ଶ୍ରୀମନ୍ଦିରରେ କାର୍ତ୍ତିକ ମାସରେ କି ବେଶ ହୁଅନ୍ତି ଜଗନ୍ନାଥ ଜାଣନ୍ତୁ

0

ଆଶ୍ଵିନ ଶୁକ୍ଳ ଏକାଦଶୀ ତିଥି ଅର୍ଥାତ ଶନିବାରଠାରୁ ଶ୍ରୀମନ୍ଦିରରେ କାର୍ତ୍ତିକ ନୀତି ଆରମ୍ଭ ହୋଇଛି। ରତ୍ନସିଂହାସନରେ ରାଧାଦାମୋଦର ବେଶରେ ଦର୍ଶନ ଦେଇଛନ୍ତି ମହାପ୍ରଭୁ। ଠାକୁରଙ୍କର ଏହି ମହାର୍ଘ ବେଶ କାର୍ତ୍ତିକ ମାସ ଶୁକ୍ଳ ଦଶମୀ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।
ରାଧାଦାମୋଦର ବେଶ : କାର୍ତ୍ତିକ ଶୁକ୍ଳ ଏକାଦଶୀଠାରୁ କାର୍ତ୍ତିକ ପୂର୍ଣ୍ଣିମା ପର୍ଯ୍ୟନ୍ତ ପଞ୍ଚୁକ ବେଶ ହେବ। କାର୍ତ୍ତିକ ମାସରେ ବିଷ୍ଣୁଙ୍କର ନାମ ଦାମୋଦର ହୋଇଥିବାରୁ ବେଶର ନାମ ରାଧାଦାମୋଦର ବୋଲି ନାମକରଣ କରାଯାଇଛି। ଶ୍ରୀମନ୍ଦିର ସ୍ୱତ୍ୱଲିପି ଅନୁଯାୟୀ ଶ୍ରୀମନ୍ଦିରରେ କାର୍ତ୍ତିକ ମାସରେ ରାତ୍ର ଦୁଇଘଡ଼ି ଥାଇ ମଙ୍ଗଳ ଆଳତି ଓ ଅବକାଶ ନୀତି ଶେଷ ହେବା ପରେ ଶ୍ରୀବିଗ୍ରହମାନଙ୍କର ରାଧା ଦାମୋଦର ବେଶ ଅନୁଷ୍ଠିତ ହୋଇଥାଏ । ଏହି ବେଶରେ ଫୁଲ ନିର୍ମିତ ଗୁଣା, ଚିତା ଓ ଅଧରମାଳା ଓ ବିଭିନ୍ନ ପ୍ରକାର ସୁବର୍ଣ୍ଣ ଅଳଙ୍କାର ଠାକୁରମାନଙ୍କୁ ଲାଗି କରାଯାଇଥାଏ।

ଲକ୍ଷ୍ମୀନାରାୟଣ ବେଶ : କାର୍ତ୍ତିକ ଶୁକ୍ଳ ଏକାଦଶୀ ତିଥିରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଲକ୍ଷ୍ମୀନାରାୟଣ ବେଶ ଅନୁଷ୍ଠିତ ହୋଇଥାଏ। ଶ୍ରୀଜଗନ୍ନାଥଙ୍କର ଅନ୍ୟ ସବୁ ବେଶ ପରି ଲକ୍ଷ୍ମୀନାରାୟଣ ବେଶ ମଧ୍ୟ ଖୁବ ସୁନ୍ଦର। ଶ୍ରୀଜଗନ୍ନାଥ ଧର୍ମ ଓ ବିଭିନ୍ନ ସଂପ୍ରଦାୟର ଦେବତା ଭାବରେ ପରିଗଣିତ ହେଲେ ହେଁ ମୁଖ୍ୟତଃ ବିଷ୍ଣୁ ରୂପରେ ସେ ଆରାଧ୍ୟ।
କଥିତ ଅଛି ରାମାନୁଜାଚାର୍ଯ୍ୟ ଏହି ବେଶ ସଂଦର୍ଶନ କରି ପରମ ସନ୍ତୋଷ ଲାଭ କରିବା ସଙ୍ଗେ ସଙ୍ଗେ ଉକ୍ତ ଦିନ ଶ୍ରୀ ସମ୍ପ୍ରଦାୟର ମହୋତ୍ସବ କରାଇଥିଲେ।। ତେଣୁ ଖ୍ରୀଷ୍ଟିୟ ଦ୍ୱାଦଶ ଶତାବ୍ଦୀରୁ ଏହି ବେଶର ପ୍ରଚଳନ ହୋଇଥିବାର ଅନୁମାନ କରାଯାଏ। କାର୍ତ୍ତିକ ଶୁକ୍ଳ ଏକାଦଶୀ ଦିନ ଶ୍ରୀବିଗ୍ରହମାନଙ୍କର ଅବକାଶ ନୀତି ଶେଷ ହେବା ପରେ “ଲକ୍ଷ୍ମୀନାରାୟଣ ଵା ଠିଆକିଆ” ବେଶ ହୋଇଥାଏ। ଉପରୋକ୍ତ ବେଶ ଥାଇ ଶ୍ରୀଜୀଊମାନଙ୍କର ଗୋପାଳବଲ୍ଲଭ, ସକାଳଧୂପ, ବାଳଧୂପ, ଭୋଗମଣ୍ଡପ ଇତ୍ୟାଦି ନୀତି ହୋଇଥାଏ। ସ୍ୱର୍ଣ୍ଣ ଅଳଙ୍କାର, ପୁଷ୍ପମାଲ୍ୟ, ପାଟବସ୍ତ୍ର ଇତ୍ୟାଦିରେ ପୁଷ୍ପାଳକ ସେବକମାନେ ତିନି ଠାକୁରଙ୍କୁ ଲକ୍ଷ୍ମୀନାରାୟଣ ବେଶରେ ଭୂଷିତ କରିଥାନ୍ତି।

