ACF ସୌମ୍ୟରଞ୍ଜନଙ୍କ ମୃତ୍ୟୁ ରହସ୍ୟ ଖୋଲିବେ କି ବିଦ୍ୟାଭାରତୀ ? ଗୌଡ ଗାଁରେ କ୍ରାଇମବ୍ରାଞ୍ଚ ଟିମ୍, ବିଦ୍ୟାଙ୍କୁ କରିବ ଜେରା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା ଏବେ ଅଡୁଆ ସୂତା । ସୌମ୍ୟଙ୍କ ମୃତ୍ୟୁ ରହସ୍ୟର ଖୋଳତାଡ କରୁଛି କ୍ରାଇମବ୍ରାଞ୍ଚ । ପତ୍ନୀ ବିଦ୍ୟାଭାରତୀଙ୍କୁ ଜେରା କରିବା ପାଇଁ କପ୍ତିପଦାର ଗୌଡ଼ ଗାଁ ସ୍ଥିତ ବିଦ୍ୟାଭାରତୀଙ୍କ ଘରେ ପହଞ୍ଚିଛି କ୍ରାଇମବ୍ରାଞ୍ଚ ଟିମ୍ । କ୍ରାଇମବ୍ରାଞ୍ଚ ଡିଏସପି ଜ୍ଞାନରଞ୍ଜନ ମିଶ୍ରଙ୍କ ନେତୃତ୍ବରେ ୫ଜଣିଆ ଟିମ୍ କରୁଛି ଛାନଭିନ୍ । ସୌମ୍ୟଙ୍କ ମୃତ୍ୟୁ ନେଇ କ୍ରାଇମବ୍ରାଞ୍ଚ ପ୍ରଶ୍ନବାଣର ସମ୍ମୁଖୀନ ହେବେ ବିଦ୍ୟାଭାରତୀ । କେମିତି ପୋଡିଗଲେ ସୌମ୍ୟ ? ସାହାଯ୍ୟ ପାଇଁ କାହାକୁ ପ୍ରଥମେ ଡାକିଥିଲେ ବିଦ୍ୟାଭାରତୀ ? କିଏ ପ୍ରଥମେ ସାହାଯ୍ୟ ପାଇଁ ଆସିଥିଲା ? ଏମିତି ଅନେକ ପ୍ରଶ୍ନର ସମ୍ମୁଖୀନ ହୋଇପାରନ୍ତି ମୃତ ଏସିଏଫ ସୌମ୍ୟରଞ୍ଜନଙ୍କ ପତ୍ନୀ ବିଦ୍ୟାଭାରତୀ ।

ସେପଟେ ବୁଧବାର ସୌମ୍ୟରଞ୍ଜନଙ୍କ ପରିବାର ସଦସ୍ୟଙ୍କ ବୟାନ ରେକର୍ଡ କରିଛି କ୍ରାଇମବ୍ରାଞ୍ଚ । କ୍ରାଇମବ୍ରାଞ୍ଚ ଟିମ୍‌ ସୌମ୍ୟଙ୍କ ବାଲେଶ୍ବର ଜିଲ୍ଲା ଖଇରା ବେଗୁନିଆ ଗାଁରେ ପହଞ୍ଚିଥିଲା କ୍ରାଇମବ୍ରାଞ୍ଚର ୪ ଜଣିଆ ଟିମ୍‌ । କ୍ରାଇମବ୍ରାଞ୍ଚ ଡିଏସ୍‌ପି ଜ୍ଞାନରଞ୍ଜନ ମିଶ୍ରଙ୍କ ନେତୃତ୍ବରେ ଆସିଥିବା ଏହି ଟିମ୍‌ ସୌମ୍ୟଙ୍କ ବାସଭବନରେ ପହଞ୍ଚି ସୌମ୍ୟଙ୍କ ବାପା ଅଭିରାମ ମହାପାତ୍ର, ମା’ ତୁଳସୀ, ମାମୁଁ ଶୀତିକଣ୍ଠ ପଣ୍ଡା, ବଡ ମାଇଁ ଉର୍ମିଳା ପଣ୍ଡା ଓ ବଡ ଭାଇ ରଞ୍ଜନଙ୍କୁ ସାଢ଼େ ତିନି ଘଣ୍ଟା ପଚରାଉଚରା କରି ଫେରିଥିଲା । ସୌମ୍ୟ ଫୋନରେ କରିଥିବା ବାର୍ତ୍ତାଳାପ, ବିଦ୍ୟାଭାରତୀଙ୍କ ଡିଏଫ୍‌ଓଙ୍କ ସହ ସଂପର୍କ, ସୌମ୍ୟ କିଭଳି ମାନସିକ ଚାପରେ ରହୁଥିଲେ ଆଦି ବିଷୟରେ କ୍ରାଇମବ୍ରାଞ୍ଚକୁ ଜଣାଇଥିଲେ ସୌମ୍ୟଙ୍କ ପରିବାର ।

ସୌମ୍ୟଙ୍କ ପରିବାରର ଅଭିଯୋଗକୁ ଆଧାର କରି ବିଦ୍ୟାଭାରତୀଙ୍କୁ କ୍ରାଇମବ୍ରାଞ୍ଚ ଜେରା କରିବ । ୨ ଜଣ ମହିଳା DSP ତାଙ୍କୁ ଜେରା କରିବେ । ସୌମ୍ୟଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାରେ ପାରଳାଖେମୁଣ୍ଡିରୁ ଅନେକ ତଥ୍ୟ ହାସଲ କରିଛି କ୍ରାଇମବ୍ରାଞ୍ଚ । ତେବେ ବିଭିନ୍ନ ରିପୋର୍ଟକୁ ଅପେକ୍ଷା କରାଯାଇଛି । ଏହିସବୁ ରିପୋର୍ଟ ଆସିବା ପରେ ତଦନ୍ତ ପ୍ରକ୍ରିୟା ଆଗକୁ ବଢ଼ିବ ବୋଲି ସୂଚନା ଦେଇଥିଲେ କ୍ରାଇମବ୍ରାଞ୍ଚ ADG ସଞ୍ଜୀବ ପଣ୍ଡା ।

Leave a comment