BSKYରେ ଯୋଡ଼ି ହେବ ନୟାଗଡ଼ ଓ ଜଗତସିଂହପୁର: ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ନୟାଗଡ଼ରେ ଲେଖାହେବ ବିକାଶର ନୂଆ କାହାଣୀ । ଉଇଁବ ସେବା ଆଉ ଉନ୍ନତିର ନୂଆ ସୂର୍ଯ୍ୟ । ଜିଲ୍ଲାବାସୀ ପାଇବେ ସ୍ୱାସ୍ଥ୍ୟ ସେବାର ମାଷ୍ଟର କି । ସକାଳ ୧୧ଟା ୩୦ରେ ଭର୍ଚୁଆଲରେ ବିଏସ୍‌କେଓ୍ୱାଇ ସ୍ମାର୍ଟକାର୍ଡ ବଣ୍ଟନର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସ୍ମାର୍ଟକାର୍ଡ ଦ୍ୱାରା ଜିଲ୍ଲାର ୨ଲକ୍ଷ ୨୩ ହଜାର ୬୦ ପରିବାରର ୭ଲକ୍ଷରୁ ଅଧିକ ଲୋକ ଉପକୃତ ହେବେ । ଏହା ସହ ଜିଲ୍ଲାବାସୀଙ୍କ ପାଇଁ ଖୋଲିବ ବିକାଶର ପେଡି । ଜିଲ୍ଲାରେ ହଜାରେ କୋଟିରୁ ଅଧିକ ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ । ୮୫କୋଟି ୩୫ଲକ୍ଷ ଟଙ୍କାରେ ୧୫୧ଟି ପ୍ରକଳ୍ପର ଉଦଘାଟନ କରିବେ ନବୀନ । ଏହା ସହିତ ୯୦୯ କୋଟି ୧୮ଲକ୍ଷ ଟଙ୍କାରେ ୧୦୮ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ହେବ। କାର୍ଯ୍ୟକ୍ରମରେ କୃଷି ମନ୍ତ୍ରୀ ଅରୁଣ କୁମାର ସାହୁଙ୍କ ସହ ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାଶ, ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଯୋଗଦେବେ । ମୁଖ୍ୟମନ୍ତ୍ରୀ ସ୍ମାର୍ଟକାର୍ଡ ବଣ୍ଟନର ଶୁଭାରମ୍ଭ କରିବା ପରେ ଜିଲ୍ଲାର ସମସ୍ତ ବ୍ଲକରେ ଆରମ୍ଭ ହେବ ସ୍ମାର୍ଟ କାର୍ଡ ବଣ୍ଟନ କାର୍ଯ୍ୟକ୍ରମ ।

ସେହିଭଳି ବିଏସ୍‌କେଓ୍ୱାଇରେ ଯୋଡ଼ିହେବ ଜଗତସିଂହପୁର ଜିଲ୍ଲା । ଜିଲ୍ଲାରେ ବିଏସ୍‌କେଓ୍ୱାଇ ସ୍ମାର୍ଟକାର୍ଡ ବଣ୍ଟନର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅପରାହ୍ଣ ୫ଟାରେ ଭର୍ଚୁଆଲରେ ଜିଲ୍ଲାବାସୀଙ୍କୁ ସ୍ୱାସ୍ଥ୍ୟ ବିପ୍ଳବରେ ସାମିଲ କରିବେ ମୁଖ୍ୟମନ୍ତ୍ରୀ । ସ୍ମାର୍ଟକାର୍ଡ ଦ୍ୱାରା ଜିଲ୍ଲାରେ ୨ ଲକ୍ଷ ୩୮ ହଜାର ୬୧୪ ପରିବାରର ୮ ଲକ୍ଷ ୭୭ ହଜାର ୬୦ଜଣ ହିତାଧିକାରୀ ଉପକୃତ ହେବେ । ଏହା ଛାଡ଼ି ଜିଲ୍ଲାର ବିକାଶ ପାଇଁ ଖୋଲିବ ଅନୁଦାନ ପେଡ଼ି । ୨୧୪ଟି ପ୍ରକଳ୍ପର ଶିଳାନ୍ୟାସ ସହ ୧୪୮ ଟି ପ୍ରକଳ୍ପର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ।

Leave a comment