ବାଙ୍କଚୂଡ଼ା ବେଶ : ସେହିପରି ମହାପ୍ରଭୁଙ୍କ ବେଶ ମଧ୍ୟରେ ବାଙ୍କଚୂଡ଼ା ବେଶ ଅନ୍ୟତମ। କାର୍ତ୍ତିକ ମାସର ପଞ୍ଚୁକ ମଧ୍ୟରେ ପଡୁଥିବା ଶୁକ୍ଳ ଦ୍ୱାଦଶୀ ତିଥିରେ ରତ୍ନ ସିଂହାସନରେ ଅଧିଷ୍ଠିତ ଠାକୁରଙ୍କ ବାଙ୍କଚୂଡ଼ା ବେଶ ବେଶ ଅନୁଷ୍ଠିତ ହୋଇଥାଏ। ଏହି ଦିନ ଆବକାଶ ନୀତି ଶେଷ ହେବାପରେ ପାଳିଆ ମେକାପ,ଖୁଣ୍ଟିଆ,ଚାଙ୍ଗଡା ମେକାପ ଏବଂ କେତେଜଣ ପୁଷ୍ପାଳକ ଶ୍ରୀବିଗ୍ରହଙ୍କୁ ବାଙ୍କଚୂଡ଼ା ବେଶରେ ସଜ୍ଜିତ କରିଥାନ୍ତି।
ଯେତେବେଳେ ଭଗବାନ ଶ୍ରୀକୃଷ୍ଣଙ୍କୁ ଭକ୍ତ ଅକ୍ରୁର ମଥୁରା ନେବା ପାଇଁ ଗୋପ ଆସିଥିଲେ, ଏହି ବେଶରେ ପ୍ରଭୁଙ୍କୁ ଦର୍ଶନ କରିଥିଲେ । ସେହି ସୃତିକୁ ଉଜ୍ଜୀବିତ କରିବା ପାଇଁ ପୁରୀ ଶ୍ରୀମନ୍ଦିରରେ ବହୁ ପୁରାତନ କାଳରୁ ବାଙ୍କଚୂଡ଼ା ବେଶ ପାଳିତ ହୋଇଆସୁଛି । ଏହି ବେଶର ବିଶେଷତ୍ୱ ଯେ ଜଗନ୍ନାଥ ଓ ବଳଭଦ୍ରଙ୍କ ଶ୍ରୀମସ୍ତକରେ ଚନ୍ଦ୍ରିକା ଚୂଳ ସହିତ ଦକ୍ଷିଣ ଦିଗକୁ ଆଡ ଖୋସା ପଡେ ଏବଂ ଏହି ଖୋସା(ବେଣୀ)ର ଅଗ୍ର ଗଣ୍ଠିରେ ଏକ ସୁବର୍ଣ୍ଣ କିଆ ଖଞ୍ଜା ଯାଇଥାଏ। ଜଗନ୍ନାଥ ଚକ୍ର ଓ ଶଙ୍ଖ ଏବଂ ବଳଭଦ୍ର ହଳମୂଷଳ ଧାରଣ କରନ୍ତି । ଏହି ବେଶରେ ସୁଭଦ୍ରାଙ୍କ ଆଭୂଷଣ ପରିବର୍ତ୍ତନ ହୁଏନାହିଁ । ମାତ୍ର ତାଙ୍କର ମସ୍ତକ ସୂବର୍ଣ୍ଣ କିଆରେ ଶୋଭିତ ହୁଏ । କାର୍ତ୍ତିକ ମାସ ଶୁକ୍ଳପକ୍ଷ ତ୍ରୟୋଦଶୀ ତିଥି ଦିନ ଶ୍ରୀମନ୍ଦିରରେ ଠାକୁରମାନଙ୍କର ଆଡ଼କିଆ ବା ତ୍ରିବିକ୍ରମ ବେଶ ଅନୁଷ୍ଠିତ ହୋଇଥାଏ । ଉକ୍ତଦିନ ପ୍ରାତଃ ସମୟରେ ଶ୍ରୀଜୀଉମାନଙ୍କର ଅବକାଶ ନୀତି ଶେଷ ହେବା ପରେ ଏହି ବେଶ ଆରମ୍ଭ ହୋଇଥାଏ । ପୁଷ୍ପାଳକ ସେବକମାନେ ଏହି ବେଶ ସମ୍ପାଦନ କରିଥାନ୍ତି ।

