ଡାକ୍ତରଙ୍କ ସୁରକ୍ଷା ପାଇଁ ଆସିବ ସ୍ବତନ୍ତ୍ର ଆଇନ !

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଜନୈକ ଜୁନିୟର ଡାକ୍ତରଙ୍କୁ ମାଡ଼ ଘଟଣାରେ ପଶ୍ଚିମବଙ୍ଗର ଡାକ୍ତରମାନେ ପ୍ରାୟ ଏକ ସପ୍ତାହ ହେବ ଆନ୍ଦୋଳନରେ ବସିଛନ୍ତି । ଶନିବାର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଡାକ୍ତରମାନଙ୍କୁ ଆଲୋଚନା ଲାଗି ଡାକିଥିଲେ ମଧ୍ୟ ସେମାନେ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ । ତେବେ ଆଜି ସରକାରଙ୍କ ସହ ଆଲୋଚନା ପାଇଁ ରାଜି ହୋଇଛନ୍ତି ଆନ୍ଦୋଳନରତ ଡାକ୍ତର । କିନ୍ତୁ ଆକ୍ରମଣସ୍ଥଳ ଏନଆର୍‌ଏସ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲଠାରେ ଅନୁଷ୍ଠିତ ବୈଠକ ପରେ ସେମାନେ କହିଛନ୍ତି, ସେମାନେ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା ପାଇଁ ରାଜି ଅଛନ୍ତି । କିନ୍ତୁ ଏହା ଗୁପ୍ତରେ କରାନଯାଉ । ଏହି ଆଲୋଚନା ଖୋଲାରେ ଗଣମାଧ୍ୟମ ଏବଂ କ୍ୟାମେରା ସାମ୍ନାରେ ହେଉ ବୋଲି ଡାକ୍ତରମାନେ ସର୍ତ୍ତ ରଖିଛନ୍ତି । ସେପଟେ ଡାକ୍ତରମାନଙ୍କ ସୁରକ୍ଷା ନିମନ୍ତେ ସ୍ବତନ୍ତ୍ର ଆଇନ ଆଣିବାକୁ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ମୁଖ୍ୟମନ୍ତ୍ରୀମାନଙ୍କୁ ଚିଠି ଲେଖିଥିବା ଜଣାପଡ଼ିଛି । ଏଥିସହ ପଶ୍ଚିମବଙ୍ଗରେ ଡାକ୍ତରଙ୍କୁ ଆକ୍ରମଣ କରିଥିବା ଲୋକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନାଯୋଗ୍ୟ, ପଶ୍ଚିମବଙ୍ଗରେ ଜୁନିଅର ଡାକ୍ତରଙ୍କୁ ଆକ୍ରମଣ ପରେ ଏହି ଆନ୍ଦୋଳନ ଆରମ୍ଭ ହୋଇଥିବା ବେଳେ ଏବେ ଏହା ସାରା ଦେଶକୁ ବ୍ୟାପିଛି । ଓଡ଼ିଶା ସମେତ ଦିଲ୍ଲୀ, ମୁମ୍ବାଇ, ନାଗପୁର, ପାଟନା, ହାଇଦ୍ରାବାଦ, ବାରାଣସୀ, କର୍ଣ୍ଣାଟକ, ରାଜସ୍ଥାନ ଓ ଛତିଶଗଡରେ ଡାକ୍ତରମାନେ ଆନ୍ଦୋଳନ କରୁଛନ୍ତି । କେତେକ ସ୍ଥାନରେ ଡାକ୍ତରମାନେ ହେଲମେଟ ଓ ମୁଣ୍ଡରେ ଗଜ କପଡ଼ା ବାନ୍ଧି ଆନ୍ଦୋଳନ କରୁଥିବା ଦେଖାଯାଉଛି ।

Leave a comment