଆପ ମନ୍ଦିର ପ୍ରଶାସନ ପକ୍ଷରୁ ଜାରି କରାଯାଇନଥିବା ନେଇ ଶ୍ରୀମନ୍ଦିର ପ୍ରଶାସନ ସ୍ପଷ୍ଟ କରିଛି ।

ଗତବର୍ଷର କରୋନା ପ୍ରକୋପ ଓଡ଼ିଶାରେ ଟିକେ କମିବାରୁ ପ୍ରାୟ ଏକବର୍ଷ ପରେ ଭକ୍ତ ଓ ଭଗବାନଙ୍କ ମିଳନ ହୋଇଥିଲା । ଏତେ ଦିନ ପରେ ଜଗନ୍ନାଥ ଦର୍ଶନ କରି ଭାବ ବିହୋଳ ହୋଇଯାଇଥିଲେ ଭକ୍ତ । ମାତ୍ର ଏହି ଖୁସି ବେଶିଦିନ ରହିଲାନାହିଁ । କରୋନାର ଦ୍ୱିତୀୟ ଲହର ପୁନର୍ବାର ସମଗ୍ର ଦେଶରେ ହାହାକାର ସୃଷ୍ଟି କରିଛି । ଆମ ରାଜ୍ୟର ମଧ୍ୟ ଏହି ମହାମାରୀ ଦ୍ୱିତୀୟ ଲହରରୁ ବର୍ତ୍ତି ପାରିନାହିଁ । ତେଣୁ ଭକ୍ତ ଓ ସେବକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରହି ଶ୍ରୀମନ୍ଦିର ଭିତରକୁ ଭକ୍ତଙ୍କ ପ୍ରବେଶକୁ ପୁନର୍ବାର ବାରଣ କରାଯାଇଛି ।

ସେହିପରି ଗତବର୍ଷ ଅନେକ ବିବାଦ ସତ୍ତ୍ୱେ କୋଭିଡ ସମସ୍ତ ନିୟମ ପାଳନ କରି ଶ୍ରୀମନ୍ଦିର ପ୍ରଶାସକ କ୍ରିଷନ କୁମାରଙ୍କ ପ୍ରଚେଷ୍ଟା ଫଳରେ ଅତ୍ୟନ୍ତ ସୁରୁଖୁରୁରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ସମ୍ପର୍ଣ୍ଣ ହୋଇଥିଲା । ବିନା ଭକ୍ତରେ ଗଡ଼ିଲା ରଥ । ରାଜ୍ୟ ସରକାରଙ୍କ ଅନୁରୋଧ କ୍ରମେ ଘରେ ବସି ଟେଲିଭିଜନ ମାଧ୍ୟମରେ ରଥଯାତ୍ରା ଦେଖି ନିଜ ଭକ୍ତିଭାବନା ବ୍ୟକ୍ତ କରିଥିଲେ ଜଗନ୍ନାଥ ପ୍ରେମୀ । ଏବର୍ଷ ରଥଯାତ୍ରା ନିକଟତର ହେଉଥିବା ବେଳେ ପୁନର୍ବାର କୋଭିଡ ମହାମାରୀ ଭକ୍ତଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ସେମାନେ କାଳେ ଗତବର୍ଷ ପରି ରଥଯାତ୍ରାରେ ଜଗନ୍ନାଥଙ୍କ ସାକ୍ଷାତ ଦର୍ଶନରୁ ବଞ୍ଚିତ ରହିବେ ବୋଲି ଚିନ୍ତା ବ୍ୟକ୍ତ କରୁଛନ୍ତି ।

ଅପରପକ୍ଷରେ କୋଭିଡର ସମସ୍ତ ଗାଇଡ଼ଲାଇନ ଅନୁଯାୟୀ ଚଳିତ ରଥ ନିର୍ମାଣ କାର୍ଯ୍ୟ ପାଇଁ କାଠ ସଂଗ୍ରହ କାର୍ଯ୍ୟ ଦ୍ରୁତଗତିରେ ଆଗେଇ ଚାଲିଛି । ଶ୍ରୀମନ୍ଦିରରେ କାର୍ଯ୍ୟରତ ସେବାୟତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ନିୟମିତ ଭାବରେ ହେଉଥିବା ସୂଚନା ମିଳିଛି ।

Leave a comment