ଆଡ଼କିଆ ବେଶ : ଆଡ଼କିଆ ବେଶରେ ଜଗନ୍ନାଥ ଓ ବଳଭଦ୍ରଙ୍କ ମସ୍ତକରେ ଚୂଳ ଲଗାଯାଏ । ଚୂଳ ଦୁଇଟି ସୋଲ, କନା, ବେତ, ଜମ୍ବୁରା, କଇଁଥ ଅଠା ଇତ୍ୟାଦିରେ ନିର୍ମିତ ହୋଇଥାଏ । ଏହି ଚୂଳରେ ସ୍ୱର୍ଣ୍ଣ ନିର୍ମିତ କିଆ ଆଡବାଗରେ ଖୋସା ଯାଇଥାଏ । ସୁଭଦ୍ରା ଓ ଅନ୍ୟ ଦୁଇ ଠାକୁରଙ୍କ ମସ୍ତକର ଶୀର୍ଷ ଭାଗରେ ସ୍ୱର୍ଣ୍ଣ ଚନ୍ଦ୍ରିକା ମଧ୍ୟ ଖଞ୍ଜା ଯାଇଥାଏ । ଏଥି ସହିତ ପୂର୍ବ ଦିନ ପରି ଅନ୍ୟାନ୍ୟ ସ୍ୱର୍ଣ୍ଣ ଅଳଙ୍କାର ଓ ହଳ, ମୂଷଳ, ଶଙ୍ଖ, ଚକ୍ର ଏବଂ ପାଟ ବସ୍ତ୍ର ଇତ୍ୟାଦିରେ ଠାକୁରମାନଙ୍କୁ ଆଡକିଆ ବା ତ୍ରିବିକ୍ରମ ବେଶରେ ଭୂଷିତ କରାଯାଇଥାଏ । କଥିତ ଅଛି ତ୍ରିବିକ୍ରମ ବା ଆଡକିଆ ବେଶ ଅତିବଡୀ ସମ୍ପ୍ରଦାୟର ଅତ୍ୟନ୍ତ ପ୍ରିୟ ଅଟେ। ପଞ୍ଚସଖାବାଦୀ ତଥା ଅତିବଡୀ ସମ୍ପ୍ରଦାୟର ବହୁ ସଂଖ୍ୟକ ଶିଷ୍ୟ -ଭକ୍ତ ତଥା ମହନ୍ତମାନେ ଏହି ମନୋରମ ବେଶ ଦର୍ଶନକରି ନିଜକୁ ସୌଭାଗ୍ୟ ମଣିଥାନ୍ତି ।

ଲକ୍ଷ୍ମୀନୃସିଂହ ବେଶ : ପଞ୍ଚକର ଚତୁର୍ଥ ଦିବସ ଅର୍ଥାତ କାର୍ତ୍ତିକମାସ ଶୁକ୍ଳପକ୍ଷ ବୈକୁଣ୍ଠ ଚତୁର୍ଦ୍ଦଶୀ ତିଥି ଦିନ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହମାନଙ୍କୁ ଡାଳିକିଆ ବା ଲକ୍ଷ୍ମୀନୃସିଂହ ବେଶରେ ସଜ୍ଜିତ କରାଯାଇଥାଏ | ଏହି ଦିନ ଶ୍ରୀକ୍ଷେତ୍ରସ୍ଥ ଚକ୍ରନୃସିଂହଙ୍କ ନିକଟରୁ ଶ୍ରୀଜୀଉଙ୍କ ପାଖକୁ ଆଜ୍ଞାମାଳ ଆସିଥାଏ । ନେପାଳର ରାଜା, ଶ୍ରୀରାମଦାସ ମଠ ଓ ବଡ଼ଛତା ମଠ ଏହି ବେଶ ପାଇଁ ସହଯୋଗ କରିଥାନ୍ତି । ଶ୍ରୀଜୀଉମାନଙ୍କର ଅବକାଶ ନୀତି ଶେଷ ହେବା ପରେ ଏହି ବେଶ ଆରମ୍ଭ ହୋଇଥାଏ । ସେବାୟତମାନେ ରତ୍ନଭାଣ୍ଡାରରୁ ଆଣିଥିବା ବିଭିନ୍ନ ପ୍ରକାର ସୁବର୍ଣ୍ଣ ଅଳଙ୍କାରରେ ଦିଅଁମାନଙ୍କୁ ସଜାଇଥାନ୍ତି । ସୋଲ ଓ ଜରିରେ ଡାଳି କରାଯାଇ ସେଥିରେ ପର୍ଯ୍ୟାପ୍ତ ସଂଖ୍ୟକ ରଙ୍ଗବେରଙ୍ଗର ଫୁଲ ସବୁକୁ ଶ୍ରୀମସ୍ତକରେ ଲଗାଯାଏ । ଏହି ଡାଳ ମଝି ମଝିରେ ଠିଆପାଖୁଡ଼ା ଆକୃତିର ସ୍ୱର୍ଣ୍ଣକିଆ ଖଞ୍ଜାଯାଇଥାଏ । ଗୋପାଳ ବଲ୍ଲଭ, ବାଳଭୋଗ ଓ ସକାଳଧୁପ ଶେଷହେବା ପର୍ଯ୍ୟନ୍ତ ଏହି ବେଶ ରହିଥାଏ ।

ସୁନାବେଶ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଏକ ବିଶେଷ ବେଶ, ଯହିଁରେ ଦିଅଙ୍କୁ ସୁବର୍ଣ୍ଣ ଆଭୂଷଣରେ ସାଜ କରାଯାଏ । ପ୍ରତିବର୍ଷ ସୁନାବେଶ ପାଞ୍ଚଥର ଅନୁଷ୍ଠିତ ହୋଇଥାଏ ।ଏହା ସାଧାରଣତଃ ପୌଷ ପୂର୍ଣ୍ଣିମା (ପୁଷ୍ୟାଭିଷେକ), ଫାଲଗୁନ ପୂର୍ଣ୍ଣିମା (ଦୋଳ ପୂର୍ଣ୍ଣିମା), ହରିଶୟନ ଏକାଦଶୀ (ବାହୁଡ଼ା ଏକାଦଶୀ), କାର୍ତ୍ତିକ ପୂର୍ଣ୍ଣିମା (ରାଜରାଜେଶ୍ୱର ବେଶ) ଓ ବିଜୟାଦଶମୀ (ଦଶହରା), ଦିନ ଅନୁଷ୍ଠିତ ହୋଇଥାଏ ।

ରାଜରାଜେଶ୍ୱର ବେଶ : ଏଥିମଧ୍ୟରୁ ଶ୍ରୀମନ୍ଦିରସ୍ଥ ରତ୍ନସିଂହାସନ ଉପରେ ଶ୍ରୀଜୀଉମାନେ କାର୍ତ୍ତିକ ପୂର୍ଣ୍ଣିମା, ପୌଷ ପୂର୍ଣ୍ଣିମା, ଦୋଳ ପୂର୍ଣ୍ଣିମା ଓ ଦଶହରା ତିଥି ଗୁଡ଼ିକରେ ସୁନାବେଶରେ ସଜ୍ଜିତ ହୋଇଥାନ୍ତି ଓ କେବଳ ଥରେ ମାତ୍ର ସମସ୍ତବର୍ଗର ଜନତାଙ୍କ ପାଇଁ ଆଷାଢ଼ ଶୁକ୍ଲ ଏକାଦଶୀଦିନ ସିଂହଦ୍ୱାରଠାରେ ରଖାଯାଇଥିବା ତିନିରଥ ଉପରେ ସୁନାବେଶରେ ସଜ୍ଜିତ ହୋଇଥାନ୍ତି ।ଶ୍ରୀଜୀଉମାନଙ୍କର ମଧ୍ୟାହ୍ନ ଧୂପ ଶେଷ ହେବା ପରେ, ପ୍ରାୟ ୨ଘଣ୍ଟା ସମୟ ବିନିମୟରେ ତିନିରଥ ଉପରେ ସୁନାବେଶ ଅନୁଷ୍ଠିତ ହୋଇଥାଏ । ଶ୍ରୀଜୀଉମାନେ ସୁନାବେଶରେ ପ୍ରାୟ ୬ଘଣ୍ଟା ପର୍ଯ୍ୟନ୍ତ ଭକ୍ତମାନଙ୍କୁ ଦର୍ଶନ ଦିଅନ୍ତି ।

Leave a comment