ବନ୍ୟା ସ୍ଥିତିକୁ ନେଇ ଏଭଳି କହିଲେ ଏସଆରସି

0

ସୁବର୍ଣ୍ଣରେଖା ନଦୀରେ ବନ୍ୟା ସମ୍ଭାବନା ରହିଛି । ତେବେ ଆଜି ରାଜ୍ୟରେ ବନ୍ୟା ସ୍ଥିତିକୁ ନେଇ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ସାମ୍ବାଦିକ ସମ୍ମିଳନୀ କରି ଏଭଳି ସୂଚନା ଦେଇଛନ୍ତି । ଏଥିସହିତ ସେ ଆହୁରି କହିଛନ୍ତି ଯେ, ବୁଢାବାଳଙ୍ଗ ନଦୀରେ ସାମାନ୍ୟ ବନ୍ୟା ଆଶଙ୍କା ରହିଛି ।

ଅଵପାତର ପ୍ରଭାବରେ ମୟୁରଭଞ୍ଜ ଓ ବାଲେଶ୍ଵରରେ ପ୍ରବଳ ବର୍ଷା ଜାରି ରହିଥିବାବେଳେ ଝାଡ଼ଖଣ୍ଡରେ ବି ପ୍ରବଳ ବର୍ଷା ହୋଇଛି । ଫଳରେ ଝାଡ଼ଖଣ୍ଡ ଗାଲୁଡ଼ି ବ୍ୟରେଜ ୭ ଟି ଗେଟ ଖୋଲି ଥିବାରୁ ତାହାର ପାଣି ଆସି ସୁବର୍ଣ୍ଣରେଖାରେ ମିଶୁଛି, ଫଳରେ ଜଳସ୍ତର ବୃଦ୍ଧି ପାଇଛି । ସେହିପରି ବୁଢ଼ାବଳଙ୍ଗରେ ବିଶେଷ ବନ୍ୟା ସ୍ଥିତି ନାହିଁ । କିନ୍ତୁ ଉଭୟ ନଦୀ ଉପରେ ନଜର ରହିଛି ।

ଅନ୍ୟପଟେ ହୀରାକୁଦର ତଳମୁଣ୍ଡରେ ପ୍ରବଳ ବର୍ଷା ଦେଖିବାକୁ ମିଳିଛି । ରାଜ୍ୟରେ ସବୁଠୁ ଅଧିକ କନ୍ଧମାଳ,ବୌଦ୍ଧ ଓ କଳାହାଣ୍ଡିରେ ଅଧିକ ବୃଷ୍ଟିପାତ ହୋଇଛି । ଯାହାର ପ୍ରଭାବରେ ତେଲ ନଦୀରେ ବି ଅଧିକ ପାଣି ଆସିବାର ସମ୍ଭାବନା ରହିଛି । ଅନ୍ୟପଟେ ଖାଇରମାଳ ତଳେ ଥିବା ଅନ୍ୟାନ୍ୟ ନଦୀ ଗୁଡ଼ିକରେ ବି ପାଣି ଆସିବାର ସମ୍ଭାବନା ରହିଛି । ଯାହାଦ୍ୱାରା ମୁଣ୍ଡଳୀ ଠାରେ ୭.୫୦ ହଜାର କ୍ୟୁସେକ ପାଣି ପାସ କରିବ । ଏହା ୩୬ ଘଣ୍ଟା ପର୍ଯ୍ୟନ୍ତ ଲାଗି ରହିବ । ପାଣି ଯେତିକି ଆସୁଛି ତାହା ନଦୀ ଭିତରେ ହିଁ ରହିବ ବାହାରକୁ ଆସିବନି ବୋଲି କହିଛନ୍ତି।

Leave a comment