ଜାତୀୟ ସାହସିକତା ପୁରସ୍କାର ପାଇବେ କେନ୍ଦ୍ରାପଡ଼ାର ସିତୁ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଜାତୀୟ ସାହସିକତା ପୁରସ୍କାର ପାଇବେ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ଅଧୀନ କଣ୍ଡିରା ପଞ୍ଚାୟତ କଣ୍ଡିରା ଗ୍ରାମର ମେଘନାଦ ମଲ୍ଲିକଙ୍କ ପୁଅ ସିତୁ(୧୫) । ଏ ନେଇ ନୁଆଦିଲ୍ଲୀସ୍ଥିତ ଭାରତୀୟ ଶିଶୁ ମଙ୍ଗଳ ପରିଷଦ ପକ୍ଷରୁ କେନ୍ଦ୍ରାପଡା ଜିଲ୍ଲାପାଳଙ୍କ ନିକଟକୁ ଚିଠି ଆସିଥିବା ଜଣାପଡିଛି । ମାତ୍ର ୧୫ ବର୍ଷ ବୟସରେ କୁମ୍ଭୀର ମୁହଁରୁ ନିଜ ଦାଦାଙ୍କୁ ଉଦ୍ଧାର କରି ସିତୁ ସାହସିକତାର ପରିଚୟ ଦେଇଥିଲେ । ଏଥିପାଇଁ ଆସନ୍ତା ସାଧାରଣତନ୍ତ୍ର ଦିବସ ଅବସରରେ ରାଷ୍ଟ୍ରପତି ତାଙ୍କୁ ଜାତୀୟ ସାହସିକତା ପୁରସ୍କାର ପ୍ରଦାନ କରିବେ ।

ପ୍ରକାଶ ଯେ, ଗତ ଫେବୃୟାରୀରେ ସିତୁଙ୍କ ଦାଦା ବିନୋଦ ଘର ନିକଟସ୍ଥ ପାଟନାଳୀରେ ଗୋଡ଼ ଧୋଉଥିବା ବେଳେ ତାଙ୍କୁ ଏକ କୁମ୍ଭୀର ଆକ୍ରମଣ କରିଥିଲା । ବିନୋଦଙ୍କ ଚିତ୍କାର ଶୁଣି ସିତୁ ସେଠାରେ ପହଞ୍ଚି ସେ ଧରିଥିବା ଏକ ଟର୍ଚ୍ଚରେ କୁମ୍ଭୀର ଆଖିକୁ ପିଟି ଦେଇଥିଲେ । ଫଳରେ କୁମ୍ଭୀରଟି ବିନୋଦଙ୍କ ହାତ ଛାଡ଼ି ପଳାଇଥିଲା । ତେବେ ରକ୍ତାକ୍ତ ଅବସ୍ଥାରେ ବିନୋଦଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।

ସିତୁଙ୍କ ଏଭଳି ସାହସିକତା ପାଇଁ ପୂର୍ବତନ ଜିଲ୍ଲାପାଳ ରେଘୁ ଜୀ. ଉତ୍କଳ ଦିବସ ଅବସରରେ ତାଙ୍କୁ ପୁରସ୍କୃତ କରିବା ସହ ଜାତୀୟ ସାହସିକତା ପୁରସ୍କାର ପାଇଁ ଜିଲା ଶିଶୁ ୟୁନିଟ୍‌ ପକ୍ଷରୁ ତାଙ୍କ ନାମ ସୁପାରିଶ କରାଯାଇଥିଲା । ଚଳିତ ମାସ ୨୦ତାରିଖରୁ ଆରମ୍ଭ ହେବାକୁ ଥିବା ପଲ୍ଲିଶ୍ରୀ ମେଳା ଅବସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସିତୁକୁ ସମ୍ବର୍ଦ୍ଧିତ କରାଯିବ ବୋଲି ଜିଲ୍ଲାପାଳ ଦାଶରଥି ଶତପଥୀ କହିଛନ୍ତି ।

Leave a comment