ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖରେ ଦଳା ଚକଟା ସ୍ଥିତି !!
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହୋଇଥିଲା ମହାପ୍ରଭୁଙ୍କର ସ୍ୱତନ୍ତ୍ର ରାଜରାଜେଶ୍ୱର ବେଶ । ତେଣୁ ମହାପ୍ରଭୁଙ୍କ ଏହି ଦୁର୍ଲ୍ଲଭ ବେଶକୁ ଦର୍ଶନ କରିବାକୁ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିଲା ଶ୍ରୀକ୍ଷେତ୍ରରେ । ତେବେ ପ୍ରବଳ ଖରା କୁ ଲମ୍ବା ଧାଡ଼ି । କିଛି ଭକ୍ତ ଅସ୍ତବ୍ୟସ୍ତ ହୋଇ ଶୀଘ୍ର ଶ୍ରୀମନ୍ଦିରରେ ପ୍ରବେଶ କରିବାକୁ ଧସେଇ ପଶିବାକୁ ଚେଷ୍ଟା କରିବା ସମୟରେ ସିଂହ ଦ୍ୱାରା ସମ୍ମୁଖରେ ଦଳା ଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା । ଦୁଇ ଜଣ ମହିଳା ତଳେ ପଡି ଯାଇଥିଲେ । କିନ୍ତୁ ଶ୍ରୀମନ୍ଦିର ପୋଲିସ ଏବଂ କିଛି ପଣ୍ଡାଙ୍କ ସହଯୋଗରୁ ଏକ ବଡ଼ ଅଘଟଣକୁ ଟଳାଯାଇ ପାରିଥିଲା ।
ସୂଚନା ଅନୁଯାୟୀ, ଆଜି ରାଜରାଜେଶ୍ବର ବେଶ ବା ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥିଲେ ମହାପ୍ରଭୁ । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ହୋଇଥିଲା । ଶ୍ରୀଜିଉଙ୍କ ଚଳନ୍ତି ପ୍ରତିମା ଦୋଳ ଗୋବିନ୍ଦ, ଭୂଦେବୀ ଓ ଶ୍ରୀଦେବୀ ମଣି ବିମାନରେ ବସି ଦୋଳବେଦୀକୁ ଆସିବା ସହ ଭକ୍ତ ଓ ସେବାୟତଙ୍କ ସହ ମିଶି ଫଗୁ ଖେଳିଥିଲେ । ତେବେ ପରମ୍ପରା ଅନୁସାରେ ମହାଜନେ ଦୋଳିରେ ଦୋଳଠାକୁରଙ୍କୁ ବିଜେ କରିବା ପରେ ସର୍ବସାଧାରଣ ଦର୍ଶନ ଅନୁଷ୍ଠିତ ହୋଇଥିଲା । ନୀତି ସରିବା ପରେ ଠାକୁର ଶ୍ରୀମନ୍ଦିରକୁ ବାହୁଡିଥିଲେ । ପରେ ସୁନାବେଶ କରାଯାଇ ମହାସ୍ନାନ ବଢିଥିଲା । ରାତି ସାଢେ ୧୦ଟା ପର୍ଯ୍ୟନ୍ତ ଠାକୁର ରାଜାଧିରାଜ ବେଶରେ ରହିବେ। ସୁନାବେଶରେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ବିଶେଷ ଧ୍ୟାନ ଦେଇଥିଲା ପ୍ରଶାସନ । ହେଲେ କିଛି ଭକ୍ତ ଶ୍ରୀମନ୍ଦିରକୁ ଧସେଇ ପଶିବାକୁ ଉଦ୍ୟମ କରିବାରୁ ସିଂହ ଦ୍ୱାର ସମ୍ମୁଖରେ ଦଳା ଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା ।