ବାତ୍ୟା କ୍ଷତିଗ୍ରସ୍ତଙ୍କ ପାଇଁ ୧୬୦୦ କୋଟି ଟଙ୍କାର ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କଲେ ରାଜ୍ୟ ସରକାର

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବାତ୍ୟା କ୍ଷତିଗ୍ରସ୍ତଙ୍କ ପାଇଁ ରାଜ୍ୟ ସରକାର ୧୬୦୦ କୋଟି ଟଙ୍କାର ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି । ପ୍ରାଣୀ ସମ୍ପଦ, ମତ୍ସ୍ୟ, ହସ୍ତତନ୍ତ, ବୟନ ଶିଳ୍ପ, ଫସଲ ଏବଂ ଚାଷ ଭିତ୍ତିଭୂମି କ୍ଷତିର ଭରଣା ପାଇଁ ରାଜ୍ୟ ସଚିବାଳୟ ଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଏହି ପ୍ୟାକେଜ ଘୋଷଣା କରିଛନ୍ତି ।

‘ଫନୀ’ ମାଡ଼ରେ ୩୩ ପ୍ରତିଶତରୁ ଊର୍ଦ୍ଧ୍ୱ କ୍ଷତିଗ୍ରସ୍ତ ଅଣ ଜଳସେଚିତ ଜମି ପାଇଁ ହେକ୍ଟର ପିଛା ୬ ହଜାର ୮୦୦ ଟଙ୍କା, ଜଳ ସେଚିତ ଜମି ପାଇଁ ୧୩,୫୦୦ ଏବଂ ସବୁଦିନିଆ ଫସଲ ପାଇଁ ହେକ୍ଟର ପିଛା ୧୮ ହଜାର ଟଙ୍କା ସହାୟତା ଦେବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି । ଏବଂ ବାରମାସି ଫସଲ କ୍ଷତିଗ୍ରସ୍ତ ଚାଷୀଙ୍କୁ ସର୍ବନିମ୍ନ ହେକ୍ଟର ପିଛା ୨ହଜାର ଏବଂ ଅନ୍ୟାନ୍ୟ ଫସଲ ପାଇଁ ସର୍ବନିମ୍ନ ୧ହଜାର ଟଙ୍କା ପ୍ରଦାନ କରାଯିବ । ଏଥିସହ ବାତ୍ୟା ପ୍ରଭାବିତ ଚାଷୀଙ୍କୁ ୧ଲକ୍ଷ ପନିପରିବା ମଞ୍ଜି ମଧ୍ୟ ଯୋଗାଇ ଦିଆଯିବ । ଆଖୁଚାଷ ପାଇଁ ପ୍ରଶିକ୍ଷଣ ଦିଆଯିବା ସହ ୫ହଜାର ହେକ୍ଟର ଆଖୁଚାଷ ପାଇଁ ପ୍ରତି ହେକ୍ଟର ପିଛା ୨୦ ହଜାର ଟଙ୍କା ପ୍ରଦାନ କରାଯିବ । ସେହିପରି ଖରିଫ ଋତୁ ପାଇଁ ତୁରନ୍ତ ବିହନ ବଣ୍ଟନ କାର୍ଯ୍ୟ ତ୍ୱରାନ୍ବିତ କରାଯିବ । ପାନବରଜ କ୍ଷତିଗ୍ରସ୍ତଙ୍କ ପାଇଁ ୫ ହଜାର ଓ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ (ଡବ୍ଲ୍ୟୁଏସ୍‌ଏଚ୍‌ଜି)ଙ୍କୁୁ ୧୫ ହଜାର ଟଙ୍କା ଲେଖାଏ ପ୍ରୋତ୍ସାହନ ରାଶି ଯୋଗାଇ ଦିଆଯିବ । ଏହି ପ୍ୟାକେଜରେ ରବି ଫସଲ ପାଇଁ ଋଣ ନେଇଥିବା ଚାଷୀମାନଙ୍କୁ ପରିଶୋଧ କରିବାକୁ ୨୦୨୦ ଜୁନ୍‌ ୩୦ ଯାଏ ସମୟ ଦିଆଯାଇଛି ।

Leave a comment