ଦୁର୍ଘଟଣାରେ ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନଟି ରାମା ରାଓଙ୍କ ପୁଅ ମୃତ

0


ଓଡ଼ିଶା ଫାଷ୍ଟ(ବ୍ୟୁରୋ): ହାଇଦ୍ରାବାଦ ଠାରେ ଏକ ମର୍ମନ୍ତୁତ ସଡ଼କ ଦୁର୍ଘଟଣା ଘଟିଯାଇଛି । ଏହି ଦୁର୍ଘଟଣାରେ ଦକ୍ଷିଣ ଭାରତୀୟ ଫିଲ୍ମର ସୁପର୍‌ଷ୍ଟାର୍ ଜୁନିଅର ଏନ୍‌ଟିଆର୍‌ଙ୍କ ବାପା ନନ୍ଦମୂର୍ତି ହରିକୃଷ୍ଣାଙ୍କର ପରଲୋକ ହୋଇଯାଇଛି । ସେ ପ୍ରସିଦ୍ଧ ଅଭିନେତା ତଥା ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନଟି ରାମା ରାଓଙ୍କ ଚତୁର୍ଥ ପୁଅ ଥିଲେ । ଏବଂ ସେ ଆନ୍ଧ୍ରପ୍ରଦେଶ ର ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ଭେଣେଇ ।

ସୂଚନା ଅନୁଯାୟୀ, ଆଜି ସକାଳେ ନନ୍ଦମୂର୍ତି ହରିକୃଷ୍ଣା ନେଲ୍ଲୋରରୁ ହାଇଦ୍ରାବାଦ୍ ଫେରୁଥିଲେ । ଏହି ସମୟରେ ତେଲେଙ୍ଗାନାର ନାଲଗୋଣ୍ଡା ଠାରେ ହରିକୃଷ୍ଣାଙ୍କ କାର ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ତାଙ୍କୁ ଗୁରୁତର ଅବସ୍ଥାରେ କମିନେନି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା ।

ପୋଲିସର କହିବା ମୁତାବକ ହରିକୃଷ୍ଣା ନିଜେ ଗାଡି ଚଳାଉଥିଲେ । ସେ ୧୬୦ କିଲୋମିଟର ପ୍ରତି ଘଣ୍ଟା ସ୍ପୀଡ଼ରେ ଗାଡି ଚଳାଇବା ସହ ସିଟ ବେଲ୍ଟ ମଧ୍ୟ ବାନ୍ଧି ନଥିଲେ ତେଣୁ ଦୁର୍ଘଟଣା ସମୟରେ ସେ ଗାଡି ରୁ ବାହାରକୁ ଛିଟିକି ପଡ଼ିଥିଲେ ।

ହରିକୃଷ୍ଣା ମଧ୍ୟ ଜଣେ ଲୋକପ୍ରିୟ ଫିଲ୍ମ ଅଭିନେତା ଥିଲେ । ସେ ତେଲୁଗୁ ସିନେମାରେ ପ୍ରଥମେ ଶିଶୁ କଳାକାର ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ । ଏହା ସହିତ ହରିକୃଷ୍ଣା ଟିଡିପିର ଜଣେ ନେତା ମଧ୍ୟ ଥିଲେ।

ଏହା ପୂର୍ବରୁ ଜୁନିଅର ଏନ୍‌ଟିଆର୍‌ ୨୦୦୯ ରେ ସଡ଼କ ଦୁର୍ଘଟଣାରେ ଗୁରୁତର ହୋଇଥିଲେ । ସେହିପରି ହରିକୃଷ୍ଣାଙ୍କ ଅନ୍ୟ ଜଣେ ପୁଅ ନନ୍ଦମୂର୍ତି ଜାନକୀରାମଙ୍କର ୨୦୧୪ ରେ ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା ।

Leave a comment