କାରଣ ଦର୍ଶାଅ ନୋଟିସ ପରେ ମଧ୍ୟ ମୁହଁ ଟାଣ, କ’ଣ କହିଲେ ବିଧାୟିକା ପ୍ରମିଳା ମଲ୍ଲିକ ପଢନ୍ତୁ

0

ଭୁବନେଶ୍ୱର, ଓଡ଼ିଶା ଫାଷ୍ଟ(ବ୍ୟୁରୋ): ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରିବା ଏବଂ କାରଣ ଦର୍ଶାଅ ନୋଟିସ ଜାରିହେବା ପରେ ମୁହଁ ଟାଣ କରି ଏହା ସପକ୍ଷରେ ଯୁକ୍ତି ବଢ଼ିବା ନେଇ ପୁଣି ଚର୍ଚ୍ଚାରେ ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ । ଗତକାଲି ନିଜ ନିର୍ବାଚନ ମଣ୍ଡଳୀର ଏକ ସଭାରେ ଖୋଲାଖୋଲି ଭାବେ ଭୋଟରଙ୍କୁ ଚେତାବନୀ ଦେଇଥିଲେ ବିଧାୟିକା । ଯାହାକୁ ନେଇ ରାଜନୀତି ସରଗରମ ହେବାସହ ସ୍ଥାନୀୟ ବାସିନ୍ଦା ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ । କିଛି ସ୍ଥାନୀୟ ବାସିନ୍ଦା କହିଥିଲେ, ଭତ୍ତା ରୁ ଆବାସ ଯୋଜନା ଯାଏଁ ସମସ୍ତ ଯୋଜନା ଅର୍ଥ ବିଧାୟିକା କ’ଣ ନିଜସ୍ୱ ପାଣ୍ଠିରୁ ପ୍ରଦାନ କରୁଥିଲେ । ଏହାକୁ ନେଇ ଅଭିଯୋଗ ହେବା ପରେ ପ୍ରମିଳା ମଲ୍ଲିକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି ଯାଜପୁର ଜିଲ୍ଲାପାଳ । ରାଜ୍ୟ ନିର୍ବାଚନ କମିଶନରଙ୍କ ନିର୍ଦ୍ଦେଶ କ୍ରମେ କାରଣ ଦର୍ଶାଅ ନୋଟିସ୍ ଜାରି ହୋଇଛି ।

ସୂଚନା ଅନୁଯାୟୀ, ଦଳୀୟ ପ୍ରାର୍ଥୀଙ୍କୁ ଭୋଟ ନଦେଲେ ବାର୍ଦ୍ଧକ୍ୟ ଭତ୍ତା, ରାସନକାର୍ଡ ଏବଂ ପ୍ରଧାନମନ୍ତ୍ରୀ ଆବାସ ସବୁ ବନ୍ଦ ବୋଲି ଗତକାଲି ଭୋଟରଙ୍କୁ ଏକ ନିର୍ବାଚନୀ ସଭାରେ କହିଥିଲେ ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ । ପ୍ରମିଳା ଏକ ଦଳୀୟ ପ୍ରଚାର କରୁଥିବା ସମୟରେ ଦେଇଥିବା ମନ୍ତବ୍ୟକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଥିଲା । ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ପ୍ରଚାର ଚାଲିଥିବା ବେଳେ ଆଦର୍ଶ ଆଚରଣ ବିଧିର ଏହା ଖୋଲାଖୋଲି ଉଲ୍ଲଂଘନ ବୋଲି ବିରୋଧୀ ଅଭିଯୋଗ କରିଥିଲେ ।

ଅପରପକ୍ଷରେ ବିଧାୟିକା ପ୍ରମିଳା ମଲ୍ଲିକ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ସେ କୌଣସି ଆଇନ ଉଲଂଘନ କରିନାହାଁନ୍ତି । ଏବଂ ପୁଣି ଥରେ ପୂର୍ବ କଥାକୁ ଦୋହରାଇଛନ୍ତି । ତାଙ୍କ ସଫେଇରେ କହିଛନ୍ତି ଯେ, ‘ଯିଏ ପ୍ରାର୍ଥୀଙ୍କୁ ଭୋଟ ନଦେବେ ଓ ଅନ୍ୟକୁ ଭୋଟ ଦେଇ, ପରେ ସମସ୍ୟା ନେଇ ତାଙ୍କ ପାଖକୁ ଆସିବେ ତାହେଲେ ସେ କାହିଁକି ଶୁଣିବେ । ଦଳର ପ୍ରାର୍ଥୀଙ୍କୁ ଭୋଟ ଦେବା କହିବାରେ କୌଣସି ଭୁଲ ନାହିଁ ।’

Leave a comment