ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ: ଏଏସ୍ଆଇ ଅଧୀକ୍ଷକଙ୍କ ବିରୋଧରେ ଏତଲା

0

ଭୁବନେଶ୍ୱର(ଓଡ଼ିଶା ଫାଷ୍ଟ ବ୍ୟୁରୋ): ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ବିବାଦ ଦିନକୁ ଦିନ ବଢିଚାଲିଛି । ଏହି ପ୍ରକଳ୍ପକୁ ନେଇ ରାଜନୈତିକ ଦଳମଧ୍ୟରେ ଦୋଷ ଲଦାଲଦି ଚାଲିଥିବାବେଳେ କାର୍ଯ୍ୟରେ ଅବହେଳା ପାଇଁ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ(ଏଏସ୍ଆଇ) ବିରୋଧରେ ଜଗନ୍ନାଥ ସେନା ସ୍ୱର ଉଠାଇଛି । ଏଏସ୍ଆଇ ଅଧୀକ୍ଷକ ଅରୁଣ ମଲ୍ଲିକଙ୍କ ନାଁରେ ଜଗନ୍ନାଥ ସେନାର ଆବାହକ ପ୍ରିୟଦର୍ଶୀ ପଟ୍ଟନାୟକ ଲିଙ୍ଗରାଜ ଥାନାରେ ସୋମବାର ଏତଲା ଦେଇଛନ୍ତି । ଏଏସ୍ଆଇ ଅଫିସ ଶ୍ରୀଲିଙ୍ଗରାଜ ଥାନା ଅଧୀନରେ ଆସୁଥିବାରୁ ଏଠାରେ ଅଭିଯୋଗ କରାଯାଇଛି । ଜଗନ୍ନାଥ ସେନା ଏତଲା ଦେଇ ଏଏସ୍ଆଇ ଅଧୀକ୍ଷକଙ୍କ ଗିରଫ ଦାବି କରିଛି ।

ଜଗନ୍ନାଥ ସେନା ଆବାହକ ପ୍ରିୟଦର୍ଶୀ ପଟ୍ଟନାୟକ କହିଛନ୍ତି, ଏଏସ୍ଆଇ ଅଧୀକ୍ଷକ ନିଜ କର୍ତ୍ତବ୍ୟ ଠିକ୍ ଭାବରେ ତୁଲାଇ ନାହାନ୍ତି । ବିନା ଅନୁମତିରେ କିପରି ଶ୍ରୀମନ୍ଦିର ଚାରିପାଖରେ ବେଆଇନ ଖନନ କରାଗଲା। ଶ୍ରୀ ମନ୍ଦିର ସୁରକ୍ଷା ଆମର ପ୍ରାଥମିକତା । କ’ଣ ପାଇଁ ପ୍ରତ୍ନତତ୍ତ୍ୱ ବିଭାଗ କୌଣସି କାର୍ଯ୍ୟାନୁଷ୍ଠାନ ନେଉନି ବୋଲି ଶ୍ରୀ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି । ଆମ୍ସାର ଆଇନ, ୧୯୫୮ ୩୦(ଗ), ଆଇପିସି ଧାରା ୧୬୬ ଅନୁଯାୟୀ ଏଏସ୍ଆଇ ଅଧୀକ୍ଷକ ଦଣ୍ଡିତ ହେବା କଥା । କିନ୍ତୁ ଏ ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ତାଙ୍କ ବିରୋଧରେ ନିଆଯାଇନାହିଁ । ଯେହେତୁ ନିଜର କର୍ତ୍ତବ୍ୟ ସେ ଠିକ ଭାବରେ ତୁଲାଇ ନାହାନ୍ତି । ତେଣୁ ତାଙ୍କୁ ଗିରଫ କରାଯାଉ ବୋଲି ଶ୍ରୀ ପଟ୍ଟନାୟକ ଦାବି କରିଛନ୍ତି ।

Leave a comment