ଶ୍ରୀମନ୍ଦିର ଖୋଲିବା ନେଇ ଏସଓପି ଜାରି : ୧୬ରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ମନ୍ଦିର
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଶ୍ରୀମନ୍ଦିର ଖୋଲିବା ନେଇ ଜାରି ହେଲା ଏସଓପି । ଗୁରୁବାରଠୁ ୨ ଦିନ ସେବାୟତମାନଙ୍କ ପରିବାରକୁ ଦର୍ଶନ ପାଇଁ ଅନୁମତି ରହିଛି । ଆସନ୍ତା ୧୬ ତାରିଖରୁ ୨୦ ତାରିଖ ଯାଏଁ ପୁରୀବାସୀଙ୍କୁ ଦର୍ଶନ ପାଇଁ ଅନୁମତି ରହିଛି । ଆସନ୍ତା ୨୩ ତାରିଖରୁ ସର୍ବସାଧାରଣଙ୍କୁ ଦର୍ଶନ ଅନୁମତି ଦିଆଯାଇଛି । ସକାଳ ୭ଟାରୁ ସନ୍ଧ୍ୟା ୭ଟା ଯାଏଁ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ । କୋଭିଡ୍ ଗାଇଡ୍ ଲାଇନ୍ ଅନୁସାରେ ଶ୍ରଦ୍ଧାଳୁ ଦର୍ଶନ କରିପାରିବେ ।
ଉଲ୍ଲେଖଯୋଗ୍ୟ ଯେ, ଛତିଶାନିଯୋଗ ବୈଠକରେ ଶ୍ରୀମନ୍ଦିର ଖୋଲିବା ନେଇ ନିଷ୍ପତ୍ତି ହୋଇଥିଲା । ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବେ ଶ୍ରଦ୍ଧାଳୁ । ଆସନ୍ତା ୧୬ ତାରିଖ ଅର୍ଥାତ୍ ସୋମବାରଠାରୁ ଭକ୍ତମାନଙ୍କ ପାଇଁ ଖୋଲିବ ବଡ଼ଦେଉଳ । କାଳିଆ ସାଆନ୍ତଙ୍କ ସହ ବଡ଼ଠାକୁର ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କୁ ଦର୍ଶନ କରି ଚକ୍ଷୁ ପବିତ୍ର କରିବେ ଶ୍ରଦ୍ଧାଳୁ । ତେବେ ୧୬ ତାରିଖରେ ଶ୍ରୀମନ୍ଦିର ଖୋଲୁଥିଲେ ହେଁ ୨୩ ତାରିଖରୁ ସର୍ବସାଧାରଣ ଦର୍ଶନ ପାଇବେ ।
ପ୍ରଥମ ୫ ଦିନ ପୁରୀ ସହରବାସୀ ଶ୍ରୀମନ୍ଦିରରେ ଦର୍ଶନ କରିବେ । ଦର୍ଶନ ସମୟରେ କୋଭିଡ୍ କଟକଣା କଡ଼ାକଡ଼ି ପାଳନ କରାଯିବ । ଶ୍ରୀମନ୍ଦିର ପ୍ରବେଶ ପାଇଁ ଭକ୍ତମାନଙ୍କୁ ଆର୍ଟିପିସିଆର୍ ନେଗେଟିଭ୍ ରିପୋର୍ଟ କିମ୍ବା ଡବଲ୍ ଡୋଜ୍ ଟିକା ନେଇଥିବାର ପ୍ରମାଣପତ୍ର ଦେଖାଇବା ଜରୁରୀ । କରୋନା ସଂକ୍ରମଣ ଯୋଗୁଁ ଗତ ଅପ୍ରେଲ ୨୩ ତାରିଖରୁ ଶ୍ରୀମନ୍ଦିର ଦର୍ଶନ ବନ୍ଦ ଥିଲା ।