ଉଦୟପୁର ହତ୍ୟାକାଣ୍ଡ ମାମଲାର ଚାଞ୍ଚଲ୍ୟକର ଖୁଲାସା; ୨ ଅଭିଯୁକ୍ତଙ୍କ ରହିଛି ପାକିସ୍ତାନ୍ ଲିଙ୍କ୍

ଉଦୟପୁର ହତ୍ୟାକାଣ୍ଡ ମାମଲାର ଚାଞ୍ଚଲ୍ୟକର ଖୁଲାସା ହୋଇଛି । ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଗସ୍ ମହମ୍ମଦ ଓ ମହମ୍ମଦ ରିୟାଜ୍ ଅନ୍ସାରିର ପାକିସ୍ତାନ୍ ଲିଙ୍କ୍ ଥିବା ସୂଚନା ମିଳିଛି। ସେମାନେ ପାକିସ୍ତାନୀ ସଂଗଠନ ଦଓ୍ୱାତ୍-ଏ-ଇସ୍ଲାମି ସଂଗଠନ ସହ ସଂପର୍କରେ ଥିଲେ । ଜଣେ ୨୦୧୪ରେ ଏହି ସଂଗଠନକୁ ଭେଟିବାକୁ ପାକିସ୍ତାନର କରାଚି ଯାଇଥିଲା । ନିଜେ ରାଜସ୍ଥାନ ପୋଲିସ ଡିଜି ଏହି ସୂଚନା ଦେବା ସହ, ଏହି ଘଟଣାକୁ ଆତଙ୍କବାଦୀ କାର୍ଯ୍ୟାକଳାପ ଭାବେ ଗ୍ରହଣ କରାଯାଉଛି ବୋଲି କହିଛନ୍ତି ।
କେବଳ ଏତିକି ନୁହେଁ, ଅନ୍ୟଜଣେ ଅଭିଯୁକ୍ତ ଦୁଇ ଦୁଇ ନେପାଳ ଯାଇଥିଲା ଏବଂ ଆତଙ୍କୀ ସଂଗଠନ ସହ ଯୋଗାଯୋଗରେ ଥିଲା ବୋଲି ମଧ୍ୟ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ତାର ଦୁବାଇ ଲିଙ୍କ୍ ମଧ୍ୟ ରହିଛି । ତେଣେ ରିୟାଜ୍ କହ୍ନେୟାକୁ ସପ୍ତାହେ ହେଲା ଦୋକାନ ପାଖରେ ଅପେକ୍ଷା କରୁଥିଲା ଏବଂ ଏହି ହତ୍ୟାକାଣ୍ଡ ପୂର୍ବରୁ ସେମାନେ ISIS ଭିଡିଓ ଦେଖିଥିଲେ ବୋଲି ଚର୍ଚ୍ଚା ହେଉଛି ।
ସେପଟେ କେନ୍ଦ୍ର ଗୃହମନ୍ତ୍ରାଳୟ ନିର୍ଦ୍ଦେଶ କ୍ରମେ ଜାତୀୟ ତଦନ୍ତକାରୀ ସଂସ୍ଥା NIA ଟିମ୍ ଉଦୟପୁରରେ ଖୋଳତାଡ଼ ଜାରି ରଖିଛି । ଏଜେନ୍ସି ପକ୍ଷରୁ IPC ଏବଂ UAPAର ଏକାଧିକ ଧାରାରେ ମାମଲା ରୁଜୁ କରାଯିବା ସହିତ, ଏହି ଜଘନ୍ୟ ଅପରାଧରେ କୌଣସି ସଂଗଠନର ସମ୍ପୃକ୍ତି ଓ ବିଦେଶୀ ଲିଙ୍କ୍ ରହିଛି କି ନାହିଁ ସେନେଇ ତଦନ୍ତ ଜାରି ରହିଛି ।
ସୂଚନାଯୋଗ୍ୟ,ଗତକାଲି ୨ ହତ୍ୟାକାରୀଙ୍କ ଅତର୍କିତ ଆକ୍ରମଣର ଶିକାର ହୋଇ କହ୍ନେୟା ପ୍ରାଣ ହରାଇଥିଲେ ।