ସିନ୍ଧି ଚୋରକୁ ଜେଲ ଓ ଜୋରିମାନା

0

ଭୁବନେଶ୍ୱର: ଭୁବନେଶ୍ୱର ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତ-୩ ର ବିଚାରପତି ପୂଜା ଜୈନ, ଚଳିତ ବର୍ଷ ଏପ୍ରିଲ ମାସରେ ନୟାପଲ୍ଲୀ ଥାନା ଅନ୍ତର୍ଗତ ଭୋଇସାହିର ପ୍ଲଟ ନମ୍ବର-୩୧ ରେ ହୋଇଥିବା ସିନ୍ଧିଚୋରୀ ମାମଲା ଅଭିଯୁକ୍ତ କୃଷ୍ଣ ଭୋଇଙ୍କୁ ଦୋଷୀ ସାବ୍ୟସ୍ତ କରି ସଜା ଶୁଣାଇଛନ୍ତି ।

ଘଟଣାର ଅନ୍ତରାଳେ:
ଅଭିଯୋଗକାରୀଣୀ ପ୍ରତ୍ତିମା ବେହେରା ପରିବାର ସହ ନୟାପଲ୍ଲୀ ଥାନା ଅନ୍ତର୍ଗତ ଭୋଇ ସାହିରେ ଥିବା ପ୍ଲଟ ନମ୍ବର-୩୧ ରେ ରୁହନ୍ତି । ଗତ ତା.୧୧.୦୪.୨୦୨୪ ରିଖ ମଧ୍ୟାହ୍ନ ସମୟରେ ଅଭିଯୋଗକାରିଣୀଙ୍କ ସମେତ ପରିବାରର ସମସ୍ତ ସଦସ୍ୟ ଉପର ମହଲାରେ ଥିବା ବେଳେ, ଏହାର ସୁଯୋଗ ନେଇ ଅଭିଯୁକ୍ତ କୃଷ୍ଣ ଭୋଇ ତଳ ମହଲାରେ ପ୍ରବେଶ କରି ଗାଧୁଆ ଘରେ ଲାଗିଥିବା ସମସ୍ତ ଟ୍ୟାପ ଓ ସାୱାର ସହିତ ଏକ କବାଟକୁ ମଧ୍ୟ ଭାଙ୍ଗି, ତାହାକୁ ଚୋରିକରି ନେଇଯାଇଥିଲେ । ଘଟଣା ସଂର୍ପକରେ ଜଣାପଡିବା ପରେ ଅଭିଯୋଗକାରିଣୀ ଏନେଇ ନୟାପଲ୍ଲୀ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ ।

ପ୍ରତ୍‌ତିମା ବେହେରାଙ୍କ ଅଭିଯୋଗକୁ ଭିତ୍‌ତିକରି ନୟାପଲ୍ଲୀ ଥାନା କେସ ନଂ.-୨୦୯/୨୦୨୪, ଦଫା- ୪୫୪/୩୮୦ ରେ ଏକ ମାମଲା ରୁଜୁ କରାଯାଇଥିବା ବେଳେ, ଏହି ମାମଲାର ତଦନ୍ତ ଦାୟିତ୍ୱ ଏସଆଇ ଶ୍ରୀ ଶିଶିର ଆଚାର୍ଯ୍ୟଙ୍କୁ ହସ୍ତାନ୍ତର କରାଯାଇଥିଲା । ତଦନ୍ତକାରୀ ଅଫିସର ଶ୍ରୀ ଆଚାର୍ଯ୍ୟ ଉପରୋକ୍ତ ମାମଲାକୁ ସଠିକ ଭାବେ ତଦନ୍ତ କରିବା ସହିତ ଆସାମୀ କୃଷ୍ଣ ଭୋଇଙ୍କୁ ଖୁବଶୀଘ୍ର ଗିରଫ କରିବାରେ ସକ୍ଷମ ହୋଇଥିବା ବେଳେ, ନିର୍ଦ୍ଧାରିତ ସମୟ ପୂର୍ବରୁ ଆସାମୀଙ୍କ ବିରୁଦ୍ଧରେ ଅଦାଲତରେ ଚାର୍ଜ ସିଟ୍ ଦାଖଲ କରିଥିଲେ ।
ଉପରୋକ୍ତ ମାମଲାର ବିଚାର କରି ମାନ୍ୟବର ଅଦାଲତ ବିଭିନ୍ନ ସାକ୍ଷୀ ଓ ପ୍ରଯୁଜ୍ୟ ଦସ୍ତାବିଜ ଗୁଡ଼ିକୁ ଆଧାର କରି ଆସାମୀ କୃଷ୍ଣ ଭୋଇଙ୍କୁ ୬ ମାସ ସଶ୍ରମ କାରାଦଣ୍ଡ ସହିତ ୫୦୦ ଟଙ୍କା ଜୋରିମନା ଆଦେଶ ଦେଇଛନ୍ତି । ଏହି ମାମଲାକୁ ସରକାରଙ୍କ ତରଫରୁ ସହକାରୀ ପବ୍ଲିକ୍ ପ୍ରୋସିକ୍ୟୁଟର ଶ୍ରୀ କଳ୍ପତରୁ ସାହୁ, ଶ୍ରୀ ସରୋଜ ସ୍ୱାଇଁ ଓ ସବିତା କୁମାରୀ ଚୌଧୁରୀ ପ୍ରମୁଖ ପରିଚାଳନା କରିଥିଲେ ।

ସୂଚନାଯୋଗ୍ୟ ଯେ, ଗତବର୍ଷ ସମୁଦାୟ ୮୨ଟି ମାମଲାରେ ଦୋଷୀ ମାନଙ୍କୁ ସଜା ଦିଆଯାଇ ସାରିଥିବା ବେଳେ ଭୁବନେଶ୍ୱର ସହରାଂଚଳ ଜିଲ୍ଲା ତରଫରୁ ଚଳିତ ବର୍ଷ ଏଯାବତ ୬୪ ଟି ମାମଲାରେ ଦୋଷୀଙ୍କୁ ସଜା ହୋଇସାରିଛି ।

Leave a comment