ଖଣି ପ୍ରସଙ୍ଗରେ ନିରଞ୍ଜନଙ୍କୁ ଶ୍ରୀକାନ୍ତଙ୍କ ଟାର୍ଗେଟ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଯେଉଁ ପ୍ରଦେଶ କଂଗ୍ରେସର ନେତୃତ୍ୱ ଏକଦା ଗୋପବନ୍ଧୁ ଦାସ, ନୀଳକଣ୍ଠ ଦାସଙ୍କ ଭଳି ବ୍ୟକ୍ତିଙ୍କ ହାତରେ ରହିସାରିଛି । ସେହି କଂଗ୍ରେସର ନେତୃତ୍ୱ ଜଣେ ଅଭ୍ୟାସଗତ ଲାଞ୍ଚଦାତା ହାତରେ କିପରି ରହିବ ବୋଲି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା କହିଛନ୍ତି । ପିସିସି ସଭାପତି ନିଜର ଖଣି କାରବାର ପାଇଁ ମ୍ୟାନେଜର ଜରିଆରେ ଲାଞ୍ଚ ଦେଉଥିଲେ । ଏକଥା ସିଏ ନିଜେ ସତ୍ୟପାଠ ଦାଖଲ କରି ସ୍ବୀକାର କରିଛନ୍ତି । ଏଥିପାଇଁ ଓଡ଼ିଶା ହାଇକୋର୍ଟ ତାଙ୍କୁ ଅଭ୍ୟାସଗତ ଲାଞ୍ଚଦାତା ବୋଲି ଅଭିହିତ କରିଥିଲେ । ନିଜସ୍ବ ବାସଭବନରେ ବୁଧବାର ଆୟୋଜିତ ଖବରଦାତା ସମ୍ମିଳନୀରେ ଶ୍ରୀକାନ୍ତ ଏକଥା କହିଛନ୍ତି । ଏକଦା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଓଡ଼ିଶା କଂଗ୍ରେସର କ୍ୟାନସର ବୋଲି ମନ୍ତବ୍ୟ ଦେଇଥିଲେ । ମାତ୍ର ଏବେ ତାଙ୍କରି ଦାୟିତ୍ୱରେ କଂଗ୍ରେସକୁ ଛାଡି ଦେଇଛନ୍ତି, ତେଣୁ ପଟ୍ଟନାୟକ ପରିବାର ପାଇଁ ରାହୁଲ ଗାନ୍ଧୀ ଅପଦସ୍ଥ ହେବେ । ଏଥିସହିତ ନିରଞ୍ଜନଙ୍କ ପରି ବିବାଦୀୟ ବ୍ୟକ୍ତିବିଶେଷଙ୍କୁ ପିସିସି ସଭାପତିରୁ ବିଦା କରିବା ପାଇଁ ଶ୍ରୀକାନ୍ତ ଉଭୟ ରାହୁଲ ଗାନ୍ଧୀ-ଜିତେନ୍ଦ୍ର ସିଂଙ୍କୁ ୨୦୧୮ ସେପ୍ଟେମ୍ବର ଲେଖିଥିବା ଚିଠିକୁ ସାର୍ବଜନୀନ କରିଛନ୍ତି ।