ଗଜପତିଙ୍କ ଶ୍ରୀନହର ଗୁଆ ଟେକା ନୀତି, ସୋମବାରଠୁ ତିନିଦିନ ଚାଲିବ ସ୍ୱତନ୍ତ୍ର ପୂଜାର୍ଚ୍ଚନା

ଆସନ୍ତା ୨୨ ତାରିଖରୁ ପୁରୀରେ ଅନୁଷ୍ଠିତ ହେବ ଶ୍ରୀମନ୍ଦିର ପରିକ୍ରମା ମାର୍ଗ ନିର୍ମାଣ ଭିତ୍ତି ପ୍ରସ୍ଥର ସ୍ଥାପନ ନେଇ ସ୍ୱତନ୍ତ୍ର ପୂଜାର୍ଚନା । ଏନେଇ ଯଜ୍ଞ ମଣ୍ଡପ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବାବେଳେ ୩ ଦିନ ଧରି ଯଜ୍ଞୋତ୍ସବ ଚାଲିବ ।
୨୪ ତାରିଖ ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯଜ୍ଞ ପୂର୍ଣ୍ଣାହୁତି କାର୍ଯ୍ୟକ୍ରମରେ ଯୋଗଦାନ ଦେବାର କାର୍ଯ୍ୟକ୍ରମ ରହିଥିବାରୁ ଏବେ ପ୍ରସ୍ତୁତି ଜୋରସୋରରେ ଆଗେଇ ଚାଲିଛି । ଏହି ଯଜ୍ଞ ଓ ପୂଜାର୍ଚନା ପାଇଁ ଗଜପତି ଦିବ୍ୟ ସିଂହ ଦେବ କର୍ତା ଭାବେ ରହୁଥିବାରୁ ଆଜି ଗଜପତି ଙ୍କ ଶ୍ରୀନହର ଗୁଆ ଟେକା ନୀତି ଅନୁଷ୍ଠିତ ହୋଇଛି ।
ରାଜଗୁରୁ, ଶ୍ରୋତ୍ରୀୟ ବ୍ରାହ୍ମଣ, ଜିଲ୍ଲାପାଳ, ଶ୍ରୀମନ୍ଦିର ନୀତି ପ୍ରଶାସକ ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ । ଆଜି ବ୍ରାହ୍ମଣ ଅଧିବାସ ପରେ ଯଜ୍ଞସ୍ଥଳରେ ଅଙ୍କୁରାରୋପଣ ଅନୁଷ୍ଠିତ ହେବ । ଆସନ୍ତାକାଲି ଠାରୁ ଯଜ୍ଞ ଅନୁଷ୍ଠିତ ହେବାକୁ ଥିବା ବେଳେ ୨୪ ତାରିଖ ସକାଳ ୯.୩୦ ସୁଦ୍ଧା ମୁଖ୍ୟମନ୍ତ୍ରୀ ପୁରୀରେ ପହଞ୍ଚି ଯଜ୍ଞ ଓ ଶିଳାନ୍ୟାସ କାର୍ଯ୍ୟକ୍ରମରେ ଭାଗ ନେବେ ।